ନୂଆଦିଲ୍ଲୀ: ବିହାର ବିଧାନସଭା ନିର୍ବାଚନ ଏବଂ କେତେକ ରାଜ୍ୟ ଉପନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ଦଳୀୟ କର୍ମକର୍ତା ଓ ନେତାମାନଙ୍କୁ ଯେତେ ଆଶ୍ଚର୍ଯ୍ୟରେ ପକାଇଛି ତାହାଠାରୁ ଅଧିକ ବିସ୍ମିତ କରିଛି ରାଜନୈତିକ ପର୍ଯ୍ୟବେକ୍ଷକମାନଙ୍କୁ। କରୋନା ଲକ୍‌ଡାଉନ୍‌ ପରେ ସାରା ‌ଦେଶରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଲା ଏବଂ ଲୋକ ଅକଥନୀୟ ଦୁର୍ଦଶାର ସମ୍ମୁଖୀନ ହେଲେ। ଏହାକୁ ନେଇ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକା‌ର ବିରୋଧରେ ଅସନ୍ତୋଷ ଲାଗି ରହିଥିଲା। ଏଭଳି ପରିସ୍ଥିତି ମଧ୍ୟରେ ବିହାର ବିଧାନସଭା ସହିତ ମଧ୍ୟପ୍ରଦେଶ, ଉତ୍ତର ପ୍ରଦେଶ, ଗୁଜରାଟ ଓ କର୍ଣ୍ଣାଟକର କିଛି ସ୍ଥାନରେ ଉପନିର୍ବାଚନ ହୋଇଥିଲା। ଏହାର ଫଳାଫଳ ସରକାର ବିରୋଧରେ ଯିବ ବୋଲି କୁହାଯାଉଥିଲା। କିନ୍ତୁ ସେମିତି କିଛି ଦେଖିବାକୁ ମିଳିଲାନାହିଁ। ବିହାରରେ ଏନ୍‌ଡିଏ ସରକାର ରହିଲା ଏବଂ ବିଭିନ୍ନ ରାଜ୍ୟରେ ବିଜେପିର ପ୍ରଦର୍ଶନ ମଧ୍ୟ ଉଲ୍ଳେଖନୀୟ ରହିଲା। କିନ୍ତୁ ଏଥିରେ ସବୁଠାରୁ ବେଶି କ୍ଷତିଗ୍ରସ୍ତ ହୋଇଛି କଂଗ୍ରେସ। ବିହାର ସହିତ ଗୁଜରାଟ ଏବଂ ମଧ୍ୟପ୍ରଦେଶରେ ଏହା ୩୨ଟି ଆସନ ହରାଇଛି। ଏହାପୂର୍ବରୁ ୨୦୧୯ରେ କର୍ଣ୍ଣାଟକ ଉପନିର୍ବାଚନରେ ମଧ୍ୟ କଂଗ୍ରେସ ୧୦ଟି ଆସନ ହରାଇଥିଲା। ଏହାକୁ ନେଇ କିଛି ବରିଷ୍ଠ ନେତା ଅସନ୍ତୋଷ ପ୍ରକାଶ କରିବା ସହିତ ସାଂଗଠନିକ ପରିବର୍ତନ ସପକ୍ଷରେ ଯୁକ୍ତି ଦର୍ଶାଇଛନ୍ତି। କିନ୍ତୁ ଆଶ୍ଚର୍ଯ୍ୟଜନକ ଭାବେ ହାଇକମାଣ୍ଡ ଏସଂପର୍କରେ ମୁହଁ ଖୋଲୁ ନାହାନ୍ତି। ଅନ୍ୟପକ୍ଷରେ ଗାନ୍ଧୀ ପରିବାର ପ୍ରତି ମାତ୍ରାଧିକ ଆନୁଗତ୍ୟ ଦେଖାଉଥିବା କେତେକ ନେତା ଆତ୍ମସମୀକ୍ଷା କରିବା ବଦଳରେ ଅସନ୍ତୁଷ୍ଟ ନେତାମାନଙ୍କୁ ଟାର୍ଗେଟ କରିବା ଆରମ୍ଭ କରିଦେଇଛନ୍ତି।

