ତେହରାନ : ଇରାନର ପୂର୍ବତନ ରାଷ୍ଟ୍ରପତି ମହମ୍ମଦ ଅହମଦିନେଜାଦ ଆଜି ଏକ ଚାଞ୍ଚଲ୍ୟକର ଦାବି କରି କହିଛନ୍ତି ଯେ ଇରାନର ଜଣେ ଶୀର୍ଷ ଗୁଇନ୍ଦା ସେବା ଅଧିକାରୀ ନିଜେ ଜଣେ ଇସ୍ରାଏଲୀ ଗୁପ୍ତଚର ଥିଲେ। ଅହମଦିନେଜାଦ କହିଛନ୍ତି, ୨୦୨୧ରେ ଏହା ସ୍ପଷ୍ଟ ଜଣାପଡ଼ିଲା ଯେ ଦେଶରେ ଇସ୍ରାଏଲ୍ର ଗୁଇନ୍ଦା ଅପରେସନ୍ ସହ ସଂପୃକ୍ତ ସବୁଠାରୁ ବରିଷ୍ଠ ବ୍ୟକ୍ତି ନିଜେ ଜଣେ ମୋସାଦ ପ୍ରତିନିଧି। ଇସ୍ରାଏଲ ଇରାନରେ ଜଟିଳ ଅପରେସନ୍ ପରିଚାଳନା କରୁଛି। ସେମାନେ ଅତି ସହଜରେ ଖବର ହାସଲ କରିନେଉଛନ୍ତି। କିନ୍ତୁ ଇରାନରେ ସେମାନେ ଏହି ବିଷୟରେ ସମ୍ପୂର୍ଣ୍ଣ ନିରବ।
ଇରାନରେ ଗୁଇନ୍ଦା ବିଭାଗର ଦାୟିତ୍ବରେ ଥିବା ଜଣେ ବରିଷ୍ଠ ଅଧିକାରୀ ନିଜେ ଜଣେ ଇସ୍ରାଏଲୀ ଗୁପ୍ତଚର ଥିଲେ। ଅହମଦିନେଜାଦ ଦାବି କରିଛନ୍ତି ଯେ ଇରାନ ଗୁଇନ୍ଦା ଟିମ୍ରେ ଇସ୍ରାଏଲ ପାଇଁ ଗୁପ୍ତଚରଗିରିରେ ନିୟୋଜିତ ଥିବା ଅତିରିକ୍ତ ୨୦ ପ୍ରତିନିଧି ମଧ୍ୟ ମୋସାଦ ପାଇଁ କାମ କରୁଥିଲେ। ଅହମେଦିନେଜାଦ କହିଛନ୍ତି, ଏହି ପ୍ରତିନିଧିମାନେ ଇରାନର ପରମାଣୁ କାର୍ଯ୍ୟକ୍ରମ ସଂକ୍ରାନ୍ତ ସମ୍ବେଦନଶୀଳ ସୂଚନା ଇସ୍ରାଏଲକୁ ଦେଇଥିଲେ। ସେମାନେ ମଧ୍ୟ ୨୦୧୮ରେ ଇରାନ ପରମାଣୁ ଦସ୍ତାବିଜ ଚୋରି ଘଟଣାରେ ସମ୍ପୃକ୍ତ ଏବଂ ଅନେକ ଇରାନୀୟ ପରମାଣୁ ବୈଜ୍ଞାନିକଙ୍କୁ ହତ୍ୟା କରିଥିଲେ।
ଉଲ୍ଲେଖଯୋଗ୍ୟ, ହେଜବୁଲ୍ଲା ମୁଖ୍ୟ ହସନ ନସରଲ୍ଲାର ଠିକଣା ସଂକ୍ରାନ୍ତରେ ଇରାନ୍ର ଜଣେ ଗୁଇନ୍ଦା ଇସ୍ରାଏଲକୁ ଖବର ଦେଇଥିବା ନେଇ ଦାବି ହେବାପରେ ଆଜି ଅହମଦିନେଜାଦ ଏହି ଦାବି କରିଛନ୍ତି। ଉଲ୍ଲେଖଯୋଗ୍ୟ, ଅହମଦିନେଜାଦ ହେଉଛନ୍ତି ବର୍ତ୍ତମାନର ଇରାନ ଶାସନ ବ୍ୟବସ୍ଥାର ଜଣେ କଡ଼ା ସମାଲୋଚକ।