ପରଦାକୁ ଆସିବ ଇର୍‌ଫାନ୍‌ଙ୍କ ‘ଦ ସଙ୍ଗ ଅଫ୍ ସ୍କର୍ପିଅନ୍ସ’

ବଲିଉଡ୍‌ର ଦିବଂଗତ ଅଭିନେତା ଇରଫାନ ଖାନ୍‌ଙ୍କ ଶେଷ ହଲିଉଡ୍‌ ଚଳଚ୍ଚିତ୍ର ‘ଦ ସଙ୍ଗ ଅଫ୍ ସ୍କର୍ପିଅନ୍ସ’ ଖୁବ୍‌ଶୀଘ୍ର ପରଦାକୁ ଆସିବ। ନିକଟରେ ଏହି ଚଳଚ୍ଚିତ୍ରର ଫାଷ୍ଟ ଲୁକ୍‌ ଜାରି କରାଯାଇଛି। ୨୦୨୧ରେ ଚଳଚ୍ଚିତ୍ରଟି ବଡ଼ ପରଦାରେ ମୁକ୍ତିଲାଭ କରିବ। ବିଶିଷ୍ଟ ସିନେ ସମୀକ୍ଷକ ତରଣ ଆଦର୍ଶ ଟ୍ୱିଟ୍‌ର୍‌ରେ ଚଳଚ୍ଚିତ୍ରର ଫାଷ୍ଟଲୁକ୍‌ ସେୟାର କରିଛନ୍ତି। ଅନୁପ ସିଂହଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଫିଲ୍ମକୁ ପାନୋରମା ସ୍ପଟଲାଇଟ୍‌ ଓ ୭୦ ଏମଏମ୍ ଟକିଜ୍‌ ମିଳିତ ଭାବେ କରିଛନ୍ତି। ସେପଟେ ଇର୍‌ଫାନ୍‌ଙ୍କ ପୁଅ ବାବିଲ୍‌ ଏହି ‍ଫିଲ୍ମ ସହ ଜଡ଼ିତ ଏକ ଫଟୋକୁ ସେୟାର୍‌ କରିଛନ୍ତି। ଫଟୋରେ ଇର୍‌ଫାନ୍‌ ଓଟ ସାମ୍‌ନାରେ ବସିଥିବା ଦେଖିବାକୁ ମିଳିଛି। ‍ଫିଲ୍ମରେ ଇର୍‌ଫାନ୍‌ ମୁଖ୍ୟ ଭୂମିକାରେ ଥିବା ବେଳେ ତାଙ୍କ ବିପକ୍ଷରେ ଇରାନୀ ଅଭିନେତ୍ରୀ ଗୋଲଶିଫ୍‌ତେହ୍‌ ଫରାହନି ଅଛନ୍ତି। ଏଥିରେ ଇରଫାନ୍‌ ଜଣେ ଓଟ ବ୍ୟବସାୟୀ ଭୂମିକାରେ ନଜର ଆସିବେ। ସୂଚନାଯୋଗ୍ୟ ଯେ ଦୀର୍ଘ ଦିନ ହେବ କର୍କଟରେ ପୀଡ଼ିତ ହୋଇ ଲଣ୍ଡନରେ ଚିକିତ୍ସିତ ହେଉଥିବା ଇରଫାନ୍‌ ଚଳିତ ବର୍ଷ ଏପ୍ରିଲ ୨୯ ତାରିଖରେ ମୁମ୍ବାଇର ଏକ ହସ୍ପିଟାଲରେ ପ୍ରାଣ ହରାଇଥିଲେ।

ସମ୍ବନ୍ଧିତ ଖବର