Advertisment

କପିଲ ସିବଲଙ୍କ ଭାଷାରେ ଯାହା ଜଣାପଡ଼ୁଛି ପରାଜୟକୁ କଂଗ୍ରେସ ଏହାର ଭାଗ୍ୟ ଭାବି ଆଦରି ନେଇଛି। ଯାହା ଫଳରେ କୌଣସି ପରାଜୟ ହାଇକମାଣ୍ଡକୁ ବାଧୁନାହିଁ। ୨୦୧୪ ଲୋକସଭା ନିର୍ବ‌ାଚନରେ ଘୋର ବିପର୍ଯ୍ୟୟ ପରେ ୨୦୧୮ରେ ମଧ୍ୟପ୍ରଦେଶ, ରାଜସ୍ଥାନ ଏବଂ ଛତିଶଗଡ଼ ବିଧାନସଭା ନିର୍ବାଚନରେ କଂଗ୍ରେସକୁ ବିଜୟ ମିଳିଥିଲା। କିନ୍ତୁ ୨୦୧୯ ସାଧାରଣ ନିର୍ବାଚନ କଂଗ୍ରେସ ପାଇଁ ପୁଣି ବିପର୍ଯ୍ୟୟ ଆଣିଲା। ୨୦୧୪ ଲୋକସଭା ନିର୍ବାଚନରେ ଏହା ୪୪ଟି ଆସନ ପାଇଥିବା ବେଳେ ୨୦୧୯ରେ ଆଉ ୮ଟି ଅଧିକ ଆସନ ପାଇଥିଲା। କଂଗ୍ରେସର ଏଭଳି ପରାଜୟ କାହିଁକି ହେଲା ଏବଂ ଏଥିପାଇଁ କିଏ ଦାୟୀ ତାହାର ଏପର୍ଯ୍ୟନ୍ତ ଆତ୍ମସମୀକ୍ଷା କରାଯାଉ ନାହିଁ। ୨୦୧୪ ବିପର୍ଯ୍ୟୟ ପରେ ଏହାର କାରଣ ଖୋଜି ବାହାର କରିବା ଲାଗି ବରିଷ୍ଠ ନେତା ଏକେ ଆଣ୍ଟୋନୀଙ୍କୁ ଦାୟିତ୍ବ ଦିଆଯାଇଥିଲା। ଆଣ୍ଟୋନୀ ରିପୋର୍ଟ ଦାଖଲ କରିସାରିଛନ୍ତି। କିନ୍ତୁ ଏହା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନାହିଁ। ୨୦୧୪ରେ ଯେଉଁ ନେତାମାନେ ନିର୍ବାଚନ ପରିଚାଳନା କରିଥିଲେ, ୨୦୧୯ରେ ମଧ୍ୟ ସେମାନଙ୍କୁ ଏହି ଦାୟିତ୍ବ ମିଳିଥିଲା। ଗତ ଅଗଷ୍ଟ ମାସରେ ଦଳର ୨୩ ଜଣ ନେତା ଏହି ପ୍ରସଙ୍ଗ ଉଠାଇ ‌େସାନିଆ ଗାନ୍ଧୀଙ୍କୁ ପତ୍ର ଲେଖିଥିଲେ। ଏହାକୁ ନେଇ ଦଳ ଭିତରେ କଂପନ ସୃଷ୍ଟି ହୋଇଥିଲା। କଂପନ ଯୋଗୁଁ ଦଳର ଭାବମୂର୍ତି କ୍ଷତିଗ୍ରସ୍ତ ହେଲା। କିନ୍ତୁ ଘର ସେମିତି ଅସଜଡ଼ା ରହିଲା।

ଏହି କାରଣରୁ ଦଳ ତ ହାରୁଛି ଏହା ସହିତ ମେଣ୍ଟ କରୁଥିବା ଦଳ ମଧ୍ୟ ପରାଜୟର ସମ୍ମୁଖୀନ ହେଉଛନ୍ତି। ବିହାରରେ ମହାମେଣ୍ଟର ପରାଜୟ ଲାଗି ସହ‌େଯାଗୀ ଆରଜେଡି ଏବେ କଂଗ୍ରେସକୁ ଦାୟୀ କରିଛି। ଏହାର ନେତାମାନେ କହୁଛନ୍ତି କଂଗ୍ରେସକୁ ୭୦ଟି ଆସନ ଦେଇ ଭୁଲ କରିଛୁ। କଂଗ୍ରେସ ନେତା ପି. ଚିଦମ୍ବରମ ମଧ୍ୟ ଏଭଳି ମତ ଦେଇ କହିଛନ୍ତି ଯେ ସଂଗଠନ ଦୁର୍ବଳ ଥିବାରୁ କଂଗ୍ରେସ ୭୦ଟି ଆସନରେ ଲଢ଼ିବାର ନଥିଲା। ବିହାରର ପ୍ରଭାବ ଏବେ ଅଲଗା ରାଜ୍ୟରେ ଦେଖିବାକୁ ମିଳିବ। ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ କହିସାରିଲେଣି ଯେ ଉତ୍ତର ପ୍ରଦେଶରେ ସେ କଂଗ୍ରେସ ସହ ମେଣ୍ଟ କରିବେ ନାହିଁ। କର୍ଣ୍ଣାଟକରେ ଜେଡିଏସ୍ ମଧ୍ୟ ସ୍ପଷ୍ଟ କରିସାରିଛି ଯେ କୌଣସି ପରିସ୍ଥିିତିରେ କଂଗ୍ରେସ ସହ ମେଣ୍ଟ ହେବନାହିଁ। କାରଣ ଏହି ଦଳ ଆଉ ଭରସାଯୋଗ୍ୟ ନୁହେଁ। ଏଭଳି ପରିସ୍ଥିତି ଲାଗି ରହିଲେ କଂଗ୍ରେସ ଭାରତୀୟ ରାଜନୀତିରେ ଅଛୁଆଁ ହୋଇଯିବ।

ଆସନ୍ତା ବର୍ଷ ପଶ୍ଚିମ ବଙ୍ଗ, କେରଳ, ତାମିଲନାଡ଼ୁ ଏବଂ ପୁଡୁଚେରିରେ‌ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଗତ ନିର୍ବାଚନରେ ପଶ୍ଚିମ ବଙ୍ଗରେ ବାମପନ୍ଥୀ ଏବଂ ତାମିଲନାଡ଼ୁରେ ଡିଏମ୍‌କେ ସହ ମେଣ୍ଟ କରି କଂଗ୍ରେସ ନିର୍ବାଚନ ଲଢ଼ିଥିଲା। ତେବେ ପରିବର୍ତିତ ପରିସ୍ଥିତିରେ ସେମାନେ ଅଗାମୀ ନିର୍ବାଚନରେ କଂଗ୍ରେସ ସହ ମେଣ୍ଟ କରିବେ କି ନାହିଁ ତାହା ଏବେ ସବୁଠାରୁ ବଡ଼ ପ୍ରଶ୍ନ ହୋଇ ଉଭା ହୋଇଛି।