୧୮ ବର୍ଷ ଧରି ପ୍ୟାରିସ୍‌ର ‘ସାର୍ଲେସ୍‌ ଡି ଗଉଲି ବିମାନ ବନ୍ଦର’ରେ ବାସ କରୁଥିବା ଇରାନୀୟ ବ୍ୟକ୍ତିଙ୍କ ଦେହାନ୍ତ

ପ୍ୟାରିସ୍‌: ବାସଭବନ ବୋଲି କହି ଦୀର୍ଘ ୧୮ ବ‌ର୍ଷ ଧରି ପ୍ୟାରିସ୍‌ର ‘ସାର୍ଲେସ୍‌ ଡି ଗଉଲି ବିମାନବନ୍ଦର’ରେ ବାସ କରୁଥିବା ଜଣେ ଇରାନୀୟ ବ୍ୟକ୍ତିଙ୍କର ଶନିବାର ଦିନ ଦେହାନ୍ତ ହୋଇଯାଇଥିବା କଥା ସରକାରୀ ଅଧିକାରୀମାନେ କହିଛନ୍ତି।

‘ଦି ଟର୍ମିନାଲ୍‌’ ଶୀର୍ଷକ ଷ୍ଟଭେନ୍‌ ସ୍ପିଲ୍‌ବର୍ଗଙ୍କ ଚଳଚ୍ଚିତ୍ର ଊଣାଅଧିକେ ଉକ୍ତ ବ୍ୟକ୍ତିଙ୍କ ଜୀବନ କାହାଣୀ ଉପରେ ଆଧାରିତ।

ସଂଗୃହୀତ ସୂଚନା ଅନୁସାରେ, ଶନିବାର ପ୍ରାୟ ମଧ୍ୟାହ୍ନ ସମୟରେ ହୃଦ୍‌ଘାତ ଯୋଗୁଁ ବିମାନ ବନ୍ଦରରେ ‘ଟର୍ମିନାଲ୍‌ ୨ଏଫ୍‌’ରେ ମେହ୍‌ରନ୍‌ କରିମି ନାସେରି ନାମକ ଉକ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ବୋଲି ପ୍ୟାରିସ୍‌ ବିମାନ ବନ୍ଦର କର୍ତ୍ତୃପକ୍ଷର ଜଣେ ଅଧିକାରୀ କହିଛନ୍ତି। ପୁଲିସ ଓ ଡାକ୍ତରୀ ଟିମ୍‌ ଚିକିତ୍ସା କରି ସୁଦ୍ଧା ନାସେରିଙ୍କୁ ବଞ୍ଚାଇବାରେ ଅସମର୍ଥ ହୋଇଥିଲେ ବୋଲି ସେ କହିଛନ୍ତି।

ସୂଚନ‌ାଯୋଗ୍ୟ, ୧୯୮୮ରୁ ୨୦୦୬ ପର୍ଯ୍ୟନ୍ତ ନାସେରି ବିମାନ ବନ୍ଦରର ‘ଟର୍ମିନାଲ୍‌ ୧’ରେ  ବାସ କରୁଥିଲେ। ଏହାର ପ୍ରଥମ କାରଣ ଥିଲା ଆଇନଗତ। ତାହା ହେଉଛି ତାଙ୍କ ବାସସ୍ଥାନର କୌଣସି ଦଲିଲ ନ ଥିଲା। ଦ୍ବିତୀୟ କାରଣଟି ହେଉଛି, ସ୍ବଇଚ୍ଛାରେ ସେ ବିମାନ ବନ୍ଦରରେ ରହିବାକୁ ଚାହୁଁଥିଲେ।

Image Courtesy of India Today

ବିମାନ ବନ୍ଦରର କର୍ମଚାରୀଙ୍କ ସହିତ ବନ୍ଧୁତା କରି, କର୍ମଚାରୀଙ୍କ ନିମନ୍ତେ ଉଦ୍ଦିଷ୍ଟ ସ୍ନାନାଗାରରେ ଗାଧୁଆପାଧୁଆ କରି, ନିଜ ଡାଏରି ଲେଖି, ପତ୍ରପତ୍ରିକା ପଢ଼ି ଏବଂ ଯାଉଥିବା ଯାତ୍ରୀମାନଙ୍କୁ ଲକ୍ଷ୍ୟ କରି କରି ବର୍ଷ ପରେ ବର୍ଷ ସେ ଲାଲ୍‌ ପ୍ଲାଷ୍ଟିକ୍‌ ବେଞ୍ଚ୍‌ରେ ଶୋଉଥିଲେ।

ବିମାନ ବନ୍ଦର କର୍ମଚାରୀମାନେ ତାଙ୍କୁ ଶ୍ରଦ୍ଧାରେ ଲର୍ଡ ଆଲ୍‌ଫ୍ରେଡ୍‌ ବୋଲି ଡାକିଲେ। ଯାତ୍ରୀମାନଙ୍କ ପାଇଁ ବି ସେ ଜଣେ ‘ମିନି-ସେଲିବ୍ରିଟି’ ହୋଇଯାଇଥିଲେ।

୧୯୯୯ରେ ବେଞ୍ଚ୍‌ରେ ବସି ହୁକା ଟାଣିବା ବେଳେ  ପତଳା କେଶ, କୋଟରକୁ ପଶିଯାଇଥିବା ଆଖି ଏବଂ ଠାକରା ଗାଲ ସହ ଦୁର୍ବଳିଆ ଦିଶୁଥିବା ନାସେରି ‘ଆସୋସିଏଟେଡ୍‌ ପ୍ରେସ୍‌’ କହିଥିଲେ, ଦିନେ ନା ଦିନ‌େ ମୁଁ ବିମାନ ବନ୍ଦର ଛାଡ଼ିବି। ସେଥିପାଇଁ ‘ପାସ୍‌ପୋର୍ଟ’ କିଂବା ‘ଟ୍ରାଞ୍ଜିଟ୍‌ ଭିସା’କୁ ଅପେକ୍ଷା କରିଛି।

ସେତେବେଳେ ବ୍ରିଟିସ୍‌ ଶାସନାଧୀନ ଥିବା ଇରାନ୍‌ର ସୋଲେଇମାନ୍‌ରେ ୧୯୪୫ରେ ନାସେରି ଜନ୍ମ ଗ୍ରହଣ କରିଥିଲେ। ତାଙ୍କର ବାପା ଥିଲେ ଇରାନୀୟ ଓ ମାଆ ବ୍ରିଟିସ୍‌। ପାଠ ପଢ଼ିବା ଲାଗି ୧୯୭୪ରେ ସେ ଇରାନ୍‌ ଛାଡ଼ି ଇଂଲଣ୍ଡ୍‌କୁ ଚାଲିଯାଇଥିଲେ। କିନ୍ତୁ, ଫେରିବା ପରେ ଶାହାଙ୍କ ବିରୋଧରେ ପ୍ରତିବାଦ କରିଥିବା ଅଭିଯୋଗରେ ତାଙ୍କୁ ଜେଲ୍‌ ଦଣ୍ଡାଦେଶ ହୋଇଥିଲା ଏବଂ ପରେ ବିନା ପାସ୍‌ପୋର୍ଟରେ ନିର୍ବାସନ ଦଣ୍ଡ (ଦେଶରୁ ବହିଷ୍କାର) ଦିଆଯାଇଥିଲା।

ସମ୍ବନ୍ଧିତ ଖବର