ତେହରାନ: ଇସ୍ରାଏଲ-ଇରାନ ଉତ୍ତେଜନା ଚରମରେ ଥିବା ବେଳେ ଆଜି ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଖେମେନିଙ୍କ ଜଣେ ବରିଷ୍ଠ ପରାମର୍ଶଦାତା ଭୟାନକ ଚେତାବନୀ ଦେଇଛନ୍ତି। ଇରାନ ନିଜର ଅସ୍ତିତ୍ବ ପ୍ରତି ବିପଦ ଅନୁଭବ କଲେ ପଣମାଣୁ ପ୍ରଳୟ ଘଟାଇବ ବୋଲି ସେ କହିଛନ୍ତି। ଯଦି ଇରାନର ଅସ୍ତିତ୍ୱକୁ ଇସ୍ରାଏଲ ବିପଦରେ ପକାଇବାକୁ ପ୍ରୟାସ କରେ ତା’ହେଲେ ଆମେ ପରମାଣୁ ନୀତିରେ ତତ୍କ୍ଷଣାତ ପରିବର୍ତ୍ତନ ଆଣିବୁ ଏବଂ ପ୍ରଳୟଙ୍କରୀ ସ୍ଥିତି ଉପୁଜିବ ବୋଲି ସେ ସତର୍କ କରାଇଛନ୍ତି। ବଡ଼ ସଙ୍କଟ ସମୟରେ ପରମାଣୁ ଅସ୍ତ୍ର ପ୍ରୟୋଗ ବ୍ୟତୀତ ଆମ ପାଖରେ ଆଉ କୌଣସି ବିକଳ୍ପ ରହିବ ନାହିଁ ବୋଲି ଇରାନର ଚେତାବନୀ ଏବେ ଉଦ୍ବେଗର କାରଣ ପାଲଟିଛି।
ସୂଚନାଯୋଗ୍ୟ, ଦାମାସ୍କସରେ ଥିବା ଇରାନ ଦୂତାବାସ ଉପରେ ଇସ୍ରାଏଲର ବୋମାମାଡ଼ ଜବାବରେ ଇରାନ ସିଧାସଳଖ ଇସ୍ରାଏଲ ଅଞ୍ଚଳକୁ ଟାର୍ଗେଟ କରି ଡ୍ରୋନ୍ ଓ କ୍ଷେପଣାସ୍ତ୍ର ମାଡ଼ କରିଥିଲା। ଇସ୍ରାଏଲ ମଧ୍ୟ ଏହାର ଜବାବୀ କାର୍ଯ୍ୟାନୁଷ୍ଠାନରେ ଇରାନର ସାମରିକ ପ୍ରତିଷ୍ଠାନକୁ ଟାର୍ଗେଟ୍ କରିଥିଲା। ଆଣବିକ ଅସ୍ତ୍ର ବିକାଶ ବିରୋଧରେ ଇରାନର ପୂର୍ବ ପ୍ରତିଶ୍ରୁତି କେବଳ ପ୍ରତାରଣା ବୋଲି ସାବ୍ୟସ୍ତ ହୋଇଥିବା ବେଳେ ଏବେ ଏହାର ପରମାଣୁ ଧମକ ଆମେରିକା ପାଇଁ ମଧ୍ୟ ଚିନ୍ତାର କାରଣ ପାଲଟିଛି।