ବେଙ୍ଗାଲୁରୁ : ପାସପୋର୍ଟ ଆଇନ ଅନୁଯାୟୀ ପାସପୋର୍ଟ ହଜିଗଲେ ପୁଲିସ ନିକଟରେ ଏଫଆଇଆର ରୁଜ୍ଜୁ କରିବାକୁ ହେବ । ଏପରି ନ ହେଲେ ଆବେଦନକାରୀଙ୍କୁ ନୂଆ ପାସପୋର୍ଟ ଜାରି କରାଯାଇପାରିବ ନାହିଁ ବୋଲି କର୍ଣ୍ଣାଟକ ହାଇକୋର୍ଟ ରାୟ ଦେଇଛନ୍ତି ।
କର୍ଣ୍ଣାଟକର ଜଣେ ବ୍ୟକ୍ତିଙ୍କ ପାସପୋର୍ଟ ହଜିବା ପରେ ସେ ଏକ ନୂଆ ପାସପୋର୍ଟ ପାଇଁ ଆଞ୍ଚଳିକ ପାସପୋର୍ଟ ଅଧିକାରୀଙ୍କ ନିକଟରେ ଆବେଦନ କରିଥିଲେ । କିନ୍ତୁ ବିନା ପୁଲିସ ଏଫଆଇଆରରେ ନୂଆ ପାସପୋର୍ଟ ଜାରି କରାଯାଇପାରିବ ନାହିଁ ବୋଲି ଆଞ୍ଚଳିକ ପାସପୋର୍ଟ ଅଧିକାରୀ କହିଥିଲେ । ଏହାକୁ ଚ୍ୟାଲେଞ୍ଜ୍ କରି ସଂପୃକ୍ତ ବ୍ୟକ୍ତି ହାଇକୋର୍ଟରେ ଆବେଦନ କରିଥିଲେ । କିନ୍ତୁ ହାଇକୋର୍ଟ ତାଙ୍କ ଆବେଦନକୁ ଖାରଜ କରିଦେଇଛନ୍ତି ।
ପାସପୋର୍ଟ ଆଇନର ଧାରା-୨୪ରେ କ୍ଷତିଗ୍ରସ୍ତ କିମ୍ବା ନଷ୍ଟ ହୋଇଥିବା ପାସପୋର୍ଟ କିମ୍ବା ଯାତ୍ରା ଦସ୍ତାବିଜ ବଦଳରେ ନକଲି (ବିକଳ୍ପ) ପାସପୋର୍ଟ କିମ୍ବା ଯାତ୍ରା ଦସ୍ତାବିଜ ଜାରି କରିବା ସଂପର୍କିତ ନିୟମ ସଂପର୍କରେ ଉଲ୍ଲେଖ ଅଛି ।
ନିଜ ରାୟରେ ହାଇକୋର୍ଟ କହିଛନ୍ତି, ବିଦେଶ ଭ୍ରମଣର ଅଧିକାର ଏକ ମୌଳିକ ଅଧିକାର । ଏହା ସତ, କିନ୍ତୁ ପାସପୋର୍ଟ ଜାରି କରିବା ପାସପୋର୍ଟ ଆଇନ ଏବଂ ଏହା ଅଧୀନରେ ତିଆରି ନିୟମ ଦ୍ୱାରା ନିୟନ୍ତ୍ରିତ ହୋଇଥାଏ । ଯଦି ଆଇନରେ ଏକ ନିର୍ଦ୍ଦିଷ୍ଟ ପ୍ରକ୍ରିୟା ନିର୍ଦ୍ଧାରଣ କରାଯାଇଛି, ତେବେ ଆବଶ୍ୟକ କାଗଜପତ୍ର ସହିତ ଉପଯୁକ୍ତ ଉପାୟରେ ଆବେଦନ କରି ଏହାକୁ ଅନୁସରଣ କରିବାକୁ ପଡିବ । "