ଭୁବନେଶ୍ବର : ବାଲେଶ୍ବର ରେଳ ଦୁର୍ଘଟଣା ପରେ ଯାତ୍ରୀମାନଙ୍କ ପାଇଁ କରାଯାଉଥିବା ବୀମା ଚର୍ଚ୍ଚାକୁ ଚାଲିଆସିଛି । ଆଇଆରସିଟିସି ଯାତ୍ରୀ ପିଛା ମାତ୍ର ୩୫ ପଇସା ନେଇ ଯାତ୍ରା ବୀମା ପ୍ରଦାନ କରିଥାଏ । ଆଇଆରସିଟିସି ମାଧ୍ୟମରେ ଇ-ଟିକେଟ କାଟିବାବେଳେ ଏହି ୩୫ ପଇସା ଆଦାୟ କରାଯାଏ । କିନ୍ତୁ ଏହାକୁ ନେବା ଯାତ୍ରୀଙ୍କ ଇଚ୍ଛାଧୀନ ବିଷୟ । ଅର୍ଥାତ୍ ଏହା ଯାତ୍ରୀଙ୍କ ପାଇଁ ବାଧ୍ୟତାମୂଳକ ନୁହେଁ । କିନ୍ତୁ ଥରେ ଟିକେଟ କାଟିଦେବା ପରେ ବୀମା ବିକଳ୍ପକୁ ଆଉ ଚୟନ କରିହେବ ନାହିଁ । ଏଣୁ ଆଇଆରସିଟିସି ଆପ କିମ୍ବା ସାଇଟରେ ବୁକିଂ ଫର୍ମ ପୂରଣ ବେଳେ ହିଁ ବୀମା ବିକଳ୍ପ ବାଛିନିଅନ୍ତୁ । ଟିକେଟ୍ ବୁକିଂ ହେବା ପରେ ଯାତ୍ରୀଙ୍କ ଇ-ମେଲ କିମ୍ବା ମୋବାଇଲ ଫୋନକୁ ବୀମା କମ୍ପାନି ପକ୍ଷରୁ ସଂପର୍କିତ କଲଫର୍ମେସନ ଆସିଥାଏ ।
ଆଇଆରସିଟିସି ୱେବସାଇଟ୍ ଅନୁଯାୟୀ, ୨୦୨୧ ନଭେମ୍ବର ପହିଲାରୁ ସମସ୍ତ ଟିକସକୁ ମିଶାଇ ପ୍ରିମିୟମ ଯାତ୍ରୀ ପିଛା ୩୫ ପଇସା ରହିଛି। ଅର୍ଥାତ୍ ରେଳ ଯାତ୍ରା ବୀମା ପାଇଁ ଯାତ୍ରୀଙ୍କୁ ମାତ୍ର ୩୫ ପଇସା ଖର୍ଚ୍ଚ କରିବାକୁ ପଡ଼ିବ। ଏହା ବଦଳରେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୀମା କଭର ମିଳୁଛି ।
କେତେ ଦିନ ମଧ୍ୟରେ କ୍ଷତିପୂରଣ ମିଳେ ? କେମିତି କରିବେ କ୍ଲେମ ଫାଇଲ୍ ?
ନିୟମ ଅନୁସାରେ ରେଳଦୁର୍ଘଟଣା ବେଳେ ଯାତ୍ରୀଙ୍କ ମୃତ୍ୟୁ କିମ୍ବା ଆହତ ହେଲେ ବୀମା କମ୍ପାନି କ୍ଷତିପୂରଣ ଦିଏ । ନିୟମ ଅନୁସାରେ ୧୫ ଦିନ ମଧ୍ୟରେ କ୍ଷତିପୂରଣ ମିଳିଥାଏ । ସେହିପରି ଦୁର୍ଘଟଣା ହେବାର ୪ ମାସ ମଧ୍ୟରେ ବୀମା କମ୍ପାନି ନିକଟରେ କ୍ଲେମ ଫାଇଲ୍ କରିହେବ । ଆହତ ଯାତ୍ରୀ କିମ୍ବା ନୋମିନି ଆବଶ୍ୟକ କାଗଜପତ୍ର, ବୀମା ନମ୍ବର, ପରିଚୟ ପତ୍ର ଦାଖଲ କରି କ୍ଲେମ ଫାଇଲ କରିପାରିବେ ।
ରେଳ ଦୁର୍ଘଟଣାରେ ଯଦି କୌଣସି ଯାତ୍ରୀଙ୍କ ମୃତ୍ୟୁ ହୁଏ ତେବେ ପରିବାରକୁ ବୀମା ରାଶି ବାବଦରେ ୧୦ ଲକ୍ଷ ଟଙ୍କା ଦିଆଯାଏ । ଦୁର୍ଘଟଣାରେ ଯାତ୍ରୀ ସମ୍ପୂର୍ଣ୍ଣ ଅକ୍ଷମ ହେଲେ ମଧ୍ୟ ବୀମା କଂପାନି ତାଙ୍କୁ ୧୦ ଲକ୍ଷ ଟଙ୍କା ଦେଇଥାଏ । ଆଂଶିକ ସ୍ଥାୟୀ ଅକ୍ଷମତା ହେଲେ ସାଢ଼େ ୭ ଲକ୍ଷ ଟଙ୍କା ଦିଆଯିବ । ଆହତ ହେଲେ ଡାକ୍ତରଖାନା ଖର୍ଚ୍ଚ ବାବଦରେ ୨ ଲକ୍ଷ ଟଙ୍କା ଦିଆଯାଏ । ଦୁର୍ଘଟଣା ପରେ ଅବଶିଷ୍ଟ ସାମଗ୍ରୀ ପହଞ୍ଚାଇବା ପାଇଁ ପରିବହନ ବାବଦକୁ ୧୦ ହଜାର ଟଙ୍କା ମିଳିଥାଏ ।