ନୂଆଦିଲ୍ଲୀ: ଆଲିଗଡ଼ ମୁସଲିମ ବିଶ୍ୱବିଦ୍ୟାଳୟ (ଏଏମ୍‌ୟୁ) ଏକ ସଂଖ୍ୟାଲଘୁ ଅନୁଷ୍ଠାନ କି? ୧୯୬୭ ମସିହାରେ ସଂଖ୍ୟାଲଘୁ ମାନ୍ୟତା ଉଚ୍ଛେଦ କରିଥିବା ଏକ ଗୁରୁତ୍ୱପୂର୍ଣ୍ଣ ରାୟକୁ ପ୍ରତ୍ୟାହାର କରିବା ପାଇଁ ସୁପ୍ରିମ୍‌କୋର୍ଟର ୭ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ଶୁକ୍ରବାର ୪:୩ରେ ରାୟ ଶୁଣାଇବା ସହ ଏହାକୁ ପୁନଶ୍ଚ ଉକ୍ତ ମାନ୍ୟତା ଦିଆଯିବା ଉଚିତ କି ନୁହେଁ, ସେ ନେଇ ନିଷ୍ପତ୍ତି ନେବା ଲାଗି ଏକ ନିୟମିତ ଓ ବର୍ତ୍ତମାନ ସୁଦ୍ଧା ଗଠିତ ହୋଇ ନ ଥିବା ଏକ ଖଣ୍ଡପୀଠ ଉପରେ ଦାୟିତ୍ବ ଛାଡ଼ିଦେଇଛନ୍ତି। ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ତାଙ୍କ ଶେଷ କାର୍ଯ୍ୟଦିବସରେ ବହୁମତ ରାୟ ଲେଖିଥିବା ବେଳେ ଆଇନ ଦ୍ୱାରା ଗଠିତ ଏକ ଅନୁଷ୍ଠାନ ସଂଖ୍ୟାଲଘୁ ମାନ୍ୟତା ଦାବି କରିପାରିବ ନାହିଁ ବୋଲି ପୂର୍ବରୁ ଦିଆଯାଇଥିବା ରାୟକୁ ଖାରଜ କରିଦେଇଛନ୍ତି। କିନ୍ତୁ ଏହା ଏଏମ୍‌ୟୁ ସହ ସମ୍ବନ୍ଧିତ ହୋଇଥିବାରୁ ଏହି ପ୍ରଶ୍ନକୁ ନିୟମିତ ଖଣ୍ଡପୀଠଙ୍କ ଉପରେ ଛାଡ଼ି ଦେଇଛନ୍ତି, ଯେଉଁ ଖଣ୍ଡପୀଠ ବର୍ତ୍ତମାନ ସୁଦ୍ଧା ଗଠିତ ହୋଇନାହିଁ। ଆଜି ସାମ୍ବିଧାନିକ ଖଣ୍ଡପୀଠରେ ବହୁମତ ରାୟ ସହ ଏକମତ ହୋଇ ନ ଥିବା ତିନି ଜଣ ବିଚାରପତି ହେଉଛନ୍ତି ଜଷ୍ଟିସ ସୂର୍ଯ୍ୟକାନ୍ତ, ଦୀପଙ୍କର ଦତ୍ତ ଓ ଜଷ୍ଟିସ ଏସ୍‌ସି ଶର୍ମା। ଅନ୍ୟ ତିନି ଜଣ ବିଚାରପତି ଜଷ୍ଟିସ୍ ସଞ୍ଜୀବ ଖାନ୍ନା (ଯିଏ ପରବର୍ତ୍ତୀ ପ୍ରଧାନ ବିଚାରପତି ହେବେ), ଜେବି ପାର୍ଦିୱାଲା ଓ ମନୋଜ ମିଶ୍ର ଏବଂ ବିଦାୟୀ ପ୍ରଧାନ ବିଚାରପତି ଚନ୍ଦ୍ରଚୂଡ଼ ସଂଖ୍ୟାଗରିଷ୍ଠ ମତ ଦେଇଥିଲେ। ଏହା ପୂର୍ବରୁ ଖଣ୍ଡପୀଠ ଫେବ୍ରୁଆରି ୧ ତାରିଖରେ ରାୟ ସଂରକ୍ଷିତ ରଖିଥିଲେ।

