ନୂଆଦିଲ୍ଲୀ: ଇରାକ୍‌ ଏବଂ ସିରିୟାରେ ଆତଙ୍କବାଦୀ ସଂଗଠନ ଇସ୍‌୍‌ଲାମିକ ଷ୍ଟେଟ୍‌ (ଆଇଏସ୍‌୍‌)ର ମୂଳପୋଛ ସତ୍ତ୍ୱେ ସମଗ୍ର ବିଶ୍ୱରେ ଆତଙ୍କବାଦୀ ଆକ୍ରମଣ ଭୟ ରହିଛି। ଆଇଏସ୍‌ ନିପାତ ପାଇଁ ଚାଲିଥିବା ଅଭିଯାନ ସଫଳ ହୋଇଥିବାରୁ ଏବେ ଆଇଏସ୍‌ ଦଖଲରେ ଆଉ କୌଣସି ଅଂଚଳ ନାହିଁ କିମ୍ବା ଆଇଏସ୍‌ର ସାମରିକ ଶକ୍ତି ପ୍ରଦର୍ଶନ କରିପାରିବ ନାହିଁ। ତେବେ ବିଭିନ୍ନ ରାଷ୍ଟ୍ରରେ ଆତଙ୍କବାଦୀ ଆକ୍ରମଣ ପାଇଁ ଆଇଏସ୍‌ ପାଖରେ କ୍ଷମତା ରହିଛି। ଆଇଏସ୍‌ ଆତଙ୍କବାଦୀମାନେ ୟୁରୋପ ଏବଂ ଆମେରିକାରେ ବହୁ ସଂଖ୍ୟାରେ ରହିଛନ୍ତି ଏବଂ ସେମାନେ ଲଗାତାର ବିପଦ ସୃଷ୍ଟି କରିଚାଲିବେ ବୋଲି ବୋଲି ସୁରକ୍ଷା ବିଶେଷଜ୍ଞମାନେ କହିଛନ୍ତି। ଆଖିକୁ ଦେଖାଯାଉଥିବା ଯୁଦ୍ଧକ୍ଷେତ୍ରରେ ହିଁ ଆଇଏସ୍‌ ପରାସ୍ତ ହୋଇଛି, କିନ୍ତୁ ଆଇଏସ୍‌ ଆତଙ୍କବାଦୀ ବିଶ୍ୱବ୍ୟାପୀ ଲୁଚି ରହିଥିବାରୁ ଏହି ବିପଦ ଜାରି ରହିବ ବୋଲି କୁହାଯାଉଛି। ସେମାନେ ଆଇଏସ୍‌ ନାମରେ ଆକ୍ରମଣ କରିବାକୁ ସମର୍ଥ ଥିବାରୁ ଆତଙ୍କବାଦ ଏବେ ବି ସବୁଠାରୁ ବଡ଼ ବିପଦ ହୋଇ ରହିଛି। ଏ ଦୃଷ୍ଟିରୁ ଆମେରିକା, ଫ୍ରାନ୍‌ସ, ଜର୍ମାନୀ ଏବଂ ବ୍ରିଟେନ୍‌ ପାଇଁ ପାଇଁ ଅଧିକ ବିପଦ ରହିଥିବା ବେଳେ ଆଫ୍ରିକା ଏବଂ ଏସିଆର ରାଷ୍ଟ୍ରଗୁଡ଼ିକ ମଧ୍ୟ ଏଥିରୁ ବାଦ ପଡ଼ିନାହାନ୍ତି। ଗତ ବର୍ଷ ଆମେରିକା ଏବଂ ବ୍ରିଟେନରେ ହୋଇଥିବା ୫ଟି ବଡ଼ ଆତଙ୍କବାଦୀ ଆକ୍ରମଣ ପଛରେ ଆଇଏସ୍‌ ଆତଙ୍କବାଦୀଙ୍କ ହାତ ରହିଥିଲା। ସିରିୟା ଏବଂ ଇରାକ୍‌ରେ ଆଇଏସ୍‌ କବ୍‌୍‌ଜାରେ ଥିବା ସମସ୍ତ ଅଂଚଳ ଏବେ ମୁକ୍ତ ହୋଇଛି ଏବଂ ଘରଦ୍ୱାର ଛାଡ଼ି ପଳାଇଥିବା ଲୋକେ ଏବେ ଫେରୁଛନ୍ତି। ଆଇଏସ୍‌ ସାମ୍ରାଜ୍ୟର ସଂପୂର୍ଣ୍ଣ ପତନ ଘଟିଥିବା ଇରାକ୍‌ ଏବଂ ସିରିୟା ସରକାର ଘୋଷଣା କରିସାରିଛନ୍ତି। ତେବେ ଆଇଏସ୍‌ର ସ୍ଲିପର୍‌ ସେଲ୍‌ ୩୦ରୁ ଅଧିକ ରାଷ୍ଟ୍ରରେ ଅଛନ୍ତି ଏବଂ ସେମାନେ ଯେ କୌଣସି ମୁହୂର୍ତ୍ତରେ ବର୍ବର ଆକ୍ରମଣ କରିପାରନ୍ତି ବୋଲି ଆଶଙ୍କା କରାଯାଉଛି। ଅନ୍ୟପକ୍ଷରେ ଆଇଏସ୍‌ ଆତଙ୍କବାଦୀ ଗୋଷ୍ଠୀ ନେତା ଅବୁ ବକର ଅଲ୍‌ ବାଗଦାଦି ଏବେ ବି ଜୀବିତ ରହିଥିବା ଇରାକ୍‌ ଗୁଇନ୍ଦା ସଂସ୍ଥା ପକ୍ଷରୁ କୁହାଯାଇଛି। ସିରିୟାର ଉତ୍ତର ପୂର୍ବାଞ୍ଚଳର ଜାଜିରା ଅଂଚଳରେ ସେ ଲୁଚି ରହିଥିବା ଜଣାପଡ଼ିଥିଲେ ମଧ୍ୟ ତାକୁ ନିପାତ କରିବା ସମ୍ଭବ ହୋଇନାହିଁ। ବିଭିନ୍ନ ସମୟରେ ଆମେରିକାର ବିମାନ ଆକ୍ରମଣରୁ ବର୍ତ୍ତିଯାଇଥିବା ବାଗଦାଦିକୁ ନିପାତ କରିବା ପାଇଁ ଚାଲିଥିବା ଅଭିଯାନ ଫଳବତୀ ହୋଇପାରିନାହିଁ। ଗତବର୍ଷ ମେ’ରେ ସିରିୟାର ରକ୍କାରେ ହୋଇଥିବା ବିମାନ ଆକ୍ରମଣରେ ବାଗଦାଦି ନିହତ ହୋଇଥିବା ରୁଷ୍‌ ସେନା ଦାବି କରିଥିଲା। କିନ୍ତୁ ଏ ବାବଦରେ କୌଣସି ବଳିଷ୍ଠ ପ୍ରମାଣ ଆଜି ସୁଦ୍ଧା ମିଳିନାହିଁ।