କୋଲକାତା ଜେଲ୍‌ ଗାର୍ଡଙ୍କ ତଣ୍ଟି କାଟିବାକୁ ଆଇଏସ୍‌ କର୍ମୀ ମୁସାର ଉଦ୍ୟମ

କୋଲକତା: ରବିବାର ଦିନ ଆଲିପୁର ସେଣ୍ଟ୍ରାଲ୍‌ ଜେଲ୍‌ରେ ଆଇଏସ୍‌ଆଇଏସ୍‌ କର୍ମୀ ମହମଦ୍‌ ମୋସିଉଦ୍ଦିନ୍‌ ଓରଫ୍‌ ମୁସା ଗୋଟାଏ ଧାତବ ପାତ ଯୋଗେ ଜଣେ ଗାର୍ଡଙ୍କ ତଣ୍ଟି କାଟିବାକୁ ଚେଷ୍ଟା କରିଥିଲା। ଏନ୍‌ଆଇଏ କୋର୍ଟରେ ମୁସାଙ୍କର ବିଚାର ଚାଲିଛି। ୨୭ ବର୍ଷିୟ ମୁସା ଆଇଏସ୍‌ଆଇଏସ୍‌ କାଇଦାରେ ତଣ୍ଟି କାଟିବା ତାଲିମ୍‌ ନେଇଛି। ବୀରଭୂମରେ ଲୋକଙ୍କୁ ମାରିବାକୁ ଯୋଜନା କରିଥିବା ଅଭିଯୋଗରେ ଗତ ବର୍ଷ ମୁସାଙ୍କ ସହ ଅନ୍ୟ ଦୁଇ ଜଣଙ୍କୁ ଗିରଫ କରାଯାଇଥିଲା।

ପ୍ରତିଦିନ ସକାଳେ ସେଲ୍‌ ସବୁ ଖୋଲାଯାଇ କଏଦୀମାନଙ୍କୁ ଜେଲ୍‌ ପଡ଼ିଆକୁ ନିଆଯାଏ। ମୁସା ସେଲ୍‌ ନମ୍ବର ୧୩ରେ ଏକୁଟିଆ ରହେ। ସକାଳ ପ୍ରାୟ ୭ଟା ବେଳେ ୪୫ ବର୍ଷିୟ ଓ୍ଵାର୍ଡେନ୍‌ ଗୋବିନ୍ଦ ଚନ୍ଦ୍ର ଦେ ତା’ ସେଲ୍‌ର ତାଲା ଖୋଲିଥିଲେ। ମୁସା ଖଣ୍ଡେ ପଥର ଯୋଗେ ତାଙ୍କ ମୁଣ୍ଡକୁ ଆଘାତ କରିଥିଲା।

ଦେ ତଳେ ପଡ଼ି ଯିବାରୁ ମୁସା ତାଙ୍କ ଉପରକୁ କୁଦି ପଡ଼ି ଏକ ଧାରୁଆ ଧାତବ ପାତ ଯୋଗେ ତାଙ୍କ ତଣ୍ଟି କାଟିବାକୁ ଉଦ୍ୟମ କଲା। ଅନ୍ୟ ଗାର୍ଡ ଏବଂ ବନ୍ଦୀମାନେ ଛାନିଆ ହୋଇ ଦେଖୁଥିବାବେଳେ ଜଣେ ବନ୍ଦୀ ପଛଆଡୁ ଯାଇ ମୁସାର ହାତକୁ ଧରି ପକାଇଲା। ମୁସାକୁ ତଳେ ପକାଇ ମାଡ଼ି ବସିବାବେଳକୁ ଦେ’ଙ୍କ ତଣ୍ଟିରୁ ରକ୍ତ ବାହାରୁ ଥିଲା। ତାଙ୍କୁ ଏସ୍‌ଏସ୍‌କେଏମ୍‌ ହସ୍‌ପିଟାଲ୍‌କୁ ନିଆଯାଇଥିଲା। ପରେ ତାଙ୍କୁ ଏକ ନର୍ସିଙ୍ଗ୍‌ ହୋମ୍‌କୁ ନିଆଯାଇଥିଲା।

ଏହି ଆକ୍ରମଣ ଥିଲା ଅପ୍ରତ୍ୟାଶିତ। ଅତୀତରେ ମୁସା ଜେଲ୍‌ରେ କୌଣସି ହିଂସାକାଣ୍ଡ କରିଥିବାର ରେକର୍ଡ ନ ଥିଲା। ତାକୁ ଏବେ ଗୋପନ ସେଲ୍‌ରେ ବନ୍ଦ କରି ରଖାଯିବ। ସେ କେମିତି ଧାରୁଆ ଧାତୁ ଖଣ୍ଡକ ପାଇଲା ସେ ବିଷୟରେ ତଦନ୍ତ ଆରମ୍ଭ କରାଯାଇଛି।

ଗତ ଜୁଲାଇ ମାସରେ ବର୍ଦ୍ଦଓ୍ଵାନ୍‌ ଷ୍ଟେସନ୍‌ରୁ ମୁସାକୁ ଗିରଫ କରାଯାଇଥିଲା। ପୁଲିସ ତା’ ଠାରୁ ଗୋଟାଏ ପିସ୍ତଲ ଏବଂ ଗୋଟାଏ ଛୁରି ଉଦ୍ଧାର କରିଥିଲା। ସିଆଡି ହାତକୁ ମାମଲା ଯିବା ପରେ ଜଣା ପଡ଼ିଥିଲା ମୁସା ବୀରଭୂମରେ ଲୋକଙ୍କୁ ମାରିବାକୁ ଯୋଜନା କରୁଥିଲା। ଆଇଏସ୍‌ ପରିଚାଳକମାନଙ୍କ ସହ ତା’ର ୨୦୧୪ରୁ ସମ୍ପର୍କ ଅଛି ବୋଲି ସେ ସ୍ୱୀକାର କରିଥିଲା। ବିଭିନ୍ନ ପ୍ରକାର ଚାଟ୍‌ ପ୍ଲାଟ୍‌ଫର୍ମ, ନେଟ୍‌ଓ୍ଵାର୍କିଂ ସାଇଟ୍‌ ଓ ଆପ୍‌ ଯୋଗେ ସେ ସେମାନଙ୍କ ସହ ଯୋଗସୂତ୍ର ରଖିଥିଲା। ଧୀରେ ଧୀରେ ସେ ଭାରତରୁ ଆଇଏସ୍‌ ପାଇଁ ଅଳ୍ପ କିଛି କର୍ମୀ ନିଯୁକ୍ତ କରି ତାଙ୍କର ପରିଚାଳକ ହୋଇଥିଲା।

ଫାଇନାଲ୍‌ ଚାର୍ଜସିଟ୍‌ରେ ଏନ୍‌ଆଇଏ ଉଲ୍ଲେଖ କରିଥିଲା ଯେ ମୁସା ଏବଂ ତାଙ୍କର ସହଯୋଗୀମାନେ ଭାରତରେ ଆଇଏସ୍‌ର ଉପସ୍ଥିତି ସଂକ୍ରାନ୍ତରେ ସୂଚନା ପଠାଇବାକୁ ଯୋଜନା କରୁଥିଲେ। କେଉଁ କେଉଁ ସ୍ଥାନରେ ବିଦେଶୀ ପର୍ଯ୍ୟଟକମାନଙ୍କୁ ଆକ୍ରମଣ କରିବେ ତାହା ମଧ୍ୟ ସେମାନେ ଚିହ୍ନଟ କରିଥିଲେ।

ସମ୍ବନ୍ଧିତ ଖବର