ନୂଆଦିଲ୍ଲୀ: ସମୟ ସହ ତାଳଦେଇ ବଢ଼ି ଚାଲିଛି ସୋସିଆଲ ମିଡିଆର ବ୍ୟବହାର। ଫେସବୁକ୍, ଟ୍ୱିଟର ଏବଂ ଇନଷ୍ଟାଗ୍ରାମ ପରି ପ୍ଲାଟଫର୍ମ ମାଧ୍ୟମରେ ବ୍ୟବହାରକାରୀ ନିଜର ଅନେକ ତଥ୍ୟ ସର୍ବସମ୍ମୁଖକୁ ଆଣିଥାନ୍ତି। ଏହି ପ୍ଲାଟଫର୍ମଗୁଡିକ ସେମାନଙ୍କର ଉପଭୋକ୍ତା ବା ଗ୍ରାହକମାନଙ୍କର ଗୋପନୀୟତା ପ୍ରତି ବିଶେଷ ଧ୍ୟାନ ଦେଉଥିବା ଦାବି କରନ୍ତି। ମାତ୍ର ଅନେକ ସମୟରେ ଏହି ପ୍ଲାଟଫର୍ମଗୁଡ଼ିକ ଗୁପ୍ତ କିମ୍ବା ସମ୍ବେଦନଶୀଳ ବ୍ୟକ୍ତିଗତ ସୂଚନା ସେୟାର ନ କରିବାକୁ ଚେତାବନୀ ଦେଇ ମଧ୍ୟ ଏହାକୁ ଅନେକ ଅଣଦେଖା କରିଥାନ୍ତି। ଯେଉଁଥିପାଇଁ ପରବର୍ତ୍ତୀ ସମୟରେ ସେମାନେ ଅସୁବିଧାରେ ପଡ଼ିଥାନ୍ତି। ବର୍ତ୍ତମାନ, ଜଣେ ମହିଳା ଏହିପରି ଏକ ଠକାମୀର ଶିକାର ହୋଇଛନ୍ତି ।
ମୁମ୍ବାଇର ଭିଲେପାର୍ଲେର ବାସିନ୍ଦା ଏମ୍.ଏନ୍ ମୀନା, ଯିଏକି ଆଇଆରସିଟିସିର ଟ୍ୱିଟର ହ୍ୟାଣ୍ଡେଲକୁ ଟ୍ୟାଗ୍ କରି ଏକ ଟୁଇଟ୍ କରିଥିଲେ। ଟୁଇଟ୍ରେ ମହିଳା ଜଣକ ତାଙ୍କ ଟ୍ରେନ୍ ଟିକେଟ୍ ସେୟାର କରିଥିଲେ । ଜାନୁଆରି ୧୪ରେ ସେ ଭୁଜକୁ ଯିବା ପାଇଁ ଆଇଆରସିଟିସି ୱେବସାଇଟ୍ ମାଧ୍ୟମରେ ତିନିଟି ଟିକେଟ୍ ବୁକ୍ କରିଥିଲେ। ପ୍ରାୟ ସବୁ ସିଟ୍ ବୁକ୍ ହୋଇଥିବାରୁ ତାଙ୍କୁ ଆରଏସି ଟିକେଟ୍ ମିଳିଥିଲା । ପରେ ମହିଳା ଜଣକ ଟିକେଟର ସ୍ଥିତି ଜାଣିବାକୁ ଆଇଆରସିଟିସିର ଟ୍ୱିଟର ହ୍ୟାଣ୍ଡେଲକୁ ଟ୍ୟାଗ୍ କରୁଥିଲେ। କିନ୍ତୁ ତା’ପରେ ଏମିତି କିଛି ଘଟିଲା ଯାହା ମହିଳା ନିଜେ ମଧ୍ୟ କେବେ ଭାବି ନଥିଲେ । ଟ୍ୱିଟ୍ କରିବା ସମୟରେ ମହିଳା ଜଣକ ଏକ ବଡ଼ ଭୁଲ୍ କରିଥିଲେ। ସେ ନିଜର ଟ୍ରେନ୍ ଟିକେଟ୍ ସୋସିଆଲ୍ ମିଡିଆରେ ସେୟାର କରିଥିଲେ। ଯେଉଁଥିରେ ତାଙ୍କ ଫୋନ୍ ନମ୍ବର ସହ ଅନ୍ୟ ତଥ୍ୟ ବି ଥିଲା । ଯେଉଁଥିପାଇଁ ସେ ଠକାମି ଶିକାର ହୋଇଥିଲେ। ସେହି ପୋଷ୍ଟ ସେୟାର କରି ସେ ପାଖାପାଖି ୬୪ହଜାର ଟଙ୍କା ହରାଇଛନ୍ତି।
