ହିଜାବ ପିନ୍ଧି ନ ଥିବା ଭିଡିଓ ଭାଇରାଲ ହେବା ପରେ ଇରାନୀ ମହିଳାଙ୍କୁ ହତ୍ୟା

ତେହେରାନ: ହଦିସ ନଜାଫି ନାମ୍ନୀ ଜଣେ ଇରାନୀ ଯୁବତୀ ହିଜାବ ନ ପିନ୍ଧି ଏକ ପ୍ରତିବାଦରେ ଭାଗ ନେଇଥିବାର ଭିଡିଓ ଭାଇରାଲ ହେବା ପରେ ତାଙ୍କୁ ଗୁଳି କରି ହତ୍ୟା କରାଯାଇଛି। ପରେ ତାଙ୍କୁ କବର ଦେବା ପାଇଁ ଖୋଳାଯାଇଥିବା ଗାତ ପାଖରେ କିଛି ଲୋକ ତାଙ୍କର ଏକ ଫଟୋ ଉପରେ ଲୁହ ଗଡ଼ାଉଥିବାର ଭିଡିଓ ମଧ୍ୟ ଭାଇରାଲ ହୋଇଛି। ଖବର ଅନୁସାରେ ସମ୍ପୃକ୍ତା ଯୁବତୀଙ୍କ ପେଟ, ବେକ, ଛାତି ଓ ହାତକୁ ଗୁଳି କରାଯାଇଥିଲା।
ହିଜାବ ନ ପିନ୍ଧିବା କାରଣରୁ ମେହସା ଆମିନି ନାମ୍ନୀ ୨୨ ବର୍ଷୀୟା ଯୁବତୀଙ୍କୁ ପୁଲିସ ହାଜତରେ ନିର୍ଯାତନା ଦେଇ ହତ୍ୟା କରାଯିବା ଘଟଣା ପରେ ଇରାନରେ ହିଜାବ-ବିରୋଧୀ ତଥା ସରକାର-ବିରୋଧୀ ଆନ୍ଦୋଳନ ପ୍ରାୟ ଏକ ସପ୍ତାହରୁ ଅଧିକ କାଳ ହେଲା ଲାଗି ରହିଛି। ସରକାର ପୁଲିସ ଓ ସୁରକ୍ଷା କର୍ମୀଙ୍କୁ ଲଗାଇ ବିଦ୍ରୋହକୁ ଦମନ କରିବାକୁ ଚେଷ୍ଟା କରୁଛନ୍ତି। ହିଂସାତ୍ମକ ଆନ୍ଦୋଳନରେ ଅଦ୍ୟାବଧି ପ୍ରାୟ ୭୬ରୁ ଅଧିକ ବିଦ୍ରୋହୀ ପୁଲିସ ଗୁଳିମାଡ଼ରେ ମୃତ୍ୟୁବରଣ କରିଥିବା ବେଳେ କିଛି ପୁଲିସ କର୍ମଚାରୀ ମଧ୍ୟ ମୃତ୍ୟୁ ଲଭିଛନ୍ତି।

ଇରାନୀ ଆଇନ ଅନୁସାରେ ମହିଳା ହିଜାବ ପିନ୍ଧିବାକୁ ବାଧ୍ୟ। ତେବେ ସରକାରଙ୍କ ଏହି ନୀତିକୁ ଅଧିକାଂଶ ଲୋକ ପସନ୍ଦ କରୁନାହାନ୍ତି। ୧୯୮୧ରେ ଆଇନ ଲାଗୁ କରାଯିବା ପରଠାରୁ ବିଭିନ୍ନ ସମୟରେ ଲୋକମାନେ ବିରୋଧ କରିଆସୁଛନ୍ତି। ଆମିନିଙ୍କୁ ଥାନାରେ ନିର୍ଯାତନା ଦିଆଯାଇ ନାହିଁ, ସେ ଆପେ ଆପେ ମରିଗଲେ ବୋଲି ସରକାର ଟିଭି ଚାନେଲରେ ସଫେଇ ଦେଉଥିବା ବେଳେ ରାଜରାସ୍ତାରେ ପ୍ରତିବାଦକାରୀଙ୍କୁ ଗୁଳି କରି ହତ୍ୟା କରୁଥିବା ଦେଖିବାକୁ ମିଳୁଛି।

ସମ୍ବନ୍ଧିତ ଖବର