ଇରାନ୍‌ର ଶୀର୍ଷ ପରମାଣୁ ବୈଜ୍ଞାନିକଙ୍କୁ ହତ୍ୟା, ଇସ୍ରାଏଲ୍‌କୁ ଦାୟୀ କଲା ଇରାନ

ତେହରାନ: ଇରାନ୍‌ର ଶୀର୍ଷ ପରମାଣୁ ବୈଜ୍ଞାନିକ ମୋହସିନ୍‌ ଫଖ୍‌ରୀଜାଦେହଙ୍କୁ ତେହରାନ ନିକଟରେ ଗତକାଲି ହତ୍ୟା କରାଯାଇଛି। ଆକ୍ରମଣକାରୀମାନେ ପ୍ରଥମେ ବୈଜ୍ଞାନିକ ମୋହସିନଙ୍କ ଗାଡ଼ିକୁ ଘେରି ଯାଇ ଗୁଳି ବର୍ଷା କରିଥିଲେ ଏବଂ ଏହା ପରେ ବିସ୍ଫୋରଣ କରି ଗାଡ଼ିକୁ ଉଡ଼ାଇ ଦେଇଥିଲେ। ଏହି ଆକ୍ରମଣରେ ଆଉ ୩ ଜଣଙ୍କର ମଧ୍ୟ ମୃତ୍ୟୁ ହୋଇଥିବା ଜଣାପଡ଼ିଛି ଏବଂ ସେମାନଙ୍କୁ ଚିହ୍ନଟ କରାଯାଇ ପାରିନାହିଁ। ଏହି ହତ୍ୟା ପଛରେ ଇସ୍ରାଏଲ୍‌ର ହାତ ରହିଛି ବୋଲି ଇରାନ୍‌ କହିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍‌ଙ୍କ କାର୍ଯ୍ୟକାଳ ଜାନୁଆରିରେ ସରିବା ପୂର୍ବରୁ ଏହାର ମିତ୍ର ରାଷ୍ଟ୍ରମାନେ ଇରାନ୍‌କୁ ଟାର୍ଗେଟ୍‌ କରୁଛନ୍ତି ବୋଲି ଜଣେ ବରିଷ୍ଠ ସେନା ଅଧିକାରୀ କହିଛନ୍ତି। ଇରାନ୍‌ ଉପରେ ଏବେ ଆମେରିକା ବଡ଼ କଟକଣା ଲଗାଇବାକୁ ପ୍ରସ୍ତୁତ ହେଉଛି ଏବଂ ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍‌ ମଧ୍ୟ ଏ ବାବଦରେ ଟ୍ରମ୍ପ୍‌ ପ୍ରଶାସନର ନୀତି ଅନୁସରଣ କରିବାକୁ ପରାମର୍ଶ ଦିଆଯାଇଛି।

ସମ୍ବନ୍ଧିତ ଖବର