ସଂସଦରେ ରାଜନାଥ ସିଂହଙ୍କ ବିବୃତିରେ ବିରକ୍ତି ପ୍ରକାଶ କରି ଚୀନ୍ କହିଲା ଆମେ ଶାନ୍ତି ଓ ଯୁଦ୍ଧ ଲାଗି ପ୍ରସ୍ତୁତ ଅଛୁ
ନୂଆଦିଲ୍ଲୀ: ଭାରତ-ଚୀନ୍ ସୀମାନ୍ତ ଉତ୍ତେଜନା ଜନିତ ଯେକୌଣସି ପରିସ୍ଥିତିର ମୁକାବିଲା କରିବାକୁ ଭାରତ ପ୍ରସ୍ତୁତ ବୋଲି ଲୋକସଭାରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ଦେଇଥିବା ବିବୃତିରେ ବେଜିଙ୍ଗ୍ ବିରକ୍ତି ପ୍ରକାଶ କରିଛି। ଚେତାବନୀ ଦେଇ ବେଜିଙ୍ଗ୍ କହିଛି ଯେ, ଉଭୟ ଶାନ୍ତି ଓ ଯୁଦ୍ଧ ନିମନ୍ତେ ଚୀନ୍ ପ୍ରସ୍ତୁତ ଅଛି।
Sambad is now on WhatsApp
Join and get latest news updates delivered to you via WhatsApp
ଚୀନ୍ର ରାଷ୍ଟ୍ରାୟତ ଗଣମାଧ୍ୟମ ‘ଗ୍ଲୋବାଲ୍ ଟାଇମ୍ସ’ ସମ୍ପାଦକୀୟରେ ଉଲ୍ଲେଖ ଅଛି ଯେ ମଙ୍ଗଳବାର ଦିନ ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସଂସଦରେ ଅଭିଭାଷଣ ଦେଇଥିଲେ। ଚୀନ୍ ଓ ଭାରତ ସମ୍ପର୍କ ମଧ୍ୟରେ ସୀମାନ୍ତ ସଙ୍କଟର ଶାନ୍ତିପୂର୍ଣ୍ଣ ସମାଧାନ ଉପରେ ଗୁରୁତ୍ବାରୋପ କରିବା ସହ କହିଥିଲେ ଯେ ଭାରତୀୟ ସୈନିକମାନେ ଖୁବ୍ ନୀତିନିଷ୍ଠ ଓ ସାହସୀ।
ସମ୍ପାଦକୀୟରେ ଆହୁରି ମଧ୍ୟ ଉଲ୍ଲେଖ ଅଛି ଯେ, ଆଜିକାଲି ସୀମାନ୍ତ ଅଞ୍ଚଳରେ ଭାରତୀୟ ସେନାର ଚଳପ୍ରଚଳ କମି ଆସିଲାଣି। କାକତାଳୀୟ ନ୍ୟାୟରେ ଏ ଘଟଣା ସିଂହଙ୍କ ଭାଷଣ ସହ ମେଳଖାଉଛି। କିନ୍ତୁ, ଏହା ହେଉଛି ଚୀନ୍ ‘ପିପୁଲ୍ସ୍ ଲିବରେସନ୍ ଆର୍ମି’ର ପ୍ରଚଣ୍ଡ ଚାପର ପରିଣାମ।
ଏହି ଆଲେଖ୍ୟର ରଚୟିତା ହେଉଛନ୍ତି ‘ଗ୍ଲୋବାଲ୍ ଟାଇମ୍ସ’ର ମୁଖ୍ୟ ସଂପାଦକ ହୁ ଜିଜିନ୍। ଏଥିରେ ଦାବି କରାଯାଇଛି ଯେ, ଭାରତ-ଚୀନ୍ ସୀମାନ୍ତ ଅଞ୍ଚଳରେ ‘ପିପୁଲ୍ସ୍ ଲିବରେସନ୍ ଆର୍ମି’ର ବର୍ଦ୍ଧିତ ସୈନ୍ୟ ମୁତୟନ ଯୋଗୁଁ ଭାରତୀୟ ସେନା ଭାବୁଛନ୍ତି ଯେ, ଚୀନ୍ ସହ ଯୁଦ୍ଧରେ ବ୍ୟାପୃତ ହେବା ଉତ୍ତମ ବିକଳ୍ପ ନୁହେଁ।
ଏଥିରେ ଆହୁରି ମଧ୍ୟ ଉଲ୍ଲେଖ ଅଛି ଯେ, ଭାରତରେ ଭିନ୍ନ ଭିନ୍ନ ଶକ୍ତି ଅଛନ୍ତି। କେତେକ ଉଗ୍ର-ଜାତୀୟବାଦୀ ସୁବିଧା ଉପାୟକୁ ଅଗ୍ରାହ୍ୟ କରି କଠିନ ଉପାୟକୁ ସମର୍ଥନ କରୁଛନ୍ତି। ଚୀନ୍ ଭାରତ ସହ କୂଟନୈତିକ ବୁଝାମଣା ଚଳାଇଥିବା ବେଳେ ସେ ଶକ୍ତିମାନେ ବୁଝୁଥିବା ଏକ ମାତ୍ର ଭାଷାକୁ ମଧ୍ୟ ଚୀନ୍ ବ୍ୟବହାର କରିବ। ତାହା ହେଲା ସଂଗ୍ରାମ ମାଧ୍ୟମରେ ହାସଲ ହୋଇଥିବା ସହଯୋଗ ଦୀର୍ଘସ୍ଥାୟୀ ହୁଏ।
ଉପସଂହାରରେ ଏହି ଆଲେଖ୍ୟରେ କୁହାଯାଇଛି, ଚୀନ୍-ଭାରତ ସୀମାନ୍ତ ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ଚୀନ୍ ଯଥେଷ୍ଟ ଉଦ୍ୟମ କରିବା ଉଚିତ। କିନ୍ତୁ, ତା’ର ସେନା ପ୍ରସ୍ତୁତ ରଖିବା ଜରୁରୀ।