ନୂଆଦିଲ୍ଲୀ: ‘ମୋରାଲିଟି ପୋଲିସ୍’ଦ୍ବାରା ଅଟକ ହୋଇ ମୃତ୍ୟୁବରଣ କରିଥିବା ୨୨ ବର୍ଷୀୟ ମାଶା ଅମିନିଙ୍କର ଶନିବାର ଦିନ ଅନୁଷ୍ଠିତ ଶେଷକୃତ୍ୟ ବେଳେ ପଶ୍ଚିମ ଇରାନ୍ରେ ପ୍ରତିବାଦ ପ୍ରଦର୍ଶନ କରାଯାଇଥିଲା।
ଠିକ୍ ରୂପେ ‘ହିଜାବ୍’ ପିନ୍ଧି ନ ଥିବା କାରଣରୁ ‘ମୋରାଲିଟି ପୋଲିସ୍’ ଥାନାରେ ଅଟକ ଥିବା ତରୁଣୀଙ୍କ ମୃତ୍ୟୁ ଘଟଣାର ପ୍ରତିବାଦ ପ୍ରଦର୍ଶନ କରିବାକୁ ଯାଇ ମହିଳାମାନେ ନିଜ ନିଜ ମୁହଁରୁ ‘ହିଜାବ୍’ ଖୋଲି ପକାଇଥିଲେ। ପ୍ରତିବାଦକାରିଣୀମାନଙ୍କୁ ଘଉଡ଼ାଇବା ଲାଗି ନିରାପତ୍ତା ବଳ ଲୁହବୁହା ବାଷ୍ପ ପ୍ରୟୋଗ କରିବାରୁ ସେମାନେ ଚିତ୍କାର କରି କହିଥିଲେ: ଏକଚ୍ଛତ୍ରବାଦୀର ମରଣ ହେଉ।
ସୂଚନାଯୋଗ୍ୟ, ସେପ୍ଟେମ୍ବର ୧୭ ତାରିଖରେ କଠୋର ‘ହିଜାବ୍’ ପରିଧାନ ନୀତି ଉଲ୍ଲଂଘନ କାରଣରୁ ‘ମୋରାଲିଟି ପୋଲିସ’ ଅଟକ ରଖିଥିବା ୨୨ ବର୍ଷୀୟ ତରୁଣୀ ମାଶା ଅମିନିଙ୍କ ମୃତ୍ୟୁ ପରେ ଅନେକ ଇରାନୀୟ ରାସ୍ତାଘାଟରେ ପ୍ରତିବାଦ ପ୍ରଦର୍ଶନ କରିଥିବା ବେଳେ ଆଉ କେତେକ ସାମାଜିକ ଗଣମାଧ୍ୟମ ଜରିଆରେ ପ୍ରତିବାଦ ପ୍ରଦର୍ଶନ କରିଥିଲେ।
/sambad/media/post_attachments/wp-content/uploads/2022/09/Masha-1024x576.jpg)
ଟୁଇଟ୍ କରି ଜଣେ ଇରାନୀୟ ସାମ୍ବାଦିକା ଲେଖିଛନ୍ତି, ହିଜାବ୍ ଖୋଲିବା ଇରାନ୍ରେ ଦଣ୍ଡନୀୟ ଅପରାଧ। ସମର୍ଥନ ଜଣାଇବାକୁ ଆମେ ବିଶ୍ବର ନରନାରୀମାନଙ୍କୁ ଆହ୍ବାନ ଦେଉଛୁ।
ପ୍ରତିବାଦ ପ୍ରଦର୍ଶନ ବେଳେ ପ୍ରତିବାଦକାରୀମାନେ ‘କାସିମ୍ ସୋଲେମନି’ ଙ୍କର (ଆଇଆର୍ଜିସି କ୍ବାଦ୍ ଫୌଜ) ପତାକା ଖୋଲି ପକାଇ ଥିଲେ।
ସୂଚନାଯୋଗ୍ୟ, ସର୍ବସାଧାରଣରେ ମୁଖାବରଣ ଖୋଲି ପକାଇବାକୁ ଅଳ୍ପ କିଛି ମାସ ହେବ ଦକ୍ଷିଣପନ୍ଥୀ ଇରାନୀୟ ସାମାଜିକକର୍ମୀମାନେ ଇରାନୀୟ ମହିଳାମାନଙ୍କୁ କହିଆସୁଛନ୍ତି।
ରାଷ୍ଟ୍ରପତି ଇବ୍ରାହିମ୍ ରାଇସିଙ୍କ ଦାବି ପରେ କର୍ତ୍ତୃପକ୍ଷମାନେ ମାଶା ଅମିନିଙ୍କ ମୃତ୍ୟୁର ତଦନ୍ତ ଆରମ୍ଭ କରିଥିବା କଥା ରାଷ୍ଟ୍ରାୟତ ଗଣମାଧ୍ୟମ ରିପୋର୍ଟ କରିଛି। ପୁଲିସ କହିଛି, ମୋରାଲିଟି ଥାନାରେ ଅନ୍ୟ ଅଟକ ମହିଳାମାନଙ୍କ ସହିତ ବସି ପ୍ରତୀକ୍ଷା କରୁଥିବା ବେଳେ ୨୨ ବର୍ଷୀୟ ମାଶା ଅସୁସ୍ଥ ହୋଇପଡ଼ିଥିଲେ।
ମାଶାଙ୍କୁ ମାରଧର କରାଯାଇଛି ବୋଲି ସାମାଜିକ ଗରମାଧ୍ୟମରେ ହୋଇଥିବା ଅଭିଯୋଗକୁ ଖଣ୍ଡନ କରିବା ଲାଗି ଜାରି କରିଥିବା ବିବୃତିରେ ପୁଲିସ କହିଛି, ମାଶାଙ୍କୁ ଗାଡ଼ିକୁ ନେବା ଓ ଗାଡ଼ିରେ ଥାନାକୁ ନେବା ବେଳେ ଶାରୀରିକ ନିର୍ଯାତନା ଦିଆଯାଇ ନାହିଁ।