ଦକ୍ଷିଣ-ଭାରତରେ ଆଡ୍ଡା ଜମେଇସାରିଲାଣି ଆଇଏସ, ଆତଙ୍କରାଜ ଲାଗି ବିଦେଶରୁ ଅର୍ଥ ଆସୁଛି !

ନୂଆଦିଲ୍ଲୀ : କିଛି ଦିନ ତଳେ ଗୁଇନ୍ଦା ରିପୋର୍ଟ ଆସିଥିଲା ଯେ ଦକ୍ଷିଣ-ଭାରତୀୟ ରାଜ୍ୟ ତାମିଲନାଡୁ, କେରଳ ଓ ତେଲେଙ୍ଗାନାରେ ଆଇଏସ ଆତଙ୍କବାଦୀମାନଙ୍କ ନେଟଓ୍ଵାର୍କ ରହିଛି । ତେବେ ଦେଶରେ ଆଇଏସ ମଡ୍ୟୁଲ ସକ୍ରିୟ ଥିବା କଥାକୁ ଗୃହମନ୍ତ୍ରାଳୟ ଅସ୍ୱୀକାର କରିଆସିଛି । କିନ୍ତୁ ଆଜି ତାମିଲନାଡୁର ବିଭିନ୍ନ ସ୍ଥାନରେ ହୋଇଥିବା ଏନଆଇଏ ଚଢଉ ପରେ ଏହି ସଂଦେହ ସତ ହେବା ଆଶଙ୍କା ଦେଖାଦେଇଛି । ଗୁଇନ୍ଦା ରିପୋର୍ଟରେ ଆହୁରି ମଧ୍ୟ କୁହାଯାଇଥିଲା ଯେ ସିରିଆକୁ ଯାଇଥିବା ଭାରତୀୟ ଯୁବକମାନେ ସେଠାରେ ଆଇଏସର ପରାଜୟ ପରେ ଭାରତକୁ ଫେରିଆସିଛନ୍ତି । ଭାରତରେ ହିଂସାକାଣ୍ଡ କରିବା ଲାଗି ସେମାନଙ୍କୁ ବିଦେଶରୁ ଅର୍ଥ ଆସୁଛି । ଆଗକୁ ଏମାନେ ଦେଶର ସୁରକ୍ଷା ପାଇଁ ବିପଦ ସୃଷ୍ଟି କରିବାର ଆଶଙ୍କା ରହିଛି ।
ସୂଚନାଯୋଗ୍ୟ ଯେ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ) ସୋମବାରଦିନ ତାମିଲନାଡୁର ୧୦ଟି ସ୍ଥାନରେ ଚଢଉ କରିଛି । ରାଜ୍ୟରେ ଆଇଏସର ମଡ୍ୟୁଲ ରହିଥିବାନେଇ ଗୁଇନ୍ଦା ସୂଚନା ମିଳିବା ପରେ ଏନଆଇଏ ପକ୍ଷରୁ ଏହି ଚଢଉ କରାଯାଇଛି। ଚଢଉ ହୋଇଥିବା ଏସବୁ ସ୍ଥାନଗୁଡ଼ିକ ସାଲେମ, ରାମନାଥପୁରମ ଓ ଚିଦାମ୍ବରମରେ ଅବସ୍ଥିତ । ଆଇଏସ ସହ ସଂପର୍କିତ କେତେକ ବ୍ୟକ୍ତି ଭାରତରେ ଆତଙ୍କରାଜ ସୃଷ୍ଟି କରିବା ଲାଗି ବିଭିନ୍ନ ହିନ୍ଦୁ ଜାତୀୟତାବାଦୀ ନେତାଙ୍କୁ ଟାର୍ଗେଟ କରିବାକୁ ଯୋଜନା କରୁଥିବା ଜଣାପଡିବା ପରେ ଏହି ଚଢଉ ହୋଇଛି ।

ସମ୍ବନ୍ଧିତ ଖବର