ସ୍ବାମୀଙ୍କୁ ବିକ୍ରି କରିବା ପାଇଁ ନିଲାମ ସାଇଟ୍‌ରେ ଆଇରିସ୍ ମହିଳାଙ୍କ ବିଜ୍ଞାପନ

ଡବଲିନ: ଜଣେ ଆଇରିସ୍ ମହିଳା ନିଲାମ ସାଇଟ୍‌ରେ ତାଙ୍କ ସ୍ବାମୀଙ୍କୁ ବିକ୍ରି କରିବା ପାଇଁ ବିଜ୍ଞାପନ ଦେଇଛନ୍ତି। ଏଥି ସହ ସେ ଲେଖିଛନ୍ତି, ଥରେ ବିକ୍ରି ହେଲା ପରେ ଆଉ ଫେରସ୍ତ କିମ୍ବା ବଦଳ ହେବ ନାହିଁ। ତାଙ୍କ ସ୍ବାମୀ ଦୁଇ ପିଲାଙ୍କୁ ତାଙ୍କ ପାଖରେ ଛାଡ଼ି ମାଛ ଧରିବାକୁ ଯାଇଥିବା ବେଳେ ମହିଳା ଜଣକ ଏହି ବିଜ୍ଞାପନ ଦେଇଥିଲେ। ଟ୍ରେଡ୍‌ମି – ନ୍ୟୁଜିଲାଣ୍ଡସ୍ ‘ଇବେ’ରେ ବିଜ୍ଞାପନ ଦେଇଥିବା ମହିଳା ଜଣକ ହେଉଛନ୍ତି ଲିଣ୍ଡା ମ୍ୟାକ୍‌ଆଲିଷ୍ଟର। ସେ ତାଙ୍କ ପୋଷ୍ଟରେ ଲେଖିଛନ୍ତି ଯେ ତାଙ୍କ ସ୍ବାମୀ ଜନ୍ ହେଉଛନ୍ତି ୬ ଫୁଟ୍ ୧ ଇଞ୍ଚ ଉଚ୍ଚ ଏବଂ ବୟସ ୩୭ ବର୍ଷ। ସେ ଶିକାର ଓ ମାଛଧରାକୁ ଭଲ ପାଆନ୍ତି ଏବଂ ସେ ଜଣେ ଗୋମାଂସ ଚାଷୀ (ବିଫ୍ ଫାର୍ମର)। ମହିଳା ଜଣକ ଏ କଥା ବି ଲେଖିଛନ୍ତି ଯେ ତାଙ୍କ ସ୍ବାମୀଙ୍କୁ ଯଦି ଗଣ୍ଡେ ଖାଇବାକୁ ଓ ପିଇବାକୁ ଦିଆଯାଏ, ତେବେ ସଦା ଅନୁଗତ ରହିବେ।

ମହିଳା ଜଣକ ଆହୁରି ଲେଖିଛନ୍ତି, ତାଙ୍କ (ସ୍ବାମୀଙ୍କ) ପାଇଁ କିଛି ଘରୋଇ ତାଲିମ ଦରକାର। ମୋର ବର୍ତ୍ତମାନ ସମୟ ନାହିଁ କି ଧୈର୍ଯ୍ୟ ନାହିଁ। ବିକ୍ରି ହେଉଛି ଫାଇନାଲ, କୌଣସି ଫେରସ୍ତ ନାହିଁ କି ବଦଳ ନାହିଁ। ରିପୋର୍ଟ ଅନୁସାରେ ଲିଣ୍ଡା ଓ ଜନ୍ ୨୦୧୯ରେ ବିବାହ କରିଥିଲେ ଏବଂ ତାଙ୍କର ଦୁଇ ପୁଅ ଅଛନ୍ତି- ୪ ବର୍ଷର କଲ୍‌ଟ ଓ ୬ ବର୍ଷର ରାଇଡର (ବିବାହ ପୂର୍ବରୁ ଜନ୍ମିତ)। ତେବେ କୌତୂହଳର କଥା ହେଉଛି ସ୍ତ୍ରୀ କ’ଣ ବିଜ୍ଞାପନ ଦେଇଛନ୍ତି, ତାହା ଜନ୍‌ଙ୍କୁ ଜଣା ନ ଥିଲା। ତାଙ୍କ ସାଙ୍ଗମାନେ କହିବା ପରେ ସେ ଜାଣିଲେ। ପରେ ୱେବ୍‌ସାଇଟ୍‌ର ସର୍ତ୍ତାବଳି ଉଲ୍ଲଂଘନ ଅଭିଯୋଗରେ ନିଲାମ ବିଜ୍ଞାପନଟିକୁ ସାଇଟ୍‌ରୁ ହଟେଇ ଦିଆଯାଇଥିଲା।

ସମ୍ବନ୍ଧିତ ଖବର