Advertisment

ବହୁମତ ରାୟ
ସଂଖ୍ୟାଗରିଷ୍ଠ ରାୟ ପଢ଼ି ପ୍ରଧାନ ବିଚାରପତି କହିଥିଲେ ଯେ, ସଂଖ୍ୟାଲଘୁ ମାନ୍ୟତା କଥା ବିଚାର କରିବାକୁ ଗଲାବେଳେ କେଉଁ କାରଣ ଓ ଉଦ୍ଦେଶ୍ୟକୁ ନେଇ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା ତାହା ଦେଖିବାକୁ ପଡ଼ିବ। ଏହା ୧୮୭୫ ମସିହାରେ ମହମ୍ମଡାନ୍ ଆଙ୍ଗ୍ଲୋ-ଓରିଏଣ୍ଟାଲ କଲେଜ ଭାବରେ ସ୍ଥାପିତ ହୋଇଥିଲା ଏବଂ ୧୯୨୦ରେ ବ୍ରିଟିସରାଜ ଦ୍ୱାରା ବିଶ୍ୱବିଦ୍ୟାଳୟରେ ପରିଣତ ହୋଇଥିଲା - ଏହାର ଅର୍ଥ ନୁହେଁ ଯେ ଏହା ଏକ ସଂଖ୍ୟାଲଘୁ ସମ୍ପ୍ରଦାୟର ସଦସ୍ୟଙ୍କ ଦ୍ୱାରା ‘ପ୍ରତିଷ୍ଠିତ’ ହୋଇ ନଥିଲା। ଅଦାଲତ କହିଛନ୍ତି, କେବଳ ସଂଖ୍ୟାଲଘୁ ସମ୍ପ୍ରଦାୟର ହିତ ପାଇଁ ଏହା ପ୍ରତିଷ୍ଠା ହୋଇ ନ ଥିଲା କିମ୍ବା ଏହାର ପ୍ରଶାସନରେ କେବଳ ସେହି ସମ୍ପ୍ରଦାୟର ସଦସ୍ୟମାନେ ରହିବା ଜରୁରୀ ନୁହେଁ। ସଂଖ୍ୟାଲଘୁ ଅନୁଷ୍ଠାନଗୁଡ଼ିକ ମଧ୍ୟ ଧର୍ମନିରପେକ୍ଷ ଶିକ୍ଷା ଉପରେ ଗୁରୁତ୍ୱ ଦେଇପାରନ୍ତି। ଅଦାଲତ ଏହା ମଧ୍ୟ କହିଛନ୍ତି ଯେ ସରକାର ସଂଖ୍ୟାଲଘୁ ଶିକ୍ଷାନୁଷ୍ଠାନଗୁଡ଼ିକୁ ନିୟନ୍ତ୍ରଣ କରିପାରିବେ କିନ୍ତୁ ଅନୁଷ୍ଠାନର ମୂଳ ଚରିତ୍ରକୁ ଉଲ୍ଲଂଘନ କରିବେ ନାହିଁ।

୪:୩ରେ ସୁପ୍ରିମ୍‌କୋର୍ଟଙ୍କ ବିଭାଜିତ ରାୟ

ଭିନ୍ନମତ
ଅସନ୍ତୁଷ୍ଟ ବିଚାରପତିଙ୍କ ମଧ୍ୟରୁ ଜଷ୍ଟିସ ଦତ୍ତ ରାୟ ଦେଇଛନ୍ତି ଯେ ଏଏମ୍‌ୟୁ ଏକ ସଂଖ୍ୟାଲଘୁ ଅନୁଷ୍ଠାନ ନୁହେଁ। ଜଷ୍ଟିସ ଶର୍ମା କହିଛନ୍ତି ଯେ ଏକ ସଂଖ୍ୟାଲଘୁ ସମ୍ପ୍ରଦାୟ ନିଜ ଲୋକଙ୍କ ସେବା କରୁଥିବା