ପରିବାର ସହ ନିଜକୁ ବିସ୍ଫୋରଣରେ ଉଡ଼ାଇଲା ଆଇଏସ୍‌ ମୁଖିଆ: ସିରିଆରେ ଆମେରିକାର ସ୍ବତନ୍ତ୍ର ଅପରେସନ

ଯେଉଁଠି ଲୁଚିଲେ ବି ଖୋଜି ଖୋଜି ମାରିବୁ: ବାଇଡେନ

ଆତ୍‌ମେ, ସିରିଆ: ସିରିଆରେ ଆମେରିକାର ଆତଙ୍କବାଦୀ ଦମନ ଅଭିଯାନରେ ଆଇଏସ୍‌ଆଇଏସ୍‌ (ଇସ୍‌ଲାମିକ୍‌ ଷ୍ଟେଟ୍‌ ଅଫ୍‌ ଇରାକ୍‌ ଆଣ୍ଡ୍‌ ସିରିଆ) ମୁଖ୍ୟ ଅବୁ ଇବ୍ରାହିମ ଅଲ୍‌ ହାସିମି ଅଲ କୁରାସି ନିପାତ ହୋଇଛି ବୋଲି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଆଜି କହିଛନ୍ତି। ଗତରାତିରେ ତାଙ୍କ ନିର୍ଦ୍ଦେଶକ୍ରମେ ଆମେରିକା ସାମରିକ ବାହିନୀର ଏକ ସ୍ବତନ୍ତ୍ର ଅପରେସନ୍‌ ସଫଳ ହୋଇଛି। ଆଇଏସ୍‌ ମୁଖିଆ ଅବୁ ଇବ୍ରାହିମକୁ ଚାରିପଟେ ଘେରିଯିବା ପରେ ସେ ନିଜକୁ ପରିବାର ସହିତ ବିସ୍ଫୋରଣ କରି ଉଡ଼ାଇ ଦେଇଛି। ଏହି ଅପରେସନ୍‌ରେ ନିୟୋଜିତ ସମସ୍ତ ଆମେରିକୀୟ ସୁରକ୍ଷିତ ଭାବେ ଫେରିଛନ୍ତି ବୋଲି ବାଇଡେନ୍‌ କହିଛନ୍ତି। ଆମେରିକୀୟ କମାଣ୍ଡୋ ଅବୁ ଇବ୍ରାହିମ୍‌କୁ ଘେରିଯିବା ପରେ ସେ ରହୁଥିବା ତୃତୀୟ ମହଲାରେ ଶକ୍ତିଶାଳୀ ବିସ୍ଫୋରଣ ଘଟାଇଥିଲା। ଏଥିରେ ଅବୁ ଇବ୍ରାହିମ ସମେତ ପରିବାରର ୪ ଜଣ ମହିଳା ଓ ୬ ଶିଶୁଙ୍କର ମଧ୍ୟ ମୃତ୍ୟୁ ହୋଇଛି। ଏହି ଅପରେସନ୍‌ ଆତଙ୍କବାଦୀ ସଂଗଠନ ପାଇଁ ବହୁତ ବଡ଼ ଧକ୍କା ବୋଲି କୁହାଯାଉଛି। ଆଇଏସ୍‌ର ପୂର୍ବ ମୁଖ୍ୟ ଅବୁ ବକର ଅଲ ବାଗ୍‌ଦାଦି ୨୦୧୯ରେ ନିପାତ ହେବାପରେ ସେହିଭଳି ସମାନ ଢଙ୍ଗରେ ଅବୁ ଇବ୍ରାହିମ ନିପାତ ହୋଇଛି। ସିରିଆ ମାନବାଧିକାର ସଂସ୍ଥାର ପର୍ଯ୍ୟବେକ୍ଷକଙ୍କ ସୂଚନା ଅନୁଯାୟୀ ଆମେରିକାର ଏହି ଅପରେସନ୍‌ରେ ୧୩ ଜଣଙ୍କ ମୃତ୍ୟୁ ହୋଇଛି। ଏମାନଙ୍କ ମଧ୍ୟରେ ୬ ଜଣ ଶିଶୁ ଏବଂ ୪ ଜଣ ମହିଳା ଅଛନ୍ତି।

ଆଇଏସ୍‌ର ଦ୍ବିତୀୟ ଖଲିଫା ଅବୁ ଇବ୍ରାହିମ୍‌
ପୂରା ନାମ: ଅବୁ ଇବ୍ରାହିମ ଅଲ ହାସିମି ଅଲ-କୁରାଶି
ପରିଚୟ: ଅନ୍ତର୍ଜାତୀୟ ଆତଙ୍କବାଦୀ, ଇସଲାମିକ୍ ଷ୍ଟେଟ୍‌ର ଦ୍ବିତୀୟ ଖଲିଫା, ବୟସ: ୪୫
ପୂର୍ବ ଖଲିଫା: ଅବୁ ବକର ଅଲ୍‌ ବାଗଦାଦି
ଆତଙ୍କବାଦୀ ସଂଗଠନ: ଆଇଏସ୍‌ଆଇଏସ୍‌ (୨୦୧୪-୨୦୨୨), ଅଲ୍‌ କାଏଦା (୨୦୦୩-୨୦୧୪)

ପ୍ରାଥମିକ ରିପୋର୍ଟରୁ କୁଣାପଡ଼ିଛି ଯେ, ଆତ୍‌ମେ ସହର ନିକଟରେ ଅବୁ ଇବ୍ରାହିମ୍‌ର ଅବସ୍ଥିତି ନେଇ ସଠିକ୍‌ ଗୁଇନ୍ଦା ସୂଚନା ମିଳିବା ପରେ ଆମେରିକାର ମେରିନ୍‌ କମାଣ୍ଡୋମାନେ ଉକ୍ତ ସ୍ଥାନକୁ ଚାରିପଟୁ ଘେରିଯାଇଥିଲେ। ସେଠାରୁ ଖସିବା ଅସମ୍ଭବ ଥିବାରୁ ଅବୁ ଇବ୍ରାହିମ ନିଜକୁ ଉଡ଼ାଇ ଦେବାପାଇଁ ନି‌ଷ୍ପତ୍ତି ନେଇଥିଲା। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଏହାକୁ ଆମେରିକା ସେନାର ବଡ଼ ସଫଳତା ବୋଲି କହିଛନ୍ତି। ବାଇଡେନ୍‌ ଆତଙ୍କବାଦୀମାନଙ୍କୁ କଡ଼ା ଚେତାବନୀ ଦେଇ କହିଛନ୍ତି, ସେମାନେ ବିଶ୍ବର ଯେଉଁ କୋଣରେ ଲୁଚିଲେ ବି ଆମେ ସେମାନଙ୍କୁ ଖୋଜି ଖୋଜି ନିପାତ କରିବୁ ଏବଂ ଏହା ପ୍ରମାଣିତ ହୋଇଯାଇଛି।

 

ସମ୍ବନ୍ଧିତ ଖବର