ବୀମା କମ୍ପାନିଙ୍କୁ ଆଇଆରଡିଏର କଡ଼ା ନିର୍ଦ୍ଦେଶ, ରେଳ ଦୁର୍ଘଟଣା ପୀଡ଼ିତଙ୍କ ବୀମା ଦାବିଗୁଡ଼ିକର ନିଜଆଡ଼ୁ ସମାଧାନ କର

ଭୁବନେଶ୍ବର :ଭାରତୀୟ ବୀମା ନିୟାମକ ଓ ଉନ୍ନୟନ କର୍ତ୍ତୃପକ୍ଷ (ଆଇଆରଡିଏଆଇ) ଓଡ଼ିଶା ରେଳ ଦୁର୍ଘଟଣାରେ ପୀଡ଼ିତଙ୍କ ବୀମା ଦାବିର ଶୀଘ୍ର ସମାଧାନ କରିବାକୁ ବୀମା କମ୍ପାନୀଗୁଡ଼ିକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ଓଡ଼ିଶା ରେଳ ଦୁର୍ଘଟଣାରେ ପୀଡ଼ିତଙ୍କ ବୀମା ଦାବିକୁ ଆପେ ଆପେ ସମାଧାନ କରିବାକୁ ବୀମା ନିୟାମକ ସଂସ୍ଥାମାନଙ୍କୁ କହିଛନ୍ତି। ଏହା ସହ ମୃତକ କିମ୍ବା ଆହତଙ୍କ ତାଲିକା ଦେବାକୁ ପ୍ରଶାସନକୁ କୁହାଯାଇଛି, ଯାହାଦ୍ୱାରା ଯଥାଶୀଘ୍ର ଦାବି ପୈଠ ହୋଇପାରିବ ।

ରେଳ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାର ଏବଂ ଆହତଙ୍କ ପରିବାରକୁ ବୀମା ଦାବି ପାଇବାରେ କୌଣସି ପ୍ରକାର ଅସୁବିଧାରୁ ରକ୍ଷା କରିବା ପାଇଁ ବୀମା ନିୟାମକ ବୀମା କଂପାନିଗୁଡ଼ିକ ପାଇଁ ମାର୍ଗଦର୍ଶିକା ଜାରି କରିଛନ୍ତି। ଭାରତୀୟ ବୀମା ନିୟାମକ ଏବଂ ଉନ୍ନୟନ କର୍ତ୍ତୃପକ୍ଷ (ଆଇଆରଡିଏଆଇ) ସମସ୍ତ ବୀମା କମ୍ପାନୀମାନଙ୍କୁ ତୁରନ୍ତ ଜିଲ୍ଲା ପ୍ରଶାସନ କିମ୍ବା ରେଳ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରି ଟ୍ରେନ୍ ଦୁର୍ଘଟଣାରେ ପ୍ରାଣ ହରାଇଥିବା କିମ୍ବା ଆହତ ହୋଇଥିବା ଲୋକଙ୍କ ତାଲିକା ସଂଗ୍ରହ କରିବାକୁ କହିଛନ୍ତି । ଲୋକମାନଙ୍କୁ ସର୍ବନିମ୍ନ କାଗଜପତ୍ରରେ ବୀମା ଦାବିର ସମାଧାନ କରିବାକୁ କୁହାଯାଇଛି ।

ସୂଚନାଯୋଗ୍ୟ ଯେ ରେଳଯାତ୍ରା ବୀମା ପାଇଁ ଆଇରସିଟିସି ପକ୍ଷରୁ ଏସବିଆଇ ଜେନେରାଲ ଓ ଲିବର୍ଟି ଜେନେରାଲକୁ ନିଯୁକ୍ତ କରାଯାଇଛି ।

ବୀମା ଶିଳ୍ପର ଜଣେ ବ୍ୟକ୍ତି କହିଛନ୍ତି ଯେ ଆମେ ରେଳ ଦୁର୍ଘଟଣାରେ ପୀଡିତଙ୍କ ତାଲିକା ଯାଞ୍ଚ କରିବୁ ଏବଂ ରେଳବାଇଠାରୁ ମତାମତ ନେବା ସହିତ ନିୟମିତ ବୀମା ଦାବି ସମାଧାନ କ୍ଷେତ୍ରରେ ସାଧାରଣତଃ ସଂଗ୍ରହ କରାଯାଉଥିବା କିଛି ନିଶ୍ଚିତ ଦସ୍ତାବିଜ ନ ମାଗି ଶୀଘ୍ର ଦାବିର ସମାଧାନ କରିବୁ। ବୀମା ଶିଳ୍ପର ଜଣେ ବ୍ୟକ୍ତି ଗଣମାଧ୍ୟମକୁ କହିଛନ୍ତି, ଦୁର୍ଘଟଣାଜନିତ ମୃତ୍ୟୁରେ ଆବଶ୍ୟକ ଶବ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରିବା ପରିବର୍ତ୍ତେ ଆମେ ରେଳବାଇ ରିପୋର୍ଟକୁ ଆଧାର ଭାବେ ନେବୁ ଏବଂ ଦାବିର ସମାଧାନ କରିବୁ।

ସମ୍ବନ୍ଧିତ ଖବର