ଅନୁଷ୍ଠାନଗୁଡ଼ିକୁ ନିୟନ୍ତ୍ରଣ କରିପାରିବେ କିନ୍ତୁ ଏଥିରେ ହସ୍ତକ୍ଷେପ କରିବା ଉଚିତ ନୁହେଁ। ତେବେ ସେମାନେ ନିଜ ଛାତ୍ରଛାତ୍ରୀଙ୍କୁ ଧର୍ମନିରପେକ୍ଷ ଶିକ୍ଷାର ବିକଳ୍ପ ଦେବା ଦରକାର। ସୂଚନାଯୋଗ୍ୟ, ଫେବ୍ରୁଆରି ମାସରେ ହୋଇଥିବା ଶୁଣାଣିରେ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଓ ଅନ୍ୟମାନେ କହିଥିଲେ ଯେ ଏଏମ୍‌ୟୁ କେନ୍ଦ୍ର ସରକାରଙ୍କଠାରୁ ୨୦୧୯ରୁ ୨୦୨୩ ମଧ୍ୟରେ ୫,୦୦୦ କୋଟି ଟଙ୍କାରୁ ଅଧିକ ପାଣ୍ଠି ପାଇଥିବାରୁ ଏହା ନିଜର ସଂଖ୍ୟାଲଘୁ ଚରିତ୍ରକୁ ଆତ୍ମସମର୍ପଣ କରିଛି। ୨୦୦୬ରେ ଆହ୍ଲାବାଦ ହାଇକୋର୍ଟ ୧୯୮୧ ସଂଶୋଧନକୁ ଖାରଜ କରି କହିଥିଲେ ଯେ ଏଏମ୍‌ୟୁ ଏକ ସଂଖ୍ୟାଲଘୁ ଅନୁଷ୍ଠାନ ନୁହେଁ। କେନ୍ଦ୍ରରେ କଂଗ୍ରେସ ନେତୃତ୍ୱାଧୀନ ଉପା ସରକାର ୨୦୦୬ ହାଇକୋର୍ଟ ରାୟ ବିରୋଧରେ ଆବେଦନ କରିବା ପରେ ଏହି ମାମଲା ସୁପ୍ରିମକୋର୍ଟକୁ ଯାଇଥିଲା। ଏହି ରାୟ ବିରୋଧରେ ବିଶ୍ୱବିଦ୍ୟାଳୟ ପକ୍ଷରୁ ପୃଥକ୍ ପିଟିସନ୍ ଦାଖଲ କରାଯାଇଥିଲା। ତତ୍କାଳୀନ ପ୍ରଧାନ ବିଚାରପତି ରଂଜନ ଗୋଗୋଇଙ୍କ ନେତୃତ୍ୱରେ ଗଠିତ ତିନି ଜଣିଆ ଖଣ୍ଡପୀଠ ଏହାକୁ ବୃହତ୍ ଖଣ୍ଡପୀଠକୁ ପଠାଇଥିଲେ। ଏହା ପୂର୍ବରୁ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର- ପୂର୍ବ କଂଗ୍ରେସ ସରକାରଙ୍କ ଆବେଦନ ପ୍ରତ୍ୟାହାର କରିବେ ବୋଲି କହିଥିଲେ, ୧୯୮୧ର ବିବାଦୀୟ ସଂଶୋଧନକୁ ଗ୍ରହଣ କରିବାକୁ ମନା କରିଦେଇଥିଲେ ଏବଂ ଏଏମ୍‌ୟୁ ସରକାରୀ ପାଣ୍ଠି ବ୍ୟବହାର କରୁଥିବା ପ୍ରସଙ୍ଗକୁ ଉଲ୍ଲେଖ କରି ସର୍ବୋଚ୍ଚ ନ୍ୟାୟାଳୟର ୧୯୬୭ର ରାୟକୁ ଫେରିବାକୁ ଚେଷ୍ଟା କରିଥିଲେ।