ବରିଷ୍ଠ ଅଧିକାରୀଙ୍କ କାର୍ଯ୍ୟକାଳ ବୃଦ୍ଧିରେ ଆଇଆର୍‌ଏସ୍‌ ଅଫିସର ସଂଘ କ୍ଷୁବ୍ଧ

ନୂଆଦିଲ୍ଲୀ : କେନ୍ଦ୍ରୀୟ ପରୋକ୍ଷ ‌କର ବୋର୍ଡ (ସିବିଆଇସି)ରେ ନିଯୁକ୍ତ ବରିଷ୍ଠ ଅଧିକାରୀମାନଙ୍କ କାର୍ଯ୍ୟକାଳ ଅବସର ପରେ ବୃଦ୍ଧି କରାଯାଉଥିବାରୁ ଏଥିରେ ଭାରତୀୟ ରାଜସ୍ବ ସେବା (ଆଇଆର୍‌ଏସ୍‌) ଅଫିସର ସଂଘ ଉତ୍‌କ୍ଷିପ୍ତ ହୋଇଛି। ବରିଷ୍ଠ ଅଧିକାରୀମାନଙ୍କ ପୁନଃନିଯୁକ୍ତି ଏବଂ କାର୍ଯ୍ୟକାଳ ବୃଦ୍ଧିକୁ ସଂଘ ନିନ୍ଦା କରିଛି। ଗୋଟିଏ ପଟେ କିଛି ଅଧିକାରୀଙ୍କ ନ୍ୟସ୍ତ ସ୍ବାର୍ଥ ଏବଂ ଲବିକୁ ଏହା ପ୍ରୋତ୍ସାହିତ କରିବା ସହିତ ଅନ୍ୟପକ୍ଷରେ ତଳପାହ୍ୟାରେ ଥିବା ଅଧିକାରୀମାନଙ୍କୁ ଏହା ନିରୁତ୍ସାହିତ କରୁଛି। ସିବିଆଇସିର ଜଣେ ସଦସ୍ୟଙ୍କ କାର୍ଯ୍ୟକାଳ ବୃଦ୍ଧିର ବର୍ଷକ ପରେ ଆଇଆରଏସ୍‌ ଅଫିସର ସଂଘର କିଛି ସଦସ୍ୟ କହିଛନ୍ତି ଆଗାମୀ ଦିରେ କିଛି ଅଧିକାରୀଙ୍କ କାର୍ଯ୍ୟକାଳ ସଂପ୍ରସାରଣ ଏବଂ ପୁନଃନିଯୁକ୍ତି ଉପରେ ସରକାର ସକ୍ରିୟତାର ସହ ବିଚାର କରୁଛନ୍ତି। ଉଭୟ ସିବିଆଇସି ଏବଂ ସିବିଡିଟି ସଦସ୍ୟଙ୍କ କାର୍ଯ୍ୟକାଳ ବୃଦ୍ଧିକୁ ସଂଘ ବିରୋଧ କରିଛି।

ଅବସର ପରେ କିଛି ଅଧିକାରୀଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯାଉଥିବାରୁ ବିଭାଗର ପୂରା ପଦ୍ନୋନତି ଶୃଙ୍ଖଳ ବାଧାପ୍ରାପ୍ତ ହେଉଛି। ଯେତେବେଳେ ବହୁସଂଖ୍ୟାରେ ଦକ୍ଷ ଅଧିକାରୀ ପଦୋନ୍ନତି ଅପେକ୍ଷାରେ ରହିଛନ୍ତି ସେଭଳି ସମୟରେ ଏହି ସ୍ଥିତି ଉପୁଜିଛି ବୋଲି ସଂଘ କହିଛି। ଉଲ୍ଲେଖଯୋଗ୍ୟ ଏବେ ସିବିଆଇସିର ସଦସ୍ୟ ଥିବା ସନ୍ଦୀପ ମୋହନ ଭଟ୍ଟନାଗରଙ୍କର ବର୍ଷକ ତଳେ ଗତବର୍ଷ ଅଗଷ୍ଟରେ କାର୍ଯ୍ୟକାଳ ବଢ଼ିଥିଲା। ସଂଘ ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପି କେ ମିଶ୍ରଙ୍କୁ ଏ ନେଇ ଚିଠି ଦିଆଯାଇଛି ବୋଲି ସର୍ବ ଭାରତୀୟ ଆଇଆରଏସ ଅଫିସର ସଂଘ (ସୀମା ଶୁଳ୍କ ଏବଂ ପରୋକ୍ଷ ଟିକସ ଅଧିକାରୀ)ର ସଭାପତି ନରେଶ ପେନୁମ୍ବକା କହିଛନ୍ତି।

ସମ୍ବନ୍ଧିତ ଖବର