ନୂଆଦିଲ୍ଲୀ : ରାଜସ୍ଥାନର ଅଜମେରରେ ଜଣେ ଯୁବକ ତାଙ୍କ ପତ୍ନୀଙ୍କୁ ସେମାନଙ୍କ ଅଷ୍ଟମ ବିବାହ ବାର୍ଷିକୀରେ ଅତି ଚମତ୍କାର ଉପହାର ଦେଇଛନ୍ତି। ଏହା କୌଣସି ବିଳାସପୂର୍ଣ୍ଣ ଗାଡ଼ି ନୁହେଁ କି ଦାମୀ ଅଳଙ୍କାର ନୁହେଁ। ବ୍ୟକ୍ତି ଜଣଙ୍କ ତାଙ୍କ ପତ୍ନୀଙ୍କୁ ଚନ୍ଦ୍ରରେ ଏକ ଜାଗା ଉପହାର ଦେଇଛନ୍ତି। ଏହାକୁ ଅନେକ ବିଶ୍ବାସ କରିପାରୁ ନାହାନ୍ତି। କିନ୍ତୁ ଏହା ସତ। ଧର୍ମେନ୍ଦ୍ର ଅନିଜା ନାମକ ଜଣେ ବ୍ୟକ୍ତି ତାଙ୍କ ପତ୍ନୀ ସପ୍ନା ଅନିଜାଙ୍କୁ ଜହ୍ନରେ ଜାଗାଟିଏ ଦେଇଛନ୍ତି। ଖାଲି ସେ ଏକା ନୁହନ୍ତି ଗତ କିଛିଦିନ ତଳେ ବୋଧଗୟାର ଜଣେ ବ୍ୟକ୍ତି ମଧ୍ୟ ତାଙ୍କ ଜନ୍ମଦିନରେ ଚନ୍ଦ୍ରରେ ଜାଗା କିଣିଥିଲେ। ସେହିପରି ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତ, ଶାହ ରୁଖ ଖାନ୍ ଏବଂ ଅନ୍ୟ ସେଲିବ୍ରିଟିମାନେ ମଧ୍ୟ ଚନ୍ଦ୍ରରେ ଜାଗା କିଣିଛନ୍ତି। ତେବେ ବାସ୍ତବରେ କ’ଣ ଚନ୍ଦ୍ରରେ ଜାଗା କିଣିବା ସମ୍ଭବ କି ? ବାସ୍ତବରେ ଚନ୍ଦ୍ରରେ ଜାଗା କିଣିବା ସମ୍ଭବ ନୁହେଁ। ଏହାର କାରଣ ହେଉଛି ୧୯୬୭ ମସିହାର ଏକ ଚୁକ୍ତି। ୧୯୬୭ ମସିହାରେ ରୁଷ୍, ଆମେରିକା ଏବଂ ବ୍ରିଟେନ୍ ମଧ୍ୟରେ ଅନ୍ତର୍ଜାତୀୟ ଚୁକ୍ତି ସ୍ବାକ୍ଷର ହୋଇଥିଲା। ଏହି ଅନ୍ତରୀକ୍ଷ ଚୁକ୍ତିର ନାମ ଥିଲା ‘ଆଉଟର୍ ସ୍ପେସ୍ ଟ୍ରିଟି ’ । ଏକ ନୂଆ ପ୍ରକାରର ଔପନିବେଶିକ ପ୍ରତିଯୋଗିତା ନହେବା ପାଇଁ ଏହି ଚୁକ୍ତି ସ୍ବାକ୍ଷର ହୋଇଥିଲା। ଭାରତ ସମେତ ୧୦୯ଟି ରାଷ୍ଟ୍ର ଏହି ଚୁକ୍ତି ସ୍ବାକ୍ଷର କରିଥିଲେ।
ଚୁକ୍ତି ଅନୁଯାୟୀ ଚନ୍ଦ୍ର ସମେତ ଅନ୍ୟ ମହାଜାଗତିକ ପିଣ୍ଡ କୌଣସି ଉପାୟରେ ଏକ ଜାତୀୟ ବିନିଯୋଗ ପାଇଁ ଉଦ୍ଦିଷ୍ଟ ନୁହେଁ। କୌଣସି ବ୍ୟକ୍ତି ମଧ୍ୟ ଏହା ଦାବି କରିପାରିବେନି। ଏହି ଚୁକ୍ତି ମହାକାଶଚାରୀଙ୍କୁ ଅନ୍ତରୀକ୍ଷରେ ମାନବଜାତିର ଏକ ଦୂତ ଭାବେ ବିବେଚନା କରେ। ଏହାଦ୍ବାରା ଚନ୍ଦ୍ର ସମେତ ଅନ୍ତରୀକ୍ଷର ଅନ୍ୟ ଦିଗକୁ ଭଲଭାବେ ଅନ୍ବେଷଣ କରିହେବ। ଏଥିପାଇଁ ଏକ ଲୁନାର ରେଜିଷ୍ଟ୍ରି ରହିଛି ଯାହାଦ୍ବାରା ଜଣେ ବ୍ୟକ୍ତିଙ୍କୁ ଚନ୍ଦ୍ରରେ ଏକ ଜାଗା ବିକ୍ରି ହେଲା ବୋଲି ଦାବି ହୋଇପାରିବ। ଚନ୍ଦ୍ରରେ ଥିବା ଜାଗା ଗୁଡ଼ିକୁ ‘ ୱେ ଅଫ୍ ରେନ୍ବୋଜ୍’ ‘ସି ଅଫ୍ ରେନ୍ସ’, ‘ଲେକ୍ ଅଫ୍ ଡ୍ରିମ୍ସ’, ‘ସି ଅଫ୍ ସେରିନିଟି’ ଏବଂ ଅନ୍ୟାନ୍ୟ ନାମରେ ବିଭକ୍ତ କରାଯାଇଛି। ଚନ୍ଦ୍ରରେ ଜମିର ବିକାଶ ପାଇଁ ଏହାର ଘରୋଇକରଣ ଲକ୍ଷ୍ୟ ରଖିଛି ଲୁନାର ସୋସାଇଟି।