୫ବର୍ଷ ପରେ ପୁଣି ସାମ୍ନାକୁ ଆସିଲା ଆଇଏସଆଇଏସ ମୁଖ୍ୟ ବାଗ୍‌ଦାଦି : ଇସଲାମିକ ଷ୍ଟେଟ ଜାରି କଲା ନୂଆ ଭିଡିଓ

ନୂଆଦିଲ୍ଲୀ : ମରି ନାହିଁ ବାଗଦାଦି । ଆଇଏସର ମୁଖିଆ ଅଲ୍‌ ବାଗ୍‌ଦାଦି ଆଜି ବି ବଞ୍ଚିଥିବା ନେଇ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି । ଟୁଇଟ୍‌ରରେ ଏକ ଭିଡିଓ ଭାଇରାଲ ହେବା ପରେ ଖବରକୁ ନେଇ ଚର୍ଚ୍ଚା ଜୋର ଧରିଛି । ଗତ ୫ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ସାମ୍ନାକୁ ଆସିଛି ବାଗଦାଦିର ଏକ ପ୍ରୋପାଗଣ୍ଡା ଭିଡିଓ । ଗତ ସୋମବାର ଆତଙ୍କୀ ସଂଗଠନ ଆଇଏସ ଦ୍ୱାରା ଜାରି କରାଯାଇଥିବା ଭିଡିଓରେ ଅବୁ ବକର ଅଲ ବାଗଦାଦିକୁ ଦେଖିବାକୁ ମିଳିଥିଲା । ଗତ ୫ବର୍ଷରେ କେବେ ବି ତାର ଭିଡିଓ ସାମ୍ନାକୁ ଆସିନଥିଲା ବେଳେ ଏବେ ଏକ ଭିଡିଓ ସାମ୍ନାକୁ ଆସିଛି । ତେବେ ଏହା ସ୍ପଷ୍ଟ କରାଯାଇନି କି ଭିଡିଓ ଟି କେବେ ସୁଟ୍‌ ହୋଇଥିଲା ।

ଆତଙ୍କବାଦୀଙ୍କ ବିରୋଧରେ ମାସେରୁ ଅଧିକ ସମୟ ଧରି ଚାଲିଥିବା ଅପରେସନ୍‌ ଗତ ଫେବ୍ରୁଆରୀ ଶେଷରେ ଶେଷ ହୋଇଥିଲା । ଆମେରିକା ନେତୃତ୍ୱରେ ନାଟୋ ସେନା ଓ ସିରିୟା ଡେମୋକ୍ରାଟିକ୍‌ ଫୋର୍ସ ମିଳିତ ଅପରେସନରେ ଆଇଏସ ଆତଙ୍କୀଙ୍କ ବିରୋଧରେ ବଡ ଧରଣର ସଫଳତା ହାସଲ କରିଥିଲା । କିଛି ବର୍ଷ ପୂର୍ବରୁ ସିରିୟାର ବଡ ଅଂଶ ଇସଲାମିକ୍‌ ଷ୍ଟେଟ୍‌ କବଜାରେ ଥିଲା । ହେଲେ ଏବେ ଏହା ପୁରା ପତଳା ହୋଇଯାଇଛି । ତେବେ ସବୁଠାରୁ ବଡ କଥା ହେଉଛି ଶ୍ରୀଲଙ୍କାରେ ସିରିଜ ହମଲାର ୭ଦିନ ପରେ ବାଗଦାଦିର ଏହି ଭିଡିଓ ସାମ୍ନାକୁ ଆସିଛି । ତେବେ ନିଜ ଗଡ଼ରେ ଆଇଏସଆଇଏସ ଧୂଳି ଚାଟିବା ପରେ ଏବେ ବିଭିନ୍ନ ଦେଶରେ ଏହାର ଅନୁଗତଙ୍କୁ ଧରି ଏପରି ବିସ୍ଫୋରଣ ଘଟାଇବା ଯୋଜନା ଏଭଳି ଭିଡିଓ କରାଯାଇ ଥାଇପାରେ ବୋଲି ଅନୁମାନ କରାଯାଉଛି । ଏହାର ସମର୍ଥକଙ୍କୁ ଅଧିକ ମନୋବଳ ଯୋଗାଇବାକୁ ଯୋଜନାବଦ୍ଧ ଭାବେ ବାଗଦାଦିର ଭିଡିଓ ଜାରି କରାଯାଇଥିବା ଅନୁମାନ କରୁଛନ୍ତି ସୁରକ୍ଷା ବିଶେଷଜ୍ଞ ।

ସମ୍ବନ୍ଧିତ ଖବର