ଲଣ୍ଡନ : ଋଷିଆ ପକ୍ଷରୁ କ୍ରିମିଆ ଓ ୟୁକ୍ରେନ ସୀମାର ଅନ୍ୟ କେତେକ ଅଂଚଳରୁ ସୈନ୍ୟ ପ୍ରତ୍ୟାହାର ସଂପର୍କରେ ଘୋଷଣା କରାଯାଇଥିଲେ ବି ପାଶ୍ଚାତ୍ୟ ଦେଶମାନେ ଏହାକୁ ବିଶ୍ବାସ କରିପାରୁନାହାନ୍ତି । ଏପରିକି ଋଷିଆ ଗୋପନରେ ସୈନ୍ୟ ସଂଖ୍ୟା ବଢାଇଚାଲିଛି ବୋଲି ଆମେରିକାର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ।
ନିଜର ନାମ ଗୋପନ ରଖି ସଂପୃକ୍ତ ଆମେରିକୀୟ ଅଧିକାରୀ କହିଛନ୍ତି ଯେ, ସୈନ୍ୟ ପ୍ରତ୍ୟାହାର ତ ଦୂରର କଥା, ଋଷିଆ ୟୁକ୍ରେନ ସୀମାରେ ପ୍ରାୟ ୭ ହଜାର ଅତିରିକ୍ତ ସୈନ୍ୟ ମୁତୟନ କରିଛି । ସୈନ୍ୟ ପ୍ରତ୍ୟାହାର ସମ୍ପର୍କରେ ମସ୍କୋ ମିଛ, କହୁଛି ଓ ଗୋପନରେ ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛି । ଆଉ କେତେକ ପାଶ୍ଚାତ୍ୟ ବିଶେଷଜ୍ଞ ବି ସମାନ ସଂଦେହ ପ୍ରକଟ କରିଛନ୍ତି । ଏହା ପରେ ସ୍ଥିତି ଆହୁରି ଜଟିଳ ହୋଇଯାଇଛି । ବ୍ରିଟେନର କେତେକ ମିଲିଟାରୀ ଅଫିସର କହିଛନ୍ତି ଯେ ଋଷିଆ ସୀମାନ୍ତ ଅଞ୍ଚଳକୁ ଅତିରିକ୍ତ ଟ୍ୟାଙ୍କ, ଯୁଦ୍ଧ ଯାନ ଓ ଫିଲ୍ଡ ହସପିଟାଲ ଆଦି ଆଣିଚାଲିଛି । ଏହା ଯୁଦ୍ଧର ପ୍ରସ୍ତୁତି ବୋଲି ସେମାନେ କହିଛନ୍ତି ।
ମସ୍କୋ ପକ୍ଷରୁ ବୁଧବାରଦିନ କୁହାଯାଇଥିଲା ଯେ କ୍ରିମିଆରେ ଚାଲିଥିବା ଯୁଦ୍ଧାଭ୍ୟାସ ଶେଷ ହୋଇଛି । ଏହି ଯୁଦ୍ଧାଭ୍ୟାସରେ ଭାଗ ନେଇଥିବା ସୈନ୍ୟମାନେ ଫେରିବା ଆରମ୍ଭ କରିଛନ୍ତି । ଏହାକୁ ପ୍ରମାଣିତ କରିବାକୁ ଋଷୀୟ ମିଲିଟାରୀ ପକ୍ଷରୁ ଏକ ଭିଡିଓ ଜାରି କରାଯାଇଥିଲା ।