ନବୀନ ଓ ମମତାଙ୍କ ଫର୍ମୁଲା ପ୍ରିୟଙ୍କା ଗାନ୍ଧୀଙ୍କୁ ସଫଳତା ଦେବ କି?

ନୂଆଦିଲ୍ଲୀ: ଉତ୍ତରପ୍ରଦେଶରେ କଂଗ୍ରେସ ଦଳର କମାଣ୍ଡର ଭୂମିକାରେ ଏବେ ପ୍ରିୟଙ୍କା ଗାନ୍ଧୀ ଅଛନ୍ତି | ବିଧାନସଭା ନିର୍ବାଚନରେ ରଣନୀତି ପ୍ରସ୍ତୁତ ହେଉ କି ପ୍ରାର୍ଥୀ ତାଲିକା ପ୍ରସ୍ତୁତ କରିବା ହେଉ ଏବେ ପ୍ରିୟଙ୍କା ଏସବୁ କଥା ବୁଝୁଛନ୍ତି | ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ କଂଗ୍ରେସ ଦଳ ଏକ ଶକ୍ତିଶାଳୀ ପ୍ରତିଦ୍ୱନ୍ଦ୍ୱୀ ନ ହେଲେ ବି କଂଗ୍ରେସର ରଣନୀତି ଉପରେ ଏବେ ସମସ୍ତେ ନଜର ରଖିଛନ୍ତି | କାରଣ ନିର୍ବାଚନ ଋତୁ ଆରମ୍ଭ ହେବା ସହିତ କଂଗ୍ରେସ ମହିଳାଙ୍କୁ ଅଧିକ ଫୋକସ କରିଛି | କାରଣ କଂଗ୍ରେସର ଇସ୍ତାହାରରେ ମହିଳାମାନଙ୍କର ଆତ୍ମନିର୍ଭରଶୀଳତା, ସ୍ୱାଭିମାନ, ଶିକ୍ଷା, ସମ୍ମାନ, ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଅନେକ ବଡ଼ ଘୋଷଣା କରାଯାଇଥିଲା |

ଏହା ସହିତ କଂଗ୍ରେସ ୟୁପି ବିଧାନସଭା ନିର୍ବାଚନରେ ​​ମହିଳାମାନଙ୍କୁ ୪୦ ପ୍ରତିଶତ ଟିକେଟ୍ ଦେବାକୁ ପ୍ରତିଶ୍ରୁତି ଦେଇଥିଲା ଏବଂ ପ୍ରକାଶିତ ପ୍ରାର୍ଥୀଙ୍କ ପ୍ରଥମ ତାଲିକାରେ ୧୨୫ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୫୦ ଜଣ ମହିଳା ପ୍ରାର୍ଥୀଙ୍କୁ ଟିକେଟ୍ ଦିଆଯାଇଥିଲା। ତେବେ ଏହାର ପ୍ରଭାବ କଣ ପଡୁଛି ତାହା ଦେଖିବାର କଥା | ଅବଶ୍ୟ ପ୍ରିୟଙ୍କା ଗାନ୍ଧୀଙ୍କ ପୂର୍ବରୁ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ୪୦ ପ୍ରତିଶତ ମହିଳାଙ୍କୁ ଟିକେଟ ଦେଇ ବେଶ ସଫଳତା ପାଇଥିଲେ |

୨୦୧୯ ଲୋକସଭା ନିର୍ବାଚନରେ ମମତା ପଶ୍ଚିମବଙ୍ଗର ୪୨ଟି ଆସନ ମଧ୍ୟରୁ ୧୭ ଜଣ ମହିଳା ପ୍ରାର୍ଥୀଙ୍କୁ ଟିକେଟ ଦେଇଥିଲେ | ଏଥି ମଧ୍ୟରୁ ୯ ଜଣ ଜିତିଥିଲେ । ଅର୍ଥାତ୍ ବିଜେତାଙ୍କ ହାର ୫୦ ପ୍ରତିଶତରୁ ଅଧିକ ଥିଲା | ଅନ୍ୟପକ୍ଷରେ, ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଓଡ଼ିଶାର ୨୧ଟି ଲୋକସଭା ଆସନରୁ ୭ ଜଣ ମହିଳାଙ୍କୁ ଟିକେଟ୍ ଦେଇଥିଲେ ଓ ଏଥିରେ ୫ ଜଣ ମହିଳା ପ୍ରାର୍ଥୀ ଜିତିଥିଲେ | ଆଉ ଏହି ଦୁଇ ଦଳର ପରୀକ୍ଷଣ ବହୁ ପରିମାଣରେ ସଫଳ ହୋଇଥିଲା | ତେବେ ପ୍ରିୟଙ୍କା କେତେ ସଫଳ ହେବେ ତାହା ତ ନିର୍ବାଚନ ଫଳାଫଳ ପରେ ଜଣାପଡିବ |

ସମ୍ବନ୍ଧିତ ଖବର