ମାଙ୍ଗାଲୁରୁ ବିସ୍ଫୋରଣ ପାଇଁ ନିଜକୁ ଦାୟୀ କଲା ଆତଙ୍କବାଦୀ ସଂଗଠନ ଆଇଆରସି, ଏଡିଜିପିଙ୍କୁ ଦେଲା ଧମକ

ନୂଆଦିଲ୍ଲୀ: ଶନିବାର କର୍ଣ୍ଣାଟକର ମାଙ୍ଗାଲୁରୁରେ ଏକ ଅଟୋରିକ୍ସାରେ ହୋଇଥିବା ବିସ୍ଫୋରଣ ପାଇଁ ନିଜକୁ ଦାୟୀ କରିଛି ଆତଙ୍କବାଦୀ ସଂଗଠନ ଇସଲାମିକ ରେଜିମେଣ୍ଟ କାଉନସିଲ (ଆଇଆରସି)। ଏଥିସହିତ ପୁଲିସର ଅତିରିକ୍ତ ମହାନିର୍ଦ୍ଦେଶକ (ଏଡିଜିପି) ଆଲୋକ କୁମାର ମଧ୍ୟ ଏ ସମ୍ପର୍କରେ ନିଜର ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ, ଆତଙ୍କବାଦୀ ସଂଗଠନ ସ୍ବୀକାର କରିଥିବା କଥ‌ାର ସତ୍ୟତା ଯାଞ୍ଚ କରୁଛି ପୁଲିସ ।

ଘଟଣା ଶନିବାର ଘଟିଥିବା ବେଳେ ଇସଲାମିକ ରେଜିମେଣ୍ଟ କାଉନସିଲ (ଆଇଆରସି) ଆଜି ଏହି ଘଟଣା ପାଇଁ ନିଜକୁ ଦାୟୀ କରିଛି। ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏକ ପୋଷ୍ଟରେ ଆଇଆରସି ନିଜକୁ ଦାୟୀ କରିଥିବା ଦେଖାଯାଇଛି। ଏଥିରେ ଦର୍ଶାଯାଇଛି ଯେ ‘ଆମେ ଇସଲାମିକ ରେଜିମେଣ୍ଟ କାଉନସିଲ (ଆଇଆରସି) ଜଣାଇବାକୁ ଚାହୁଁଛୁ ଯେ ଆମର ଜଣେ ମୁଜାହିଦ୍ ଭାଇ ମହମ୍ମଦ ଶରିକ୍ ମାଙ୍ଗାଲୁରୁରେ ଆତଙ୍କବାଦୀଙ୍କ ଗଡ଼ ଥିବା କାଦ୍ରିରେ ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲେ। ଯଦିଓ ଅପରେସନ୍ ଏହାର ଉଦ୍ଦେଶ୍ୟ ପୂରଣ କରିନଥିଲା, ହେଲେ ଆମେ ଏହାକୁ ଆମର ଏକ ବଡ଼ ସଫଳତା ବୋଲି ବିବେଚନା କରୁଛୁ। କାରଣ ମୁଜାହିଦ୍ ଭାଇ ମୋଷ୍ଟ ୱାଣ୍ଟେଡ ତାଲିକାରେ ଥାଇ ମଧ୍ୟ ରାଜ୍ୟ ତଥା କେନ୍ଦ୍ରୀୟ ଗୁଇନ୍ଦା ସଂସ୍ଥା ତାଙ୍କୁ ଖୋଜି ପାରିନଥିଲେ।

କେବଳ ଏତିକି ନୁହେଁ ଏଡିଜିପି ଆଲୋକ କୁମାରଙ୍କୁ ମଧ୍ୟ ଏହି ପୋଷ୍ଟରେ ଚେତାବନୀ ଦିଆଯାଇଛି। ଚେତାବନୀ ଦେଇ କୁହାଯାଇଛି ଯେ, ଯେଉଁମାନେ ଆମ ଭାଇଙ୍କ ଗିରଫଦାରୀରେ ଖୁସି ହେଉଛନ୍ତି, ସେମାନଙ୍କ ଖୁସି ଆଉ ମାତ୍ର କିଛି ଦିନରେ ଶେଷ ହେବ। ଶୀଘ୍ର ତୁମେ ଏହାର ପରିଣାମ ଭୋଗିବ। ଏଥିରେ ସଂଗଠନ ପକ୍ଷରୁ ଦାବି କରାଯାଇଛି ଯେ, ଆମର ଧର୍ମ ବିରୋଧରେ ଖୋଲା ଯୁଦ୍ଧ ଘୋଷଣା କରାଯାଇଥିବାରୁ ଆମେ ଏହାର ପ୍ରତିଶୋଧ ନେଉଛୁ। ଆମକୁ ଦମନ କରିବା ଏବଂ ଆମର ଧର୍ମରେ ହସ୍ତକ୍ଷେପ କରିବା ପାଇଁ ଦମନକାରୀ ଆଇନ ପ୍ରଣୟନ କରାଯାଇଛି।

ସମ୍ବନ୍ଧିତ ଖବର