ନୂଆଦିଲ୍ଲୀ: ବାହାଘରରେ ପୁଳା ପୁଳା ଟଙ୍କା ଖର୍ଚ୍ଚ କରିବାକୁ ଚାଁହୁଥିବା ଲୋକଙ୍କୁ କଡା ଜବାବ ଦେଲେ ଅଫିସର ଯୋଡି | ଭାରତୀୟ ଡ଼ାକସେବାର ଅଧିକାରୀ ଶିବମ୍ ତ୍ୟାଗୀ ଓ ଭାରତୀୟ ରାଜସ୍ବ ସେବାର ଅଧିକାରୀ ଥିବା ଆର୍ଯ୍ୟା ନାୟର ଜାନୁୟାରୀ ୨୭ ତାରିଖରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି | ଉଭୟ କେରଳର କୋଟ୍ଟାୟମରେ ବିବାହ କରିଛନ୍ତି | ବିବାହ ପରେ ଏମିତି ଏକ ଶପଥ ନେଇଛନ୍ତି ଯାହାକୁ ନେଇ ଦୁହିଁଙ୍କ ପରିବାର ମଧ୍ୟରେ ଏବେ ଆଲୋଚନା ଜୋର ଧରିଛି | ବାସ୍ତବରେ ଶିବମ୍ ଓ ଆର୍ଯ୍ୟା ସବ-ରେଜିଷ୍ଟ୍ରର ଅଫିସରେ ବିବାହ କରିଥିଲେ | ଉଭୟ ନିଷ୍ପତ୍ତି ନେଇଥିଲେ ଯେ ବଡ ଆକାରରେ ବିବାହ ଉତ୍ସବ କରି ଟଙ୍କା ଖର୍ଚ୍ଚ କରିବେ ନାହିଁ ବରଂ ସେହି ଟଙ୍କା ସହ ନିଜ ଦରମାକୁ ମିଶାଇ ଏକ ଅନାଥାଶ୍ରମର ୨୦ ଜଣ ପିଲାଙ୍କ ପାଠପଢା ଖର୍ଚ୍ଚ ବହନ କରିବାକୁ ଶପଥ ନେଇଥିଲେ | ୨୦୨୧ ବ୍ୟାଚର ଆଇଆରଏସ ଅଧିକାରୀ ଆର୍ଯ୍ୟା କହିଛନ୍ତି ମୋର ପିତାମାତା ସରକାରୀ ସେବାରୁ ଅବସର ନେଇଛନ୍ତି। ପ୍ରଥମେ ସେମାନେ ଆମର ଏଭଳି ନିରାଡ଼ମ୍ବର ବିବାହକୁ ପସନ୍ଦ କରି ନଥିଲେ |
ସେମାନେ ଅନେକ ବିବାହ କାର୍ଯ୍ୟରେ ଯୋଗ ଦେଇଥିବାରୁ ଏହା ସ୍ୱାଭାବିକ ଥିଲା ଯେ ସେ ସମସ୍ତଙ୍କୁ ନିମନ୍ତ୍ରଣ କରିବାକୁ ମଧ୍ୟ ଚାହୁଁଥିଲେ | ଅନାଥ ପିଲାମାନଙ୍କର ଶିକ୍ଷା ଖର୍ଚ୍ଚ ବହନ କରିବାକୁ ଆମର ନିଷ୍ପତ୍ତି ମଧ୍ୟ ଆମ ସମ୍ପର୍କୀୟମାନେ ପସନ୍ଦ କରୁନଥିଲେ। କିନ୍ତୁ ବର୍ତ୍ତମାନ ସମସ୍ତେ ଆମକୁ ପ୍ରଶଂସା କରୁଛନ୍ତି।
ଇଞ୍ଜିନିୟରିଂ ସ୍ନାତକ କରିଥିବା ଆର୍ଯ୍ୟା କହିଛନ୍ତି ଯେ ତାଙ୍କ ନିଷ୍ପତ୍ତି ସେମାନଙ୍କୁ ପ୍ରେରଣା ଦେବ ଯେଉଁମାନେ ବିପୁଳ ଟଙ୍କା ଖର୍ଚ୍ଚ କରି ବିବାହ କରିବାକୁ ଚାଁହୁଛନ୍ତି | ଏନେଇ ଶିବମ୍ କହିଛନ୍ତି, “ଏକ ସରଳ ବିବାହର ଧାରଣା ଆର୍ଯ୍ୟାଙ୍କ ପାଖରୁ ଆସିଥିଲା। ମୋର ସମ୍ପର୍କୀୟମାନଙ୍କ ପାଇଁ ଏହା ଏକ ଝଟକା ଥିଲା କାରଣ ସେମାନେ ବିବାହ ଉତ୍ସବକୁ ଅପେକ୍ଷା କରିଥିଲେ | ଆଗାମୀ ବର୍ଷରେ ମଧ୍ୟ ଆମେ ଅନାଥ ଆଶ୍ରମର ଛାତ୍ରମାନଙ୍କୁ ସେମାନଙ୍କର ପାଠପଢା ଖର୍ଚ୍ଚ ଦେବାରେ ସାହାଯ୍ୟ କରିବୁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/02/348fd1d3-4191-455c-8b1c-7c230d599754.jpg)