ପଞ୍ଜାବର ମୋଗା ଜିଲ୍ଲାରେ ଲୁଚିଛି କି ଅମୃତପାଲ୍ ?

ଚଣ୍ଡିଗଡ଼ : ଫେରାର ଖଲିସ୍ତାନ ସମର୍ଥକ ଅମୃତପାଲ ସିଂ ପଞ୍ଜାବର ମୋଗା ଜିଲ୍ଲାରେ ଲୁଚି ରହିଥିବା ଅନୁମାନ କରାଯାଉଛି । ସେ ଲୁଚି ରହିଥିବା ନେଇ ପୁଲିସକୁ ସୂତ୍ରରୁ ସୂଚନା ମିଳିଛି। ଏହାପରେ ମୋଗାରେ ପୁଲିସର ସର୍ଚ୍ଚ ଅପରେସନ ଆରମ୍ଭ ହୋଇଛି ଓ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି । ଜିଲ୍ଲାର ବିଭିନ୍ନ ଯାନବାହନ ଯାଞ୍ଚ କରାଯାଉଛି। ପୁଲିସ ଘଟଣାସ୍ଥଳରେ ଖୋଜାଖୋଜି ଜାରି ରଖିଛି। ସେପଟେ ଅମୃତପାଲର ଘରେ ଚଢ଼ାଉ କରି ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି। ପୁଲିସ ୫ଟି ଗାଡ଼ି, ୱାକି ଟକି ଓ ବୁଲେଟ୍ ପ୍ରୁଫ୍ ଜ୍ୟାକେଟ୍ ଜବତ କରିଛି। ବର୍ତ୍ତମାନ ସୁଦ୍ଧା ଅମୃତପାଲର ମୋଟ ୧୫୪ ଜଣ ସହଯୋଗୀଙ୍କୁ ଗିରଫ କରାଯାଇଛି ।

ସେପଟେ ଜଳନ୍ଧର ଏସଏସପି ସ୍ୱର୍ଣ୍ଣଦୀପ ସିଂ କହିଛନ୍ତି ଯେ ଅମୃତପାଲ ସିଂ ଯେଉଁ  ବଜାଜ ପ୍ଲାଟିନା ବାଇକରେ ଫେରାର ହୋଇଯାଇଥିଲା ତାହାକୁ ଜବତ କରାଯାଇଛି । ଜଳନ୍ଧର ସହରଠାରୁ ୪୫ କିଲୋମିଟର ଦୂର ଦାରାପୁର ଅଞ୍ଚଳର କେନାଲ କୂଳରୁ ଜଳନ୍ଧର ପୁଲିସ ପରିତ୍ୟକ୍ତ ଅବସ୍ଥାରେ ଏହି ବାଇକ୍ ଜବତ କରିଛି । ହୋସିଆରପୁରରୁ ଏକ ବ୍ରିଜା କାର୍ ଜବତ କରାଯାଇଛି। ଅମୃତପାଲଙ୍କୁ ଖସିଯିବାରେ ସାହାଯ୍ୟ କରିଥିବା ୪ ଜଣଙ୍କୁ ମଧ୍ୟ ପୁଲିସ ଗିରଫ କରିଛି ।

ବୁଧବାର ଦିନ ପୋଲିସର ଏକ ଟିମ୍ ଅମୃତସରସ୍ଥିତ ଅମୃତପାଲ ଘରେ ପହଞ୍ଚି ପରିବାର ଲୋକଙ୍କୁ ପଚରାଉଚରା କରିଥିଲା। ଏବେ ଅମୃତପାଲଙ୍କ ପରିବାରର ବ୍ୟାଙ୍କ ଆକାଉଣ୍ଟ ଉପରେ ପୁଲିସ ନଜର ରଖିଛି ।

ସମ୍ବନ୍ଧିତ ଖବର