ନୂଆଦିଲ୍ଲୀ: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ରାବଡ଼ି ଦେବୀ ଏବଂ ଆର୍ଜେଡି (ରାଷ୍ଟ୍ରୀୟ ଜନତା ଦଳ) ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କୁ ଆଜି ଦିଲ୍ଲୀର ରୋଜ ଆଭେନ୍ୟୁ କୋର୍ଟ ଆଇଆରସିଟିସି ଦୁର୍ନୀତି ମାମଲାରେ ସମନ୍ କରିଛନ୍ତି। ଜମି ବଦଳରେ ଭାରତୀୟ ରେଳବାଇରେ ଚାକିରି ଦୁର୍ନୀତି ମାମଲାରେ ଦିଲ୍ଲୀ କୋର୍ଟ ଲାଲୁ, ରାବଡ଼ି ଓ ସେମାନଙ୍କ ଝିଅ ମିସା ଭାରତୀଙ୍କ ସମେତ ମୋଟ୍ ୧୪ ଜଣଙ୍କୁ ମାର୍ଚ୍ଚ ୧୫ ତାରିଖରେ ସମନ୍ କରିଛନ୍ତି।
ଉଲ୍ଲେଖଯୋଗ୍ୟ ଯେ ସିଙ୍ଗାପୁରରେ କିଡନି ପ୍ରତିରୋପଣ ପରେ ଲାଲୁ ନିକଟରେ ବିହାର ଫେରିଛନ୍ତି। ଭାରତୀୟ ରେଳବାଇରେ ଜମି ବଦଳରେ ଚାକିରି ଦୁର୍ନୀତି ମାମଲାରେ ସିବିଆଇ ପୂର୍ବରୁ ଚାର୍ଜସିଟ୍ ଦାଖଲ କରିଛି। ଏହି ଚାର୍ଜସିଟ ଆଧାରରେ କୋର୍ଟ ମୋଟ ୧୪ ଜଣଙ୍କୁ ସମନ୍ କରିଛନ୍ତି। ଲାଲୁ ଯାଦବଙ୍କ ଘନିଷ୍ଠ ସହଯୋଗୀ ଏବଂ ପୂର୍ବତନ ବିଧାୟକ ଭୋଳା ଯାଦବ ଏବଂ ହୃଦୟାନନ୍ଦ ଚୌଧୁରୀ ମଧ୍ୟ ରେଳବାଇ ନିଯୁକ୍ତି ଦୁର୍ନୀତି ମାମଲାରେ ଅଭିଯୁକ୍ତ। ଆର୍ଜେଡି ନେତା ଭୋଳା ଯାଦବଙ୍କୁ ସିବିଆଇ ଗତ ଜୁଲାଇ ୨୭ରେ ଗିରଫ କରିଛି। ଭୋଳା ଯାଦବ ତତ୍କାଳୀନ ରେଳ ମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ଓଏସ୍ଡି (ଅଫିସର ଅନ ସ୍ପେସାଲ ଡ୍ୟୁଟି) ଥିଲେ।