ଭାରତ କ’ଣ ପୋଖରାନ-୩ ପାଇଁ ପ୍ରସ୍ତୁତି କରୁଛି ? ପୁଣି ପରୀକ୍ଷା କରିବ ପରମାଣୁ ବୋମା! କ’ଣ କହନ୍ତି ଡିଆରଡିଏ ମୁଖ୍ୟ

ନୂଆଦିଲ୍ଲୀ : ଭାରତ ଏବର୍ଷ ପୋଖରାନ ପରମାଣୁ ପରୀକ୍ଷାର ୨୦ ତମ ବାର୍ଷିକୀ ପାଳନ କରୁଛି । ୧୯୯୮ ପରମାଣୁ ପରୀକ୍ଷା ପରେ ଭାରତ ଆଉ ପରମାଣୁ ପରୀକ୍ଷା କରିବ ନାହିଁ ବୋଲି ନିଷ୍ପତ୍ତି ନେଇଥିଲା । କିନ୍ତୁ ୧୯୯୮ର ଟେକନଲୋଜୀ କଣ ଆଜି ମଧ୍ୟ ଉପଯୋଗୀ, ଏହି ପ୍ରଶ୍ନ କେତେକ ବିଶେଷଜ୍ଞ ଉଠାଇବା ପରେ ଡିଆରଡିଓ ମୁଖ୍ୟ କହିଛନ୍ତି ଯେ ଭାରତ ନିୟମିତ ଭାବରେ ନିଜର ପରମାଣୁ ଟେକନଲୋଜୀର ବିକାଶ କରିଚାଲିଛି । ତେବେ ସରକାର କଣ ପୋଖରାନ-୩ ପାଇଁ ଯୋଜନା କରୁଛନ୍ତି ?

ଦେଶର ପ୍ରଧାନମନ୍ତ୍ରୀ ଅନୁମତି ଦେଲେ ମାତ୍ର କିଛି ଦିନ ମଧ୍ୟରେ ଭାରତ ପରମାଣୁ ପରୀକ୍ଷା କରିବାକୁ ସକ୍ଷମ ବୋଲି କହିଛନ୍ତି ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (ଡିଆରଡିଓ) ମୁଖ୍ୟ ଡଃ ଏସ.କ୍ରିଷ୍ଟୋଫର । ସେ କହିଛନ୍ତି ଯେ ଯେଉଁମାନେ ଭାବୁଛନ୍ତି ଯେ ଭାରତର ପରମାଣୁ ଟେକନଲୋଜୀ ୧୯୯୮ରେ ହିଁ ରହିଯାଇଛି ସେମାନେ ଜାଣିବା ଉଚିତ ଯେ ଭାରତ ଏ କ୍ଷେତ୍ରରେ ଆହୁରି ଅନେକଗୁଣ ପ୍ରଗତି କରିସାରିଛି ।

www.indiatimes.com

ସେ କହିଛନ୍ତି ଯେ ପରମାଣୁ ଶକ୍ତି କ୍ଷେତ୍ରରେ ଭାରତ ଅନେକ ଆଗକୁ ଆସିଯାଇଛି । ଆମର ଟେକନଲୋଜୀ ଏବେ ବିଶ୍ୱର ଯେକୌଣସି ବିକଶିତ ଦେଶର ଟେକନଲୋଜୀ ସହ ସମକକ୍ଷ । ଭାରତ ଏବେ ଅତି କମ ସମୟ ମଧ୍ୟରେ ପରମାଣୁ ପରୀକ୍ଷା କରିପାରିବ, କିନ୍ତୁ ଏଥିପାଇଁ ଦେଶର ପ୍ରଧାନମନ୍ତ୍ରୀ ହିଁ ଚୂଡାନ୍ତ ନିଷ୍ପତ୍ତି ନେଇପାରିବେ ବୋଲି ସେ କହିଛନ୍ତି ।

ସୂଚନାଯୋଗ୍ୟ ଯେ ଭାରତ ଚଳିତ ବର୍ଷ ପୋଖରାନ ପରମାଣୁ ପରୀକ୍ଷାର ୨୦ ତମ ବାର୍ଷିକୀ ପାଳନ କରୁଛି । ୧୯୯୮ରେ ଭାରତ ରାଜସ୍ଥାନର ପୋଖରାନଠାରେ ୫ଟି ପରମାଣୁ ପରୀକ୍ଷଣ କରିଥିଲା । ଏହା ମଧ୍ୟରୁ ୪ଟି ପରମାଣୁ ବୋମା ଓ ୧ଟି ଥର୍ମୋନ୍ୟୁକ୍ଲିୟର ବା ହାଇଡ୍ରୋଜେନ ବୋମା ଥିଲା । ଭାରତ ଏହି ପରୀକ୍ଷଣ ଏକେ ଗୋପନୀୟ ଭାବେ କରିଥିଲା ଯେ ଆମେରିକାର ଉପଗ୍ରହ ଏହାକୁ ଧରିପାରିନଥିଲା । ଏହାକୁ ଆମେରିକାର ବିଖ୍ୟାତ ଗୁଇନ୍ଦା ସଂସ୍ଥା ସିଆଇଏର ଏକ ବଡ଼ ବିଫଳତା ବୋଲି କୁହାଯାଏ । ଭାରତର ଏହି ପରୀକ୍ଷଣ ପରେ ଆମେରିକା ଭାରତ ଉପରେ ଆର୍ଥିକ ଓ ପ୍ରଯୁକ୍ତିଗତ କଟକଣା ଲଗାଇଥିଲା ।

ସମ୍ବନ୍ଧିତ ଖବର