ଯେତେବେଳେ ମହିଳା ଜଣକ ତାଙ୍କ ଟ୍ରେନ୍ ଟିକେଟ୍ ବିବରଣୀ ସୋସିଆଲ ମିଡିଆରେ ସେୟାର କରିଥିଲେ, ଠକମାନେ ତାଙ୍କୁ କଲ କରିଥିଲେ। ସେମାନେ ନିଜକୁ ଆଇଆରସିଟିସିର ଗ୍ରାହକ ସେବା ଅଧିକାରୀ ଭାବେ ପରିଚୟ ଦେଇଥିଲେ। ଆପଣଙ୍କ ଫୋନ୍ ନମ୍ବରରେ ଏକ ଲିଙ୍କ୍ ସେୟାର କରାଯାଉଛି ବୋଲି ମହିଳାଙ୍କୁ କହିଥିଲେ । ଯେତେବେଳେ ଆପଣ ସେହି ଲିଙ୍କ୍ ଖୋଲିବେ ସେତେବେଳେ ମାତ୍ର ୨ ଟଙ୍କା ଦେବାକୁ ପଡ଼ିବ । ଏହା ପରେ ଆପଣଙ୍କ ଟିକେଟ୍ ନିଶ୍ଚିତ ହେବ । କୌଣସି ଚିନ୍ତା ନକରି, ମହିଳା ଠକମାନଙ୍କୁ ଆଇଆରସିଟିସି ଅଧିକାରୀ ଭାବି ଉକ୍ତ ଲିଙ୍କରେ କ୍ଲିକ୍ କରି ୨ ଟଙ୍କା ପଠାଇଲେ। ପରେ ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ୬୪ ହଜାର ଟଙ୍କା ଗାଏବ୍ ହୋଇଯାଇଥିଲା ।
ଯଦି ଆପଣ ଏ ପ୍ରକାରର ଠକାମିରୁ ଦୂରେଇ ରହିବାକୁ ଚାହାଁନ୍ତି, ତେବେ କେବେ ବି ସୋସିଆଲ ମିଡିଆରେ ଆପଣଙ୍କର ବ୍ୟକ୍ତିଗତ ସୂଚନା ସେୟାର କରନ୍ତୁ ନାହିଁ । କୌଣସି ଅଜଣା ବ୍ୟକ୍ତିଙ୍କ ଦ୍ୱାରା ପଠାଯାଇଥିବା ଲିଙ୍କ୍ ଖୋଲନ୍ତୁ ନାହିଁ । ଯଦି କେହି ଜଣେ ଆପଣଙ୍କର ଆକାଉଣ୍ଟ୍ ନମ୍ବର କିମ୍ବା ପିନ୍ ମାଗନ୍ତି, ଏପରିକି କେହି ନିଜକୁ କୌଣସି କର୍ମଚାରୀ କିମ୍ବା ବ୍ୟାଙ୍କ ଅଧିକାରୀ ବୋଲି କହି ଆପଣଙ୍କ ବ୍ୟାଙ୍କିଙ୍ଗ୍ ସମ୍ବନ୍ଧୀୟ ତଥ୍ୟ ମାଗନ୍ତି ତେବେ ଆପଣ କୌଣସି ତଥ୍ୟ ଦିଅନ୍ତୁ ନାହିଁ ।