ଶିଖ୍‌ ସମ୍ପ୍ରଦାୟଙ୍କ ସହ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମ୍ପର୍କ ପ୍ରସଙ୍ଗରେ ଗ୍ରାହକମାନଙ୍କ ପାଖକୁ ୨ କୋଟି ଇ-ମେଲ୍‌ ପଠାଇଛି ‘ଆଇଆର୍‌ସିଟିସି’

ନୂଆଦିଲ୍ଲୀ: ଶିଖ୍‌ ସମ୍ପ୍ରଦାୟଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ବିଶେଷ ସମ୍ପର୍କ ଉପରେ ଆଲୋକପାତ କରି ଡିସେମ୍ବର ୮ ତାରିଖରୁ ଡିସେମ୍ବର ୧୨ ତାରିଖ ମଧ୍ୟରେ ଭାରତୀୟ ରେଳବାଇର ଅତିରିକ୍ତ ସଂସ୍ଥା ‘ଇଣ୍ଡିଆନ୍‌ ରେଲ୍‌େଓ୍ଵ କ୍ୟାଟରିଙ୍ଗ୍‌ ଆଣ୍ଡ୍‌ ଟୁରିଜମ୍‌ କର୍ପୋରେସନ୍‌’ (ଆଇଆର୍‌ସିଟିସି) ତା’ର ଗ୍ରାହକମାନଙ୍କ ନିକଟକୁ ପ୍ରାୟ ୨ କୋଟି ଇମେଲ୍‌ ପଠାଇଛି।

କୃଷକମାନଙ୍କ ପ୍ରତିବାଦ ସମୟରେ ପଠାଯାଇଥିବା ଏହି ଇମେଲ୍‌ରେ ଶିଖ୍‌ ସମ୍ପ୍ରଦାୟଙ୍କୁ ସମର୍ଥନ କରି ପ୍ରଧାନମନ୍ତ୍ରୀ ମୋଦୀ ଗ୍ରହଣ କରିଥିବା ୧୩ଟି ନିଷ୍ପତ୍ତିର ତାଲିକା ରହିଛି।

Image Courtesy of MBS News

ପ୍ରାପ୍ତ ସୂଚନା ଅନୁସାରେ, ‘ଆଇଆର୍‌ସିଟିସି’ ତା’ର ଗ୍ରାହକମାନଙ୍କ ନିକଟକୁ ‘ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଶିଖ୍‌ମାନଙ୍କ ସହ ତାଙ୍କ ସରକାରଙ୍କର ବିଶେଷ ସମ୍ପର୍କ’ ନାମକ ଏକ ୪୭ପୃଷ୍ଠାବିଶିଷ୍ଟ ପୁସ୍ତିକା ଇମେଲ୍‌ କରିଛି। କୃଷି ବିଲ୍‌ ସଂକ୍ରାନ୍ତରେ ଜନସାଧାରଣଙ୍କୁ ସଚେତନ କରାଇ ଏ ବିଷୟରେ ଉଠିଥିବା ଗୁଜବ ଦୂର କରିବା ଲାଗି ‘ସର୍ବସାଧାରଣଙ୍କ ସ୍ୱାର୍ଥ’ରେ ସରକାର ଏହି ପଦକ୍ଷେପ ଗ୍ରହଣ କରିଛନ୍ତି।

ଏହି ପୁସ୍ତିକା ହିନ୍ଦୀ, ଇଂଗ୍ରାଜୀ ଏବଂ ପଞ୍ଜାବୀ ଭାଷାରେ ଲିଖିତ। ‘ଆଇଆର୍‌ସିଟିସି’ର ସମଗ୍ର ‘ଡାଟାବେସ୍‌’କୁ ଏହି ଇମେଲ୍‌ ପ୍ରେରଣ କରାଯାଇଛି। ଟିକେଟ୍‌ ବୁକିଙ୍ଗ୍‌ କରିବା ସମୟରେ ଯାତ୍ରୀମାନେ ଦେଇଥିବା ସେମାନଙ୍କ ପୂର୍ଣ୍ଣ ବିବରଣୀ ଏହି ‘ଡାଟାବେସ୍‌’ରେ ରହିଛି।

ରେଳବାଇରୁ ଇମେଲ୍‌ରେ ଆସିଥିବା ଉପରୋକ୍ତ ପୁସ୍ତିକା ପାଇବା ପରେ କେତେକ ‘ଆଇଆର୍‌ସିଟିସି’ ବ୍ୟବହାରକାରୀ ସାମାଜିକ ଗଣମାଧ୍ୟମରେ ଏ କଥା ଉଲ୍ଲେଖ କରିଛନ୍ତି।

ସମ୍ବନ୍ଧିତ ଖବର