ହାଇଦ୍ରାବାଦ : ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ ତାଙ୍କ ଓଡାର୍ପୁ ଯାତ୍ରା ରାଲିରେ ଜନସାଧାରଣଙ୍କୁ ହାତଯୋଡ଼ି ନିବେଦନ କରିଥିଲେ ‘ଓକ୍କା ଚାନ୍ସ ଇୱାଣ୍ଡି’ (ମୋତେ ଗୋଟିଏ ଚାନ୍ସ ଦିଅନ୍ତୁ)। ସେତେବେଳେ ସେ ବିରୋଧୀ ଦଳର ନେତା ଥିଲେ। ଏହି ସ୍ଲୋଗାନ ଏମିତି ମ୍ୟାଜିକ୍ ପରି କାମ ଦେଲା ଯେ ୨୦୧୯ ନିର୍ବାଚନରେ ୱାଇଏସ୍ଆର୍ କଂଗ୍ରେସ ଟିଡିପିକୁ ଚିତ୍ପଟାଙ୍ଗ କରି ପୂର୍ଣ୍ଣ ସଂଖ୍ୟାଗରିଷ୍ଠତାରେ କ୍ଷମତାକୁ ଆସିଲା।
ତେଲେଙ୍ଗାନା ବିଜେପି ମୁଖ୍ୟ ବଣ୍ଡି ସଞ୍ଜୟ କୁମାର ରାଜ୍ୟରେ ଟିଆର୍ଏସ୍କୁ ତଡ଼ି କ୍ଷମତା ଦଖଲ କରିବା ପାଇଁ ଜଗନଙ୍କ ସେଇ ଫର୍ମୁଲା ଅବଲମ୍ବନ କରିବା ପରି ଜଣାପଡ଼ୁଛି। ୨୦୨୩ରେ ବିଧାନସଭା ନିର୍ବାଚନ ଥିବା ବେଳେ ରାଜ୍ୟରେ ଡବଲ ଇଂଜିନ ସରକାର ଗଠନ ପାଇଁ ‘ବିଜେପିକୁ ଗୋଟିଏ ଚାନ୍ସ ଦିଅ’ ବୋଲି ସଞ୍ଜୟ ବିଭିନ୍ନ ରୢାଲି ଓ ପଥପାର୍ଶ୍ବ ସଭାଗୁଡ଼ିକରେ ଲୋକଙ୍କୁ ଅନୁରୋଧ କରିବା ଦେଖିବାକୁ ମିଳୁଛି। ତେବେ ରାଜ୍ୟ ବିଜେପି ନେତାମାନେ ଜଗନଙ୍କ ଫର୍ମୁଲା ଆପଣେଇବା କଥାକୁ ଅସ୍ବୀକାର କରି କହୁଛନ୍ତି ଯେ ‘ଆମେ ହଉଛୁ ରାଜ୍ୟ ଓ ଦେଶର ଏକ ପୁରାତନ ଦଳ’। ଆନ୍ଧ୍ରପ୍ରଦେଶରେ ଟିଡିପି, କଂଗ୍ରେସ ମେଣ୍ଟ ଓ ଟିଆର୍ଏସ୍ ସମସ୍ତଙ୍କୁ ଚାନ୍ସ ଦିଆଯାଇଛି। କିନ୍ତୁ କେହି ଲୋକଙ୍କ ସମସ୍ୟା ଦୂର କରିପାରି ନାହାନ୍ତି। ଜଗନଙ୍କ ପ୍ରଚାର ଭିନ୍ନ ଥିଲା ବୋଲି ଜଣେ ବରିଷ୍ଠ ବିଜେପି ନେତା କହିଛନ୍ତି।
ତେବେ ୨୦୨୦ରେ ଅନୁଷ୍ଠିତ ହାଇଦ୍ରାବାଦ ପୌର ନିର୍ବାଚନରେ ବିଜେପି ଭଲ ଫଳ ପାଇଥିବା ବେଳେ ଏହି ସ୍ଲୋଗାନ ଉପରେ ଏବେ ଜୋର ଦେଉଥିବା ଦେଖିବାକୁ ମିଳୁଛି।