ତେହେରାନ: ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲ୍ଲୀ ଖାମେନି ଗୁରୁତର ରୋଗରେ ପୀଡ଼ିତ ଥିବା ସୂଚନା ମିଳିଛି। ମିଳିଥିବା ସୂଚନା ଅନୁଯାୟୀ, ଆମେରିକା ଓ ଇସ୍ରାଏଲ ସହ ଉତ୍ତେଜନା ମଧ୍ୟରେ ଖାମେନିଙ୍କ ଖରାପ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଇରାନ ଚିନ୍ତାରେ ପଡ଼ିଯାଇଛି । ଏସବୁ ଭିତରେ କେତେକ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ, ସର୍ବୋଚ୍ଚ ନେତା ଖାମେନି ରବିବାର ତାଙ୍କର ଦ୍ୱିତୀୟ ପୁତ୍ର ମୋଜତାବା ଖାମେନିଙ୍କୁ ତାଙ୍କ ଉତ୍ତରାଧିକାରୀ ତଥା ଦେଶର ସର୍ବୋଚ୍ଚ ନେତା ଭାବେ ନିଯୁକ୍ତ କରିଛନ୍ତି। ତେବେ ଏହି ନିଯୁକ୍ତିକୁ ଇରାନ ସରକାର ଆନୁଷ୍ଠାନିକ ଭାବେ ଏହି ଖବରକୁ ନିଶ୍ଚିତ କରିନାହାନ୍ତି।

Advertisment

୮୫ ବର୍ଷୀୟ ଆୟାତୋଲ୍ଲା ଖାମେନିଙ୍କ ସ୍ୱାସ୍ଥ୍ୟାବସ୍ଥା କ୍ରମାଗତ ଭାବେ ଖରାପ ହେବାରେ ଲାଗିଛି। ସେ ଏବେ କୋମାରେ ଥିବା କେତେକ ରିପୋର୍ଟ କହୁଛି । ତାଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନିଆଯାଇଛି। 
ଇରାନର ସର୍ବୋଚ୍ଚ ନେତା ଚୟନ ପ୍ରକ୍ରିୟାରେ ଗାର୍ଡିଆନ୍ କାଉନସିଲ୍ ଏବଂ ଏକ୍ସପର୍ଟ ଆସେମ୍ବଲି ଭଳି ଅନୁଷ୍ଠାନ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତି। ଇସ୍ରାଏଲ ମିଡିଆ ରିପୋର୍ଟ ଅନୁଯାୟୀ, ଇରାନର ଏକ୍ସପର୍ଟ ଆସେମ୍ବଲିର ୬୦ ଜଣ ସଦସ୍ୟଙ୍କ ମଧ୍ୟରେ ସେପ୍ଟେମ୍ବର ୨୬ରେ ଏକ ବୈଠକ ହୋଇଥିଲା। ଏହି ବୈଠକରେ ଖାମେନିଙ୍କ ଅନୁରୋଧକ୍ରମେ ଅତ୍ୟନ୍ତ ଗୋପନୀୟତାର ସହ ଉତ୍ତରାଧିକାରୀ ସମ୍ପର୍କରେ ନିଷ୍ପତ୍ତି ନେବାକୁ ନିର୍ଦ୍ଦେଶ ଦିଆଯାଇଥିଲା।