ହାଇଦ୍ରାବାଦ: ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ତଥା ତେଲେଙ୍ଗାନା ରାଷ୍ଟ୍ରୀୟ ସମିତି (ଟିଆରଏସ) ସୁପ୍ରିମୋ କେ ଚନ୍ଦ୍ରଶେଖର ରାଓ (କେସିଆର) ଆଜି ସବୁ ରାଜନୈତିକ ଦଳ ଓ ସବୁ ରାଜନୈତିକ ବିଶାରଦମାନଙ୍କୁ ଆଶ୍ଚର୍ଯ୍ୟଚକିତ କରି ଖେଳିଛନ୍ତି ଏକ ମାଷ୍ଟରଷ୍ଟ୍ରୋକ୍। ପୂର୍ବତନ ପ୍ରଧାନମନ୍ତ୍ରୀ ପି.ଭି ନରସିଂହ ରାଓ (ପିଭିଆର୍)ଙ୍କ କନ୍ୟା ବାଣୀ ଦେବୀଙ୍କୁ ଆଗାମୀ ବିଧାନ ପରିଷଦ ନିର୍ବାଚନ ପାଇଁ ଟିଆରଏସର ଦଳୀୟ ପ୍ରାର୍ଥୀ ଭାବରେ ଘୋଷଣା କରିଛନ୍ତି ସେ । କେସିଆରଙ୍କ ଏ ଘୋଷଣା ପରେ ଘାଇଲା ହୋଇପଡ଼ିଛନ୍ତି ଉଭୟ ବିଜେପି ଓ କଂଗ୍ରେସ। ରାଜ୍ୟରେ ବୃଦ୍ଧି ପାଉଥିବା ଭାରତୀୟ ଜନତା ପାର୍ଟି (ବିଜେପି) ପତିଆରାକୁ ‘ଚେକ୍ମେଟ୍’ ଦେବାକୁ ଚନ୍ଦ୍ରଶେଖର ରାଓ ଏପରି ନିଷ୍ପତ୍ତି ନେଇଥିବା ଆଲୋଚନା ହେଉଛି।
ରାଜ୍ୟର ଜଣେ ପ୍ରତିଷ୍ଠିତ ଶିକ୍ଷାବିତ୍ ଭାବରେ ବାଣୀ ଦେବୀଙ୍କର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି। ବିଧାନ ପରିଷଦକୁ ରାଜ୍ୟପାଳଙ୍କ କୋଟାରେ ତାଙ୍କୁ ମନୋନୀତ କରାଯିବ ବୋଲି ଅନେକ ଆଶା କରିଥିଲେ ମଧ୍ୟ ଏହା ଘଟି ନଥିଲା। ଶେଷରେ ବାଣୀ ଦେବୀଙ୍କୁ ବିଧାନ ପରିଷଦ ନିର୍ବାଚନ ପାଇଁ ଦଳୀୟ ପ୍ରାର୍ଥୀଭାବେ ଘୋଷଣା କରି ଆଜି ସମସ୍ତଙ୍କୁ ଚକିତ କରି ଦେଇଛନ୍ତି ଚନ୍ଦ୍ରଶେଖର ରାଓ।
/sambad/media/post_attachments/wp-content/uploads/2021/02/SurabhiVaniDevi_KCR1.jpg)
୨୦୧୫ରେ ଏହି ଆସନ ପାଇଁ ଅନୁଷ୍ଠିତ ହୋଇଥିବା ଏମ୍ଏଲ୍ସି ନିର୍ବାଚନରେ ବିଜେପିର ରାମଚନ୍ଦ୍ର ରାଓ ଜିତିଥିଲେ। ଟିଆରଏସ୍ ପ୍ରାର୍ଥୀ ଦେବୀ ପ୍ରସାଦ ଦ୍ୱିତୀୟ ସ୍ଥାନରେ ଓ କଂଗ୍ରେସ ପ୍ରାର୍ଥୀ ଆଗିରୁ ରବିକୁମାର ତୃତୀୟ ସ୍ଥାନରେ ରହି ନିର୍ବାଚନରେ ହାରି ଯାଇଥିଲେ। କିଛି ମାସ ପୂର୍ବରୁ ତେଲେଙ୍ଗାନାରେ ଡୁବ୍ଦାକା ବିଧାନସଭା ଆସନ ପାଇଁ ହୋଇଥିବା ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ଟିଆରଏସ୍ ପ୍ରାର୍ଥୀଙ୍କୁ ହରାଇ ଜିତିଥିବା ବେଳେ ବିଜେପି ମନୋବଳ ଅତି ଉଚ୍ଚରେ ଥିଲା। ତେଲେଙ୍ଗାନାର ତିନିଟି ଜିଲ୍ଲା ହାଇଦ୍ରାବାଦ, ରଙ୍ଗାରେଡି ଏବଂ ମହାବୁବନଗରକୁ ନେଇ ଗଠିତ ଏହି ବିଧାନ ପରିଷଦ ନିର୍ବାଚନ ମଣ୍ଡଳୀଟିରେ ପୂର୍ବରୁ ପ୍ରତିନିଧିତ୍ୱ କରୁଥିବା ବିଜେପିର ରାମଚନ୍ଦ୍ର ରାଓ ଜଣେ ଆଇନଜୀବୀ ଥିଲେ ଓ ଏଠାରେ ତାଙ୍କର ଯଥେଷ୍ଟ ଦବଦବା ରହିଥିଲା। ତେଣୁ, ପୁଣି ଥରେ ତାଙ୍କୁ ପ୍ରାର୍ଥୀ କରି ଦଳ ଏଠାରୁ ବିଜୟୀ ହେବ ବୋଲି ଆଶା ବାନ୍ଧି ବସିଥିଲା।
ହେଲେ, ଟିଆରଏସ ସୁପ୍ରିମୋ କେ ଚନ୍ଦ୍ରଶେଖର ରାଓଙ୍କ ଆଜିର ମାଷ୍ଟରଷ୍ଟ୍ରୋକ୍ ସବୁ ଗଣିତକୁ ଭୁଲ୍ କରି ଦେଇଛି। ବିଜେପି ହାତରୁ ଶାସକ ଟିଆରଏସ ଏଥର ଏହି ଆସନଟିକୁ ଛଡ଼ାଇ ଆଣିବା ଲକ୍ଷ୍ୟରେ ଏପରି କରିଥିବା ଆଲୋଚନା ହେଉଛି। କାରଣ, ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାର ଗର୍ବ ଓ ଗୌରବ ରୂପେ ପରିଚିତ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ପି.ଭି ନରସିଂହ ରାଓଙ୍କ ଏବେବି ସବୁ ମହଲରେ ଆଦର ଅତୁଟ ରହିଛି। ଏପରିସ୍ଥିତିରେ ତାଙ୍କର କନ୍ୟା ବାଣୀ ଦେବୀ ଯଦି ନିର୍ବାଚନକୁ ଓହ୍ଲାନ୍ତି ତେବେ ଦଳମତ ନିର୍ବିଶେଷରେ ସବୁ ଭୋଟ ତାଙ୍କ ସପକ୍ଷରେ ଯିବାଟା ଅସମ୍ଭବ ନୁହେଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/02/kcr-master-strock-23_Thumb.jpg)