ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମ୍ମା ଏକ ଅହମିୟା ବିଦ୍ୟାଳୟକୁ ଯାଇ ପରିଦର୍ଶକଙ୍କ ଖାତାରେ ଏକ ବାର୍ତ୍ତା ଲେଖୁଥିବାର ଭିଡିଓ Roshan Rai@RoshanKrRaii ପୋଷ୍ଟ କରିଛନ୍ତି। ପୂର୍ବ ପ୍ରସ୍ତୁତ ଏକ ବାର୍ତ୍ତାର ଚିଠାରୁ ମୁଖ୍ୟମନ୍ତ୍ରୀ ଉକ୍ତ ଖାତାରେ ନିଜ ବାର୍ତ୍ତା ଟିପୁଥିବା ସେହି ଭିଡିଓଟିରେ ଦେଖାଯାଉଛି। ଉକ୍ତ ବ୍ୟକ୍ତି ରୋଶନ ଲେଖିଛନ୍ତି, ‘‘ଆସାମ ମୁଖ୍ୟମନ୍ତ୍ରୀ ନିଜ ମନରୁ ଗୋଟିଏ ବି ବାକ୍ୟ ହିନ୍ଦୀ କି ଇଂରାଜୀରେ ଲେଖିପାରନ୍ତି ନାହିଁ। ସେଥିପାଇଁ ତାଙ୍କୁ ନକଲ୍ର ସାହାଯ୍ୟ ନେବାକୁ ପଡ଼ୁଛି।’’ ଏହି ପୋଷ୍ଟଟିକୁ ରି-ଟ୍ବିଟ୍ କରି ନିଜେ ହିମନ୍ତ ପ୍ରତ୍ୟୁତ୍ତରରେ ଲେଖିଛନ୍ତି, ‘‘ସ୍ବୀକାର କରିବାରେ ଆଦୈା ମୋର କୁଣ୍ଠା ନାହିଁ ଯେ, ମୋତେ ଇଂରାଜୀ ଓ ହିନ୍ଦୀ ଭଲ ଆସେନାହିଁ। ମୁଁ ବିନମ୍ରତାର ସହ ଇଂରାଜୀ ଓ ହିନ୍ଦୀ ଶିଖିବାକୁ ଚେଷ୍ଟା କରୁଛି।’’ ଏହାପରେ ରୋଶନଙ୍କୁ ଘେରିଯାଇଛନ୍ତି ନେଟିଜେନ୍ମାନେ।
ଜଣେ କହିଛନ୍ତି, ଆମେ ହେଲୁ ଉତ୍ତର-ପୂର୍ବାଞ୍ଚଳର ଅଧିବାସୀ। ଆମେ ଭଲ ହିନ୍ଦୀ ଜାଣୁନା। ସେ ମୁଖ୍ୟମନ୍ତ୍ରୀ ହୁଅନ୍ତୁ ବା କେହି ସାଧାରଣ ଲୋକ, ଯଦି ଜଣେ କିଛି ଶିଖିବାକୁ ଚାହୁଛି, ତାକୁ ଟ୍ରୋଲ୍ ନୁହେଁ, ଉତ୍ସାହିତ କରାଯିବା ଦରକାର। ଆଜିକାଲିକାର ନେତାମାନେ ସତ କହିବାକୁ ଡରନ୍ତି। ହେଲେ ଆସାମ ମୁଖ୍ୟମନ୍ତ୍ରୀ ସତ କଥା କହି ସମସ୍ତଙ୍କ ମୁହଁ ବନ୍ଦ କରିଛନ୍ତି। ଇଂରାଜୀ ଜାଣିବା ନଜାଣିବା ନୁହେଁ, ଯୋଉ ନେତା ଯେତେ ଲୋକଙ୍କ ସହ ନିଜକୁ ଯୋଡ଼ିପାରିଲା ସେ ସେତେ ବଡ଼ ନେତା। ସତ କହିବା ଦ୍ବାରା ହିମନ୍ତ ଜଣେ ଭିନ୍ନ ସ୍ବାଦର ନେତା ବୋଲି ପ୍ରମାଣ ହୋଇଯାଇଛି। ଅପର ପକ୍ଷେ, ଜଣେ ତାଙ୍କୁ ପ୍ରଶ୍ନ କରିଛନ୍ତି, ଆପଣ ପରା ଗୈାହାଟି ବିଶ୍ବବିଦ୍ୟାଳୟରୁ ୧୯୯୦ରେ ବିଏ, ୧୯୯୪ରେ ଏମ୍ଏ ଓ ଏଲ୍ଏଲ୍ବି ପାସ୍ କରିଥିବା ନିଜ ନିର୍ବାଚନ ସତ୍ୟପାଠରେ ଦର୍ଶାଇଛନ୍ତି! ସବୁ କ’ଣ ଅହମିୟାରେ ପଢ଼ା ହେଉଥିଲା? ଆପଣଙ୍କର ଏଇ ଇଂରାଜୀ ଟ୍ବିଟ୍ଟିକୁ ତାହା ହେଲେ କିଏ ଡ୍ରାଫ୍ଟ କରିଛନ୍ତି, ଦୟାକରି କହିବେ କି?