ନୂଆଦିଲ୍ଲୀ: ‘ଏକ ରାଷ୍ଟ୍ର, ଏକ ନିର୍ବାଚନ’ ବା ଗୋଟିଏ ଦେଶ ଲାଗି ଗୋଟିଏ ନିର୍ବାଚନ ଚର୍ଚ୍ଚା ଦେଶରେ ଏବେ ଆରମ୍ଭ ହୋଇଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୂର୍ବରୁ ଏଥିପାଇଁ ଯୁକ୍ତି ରଖି ସାରିଛନ୍ତି। ଗତମାସ ରଜ୍ୟସଭାରେ ଆଲୋଚନା ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ଦେଶରେ ଗୋଟିଏ ସମୟରେ ନିର୍ବାଚନକୁ ସମୟର ଆବଶ୍ୟକତା ବୋଲି କହିଥିଲେ। କିନ୍ତୁ ପ୍ରଶ୍ନ ଉଠୁଛି ଏହା କିଭଳି ହେବ? ସଂସଦର ମୌସୁମୀ ଅଧିବେଶନରେ ସରକାର ଏହାର ଜବାବ ଦେଇସାରିଛନ୍ତି। କେନ୍ଦ୍ରୀୟ ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ସଂସଦରେ କହିଥିଲେ ଯେ ଏକାସଙ୍ଗରେ ନିର୍ବାଚନ କରିବା ପାଇଁ ସମ୍ବିଧାନର ଧାରା ୮୩,୮୫, ୧୭୨, ୧୭୪ ଏବଂ ୩୫୬ରେ ସଂଶୋଧନର ଆବଶ୍ୟକତା ରହିଛି।
ସଂଶୋଧନ କାହିଁକି?
୨୦୧୮ ଅଗଷ୍ଟରେ ଏକ ଦେଶ-ଏକ ନିର୍ବାଚନ ପାଇଁ ଲ କମିସନ ରିପୋର୍ଟ ଆସିଥିଲା। ସେହି ରିପୋର୍ଟରେ ପରାମର୍ଶ ଦିଆଯାଇଥିଲା ଯେ ଦେଶରେ ଦୁଇଟି ପର୍ଯ୍ୟାୟରେ ନିର୍ବାଚନ କରାଯାଇ ପାରିବ। ପ୍ରଥମ ପର୍ଯ୍ୟାୟରେ ଲୋକସଭା ସହିତ କିଛି ରାଜ୍ୟର ବିଧାନସଭା ନିର୍ବାଚନ ହେବ। ଦ୍ବିତୀୟ ପର୍ଯ୍ୟାୟରେ ଅବଶିଷ୍ଟ ରାଜ୍ୟର ବିଧାନସଭା ନିର୍ବାଚନ ହେବ। କିନ୍ତୁ ଏଥିପାଇଁ କିଛି ବିଧାନସଭାର କାର୍ଯ୍ୟକାଳ ବଢ଼ାଇବାକୁ ହେବ ଏବଂ କିଛି ବିଧାନସଭାକୁ କାର୍ଯ୍ୟକାଳ ନସରିବା ପୂର୍ବରୁ ଭାଙ୍ଗିବାକୁ ହେବ। ତେବେ ସମ୍ବିଧାନ ସଂଶୋଧନ ବିନା ଏହା ସମ୍ଭବ ନୁହେଁ।
ସମ୍ବିଧାନର ୫ଟି ଧାରାରେ କ’ଣ ବ୍ୟବସ୍ଥା ରହିଛି?
ଧାରା-୮୩: ଏହି ଧାରା ଅନୁଯାୟୀ, ଲୋକସଭା କାର୍ଯ୍ୟକାଳ ୫ ବର୍ଷ ପର୍ଯ୍ୟନ୍ତ ରହିବ। ତେବେ ଧାରା ୮୩(୨)ରେ ବ୍ୟବସ୍ଥା ରହିଛି ଯେ ଲୋକସଭାର କାର୍ଯ୍ୟକାଳ ଥରକେ ୧ ବର୍ଷ ପାଇଁ ବୃଦ୍ଧି କରାଯାଇ ପାରିବ।
ଧାରା-୮୫: ଲୋକସଭାର କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ତାହାକୁ ଭାଙ୍ଗିବାର ଅଧିକାର ରାଷ୍ଟ୍ରପତିଙ୍କୁ ପ୍ରଦାନ କରାଯାଇଛି।
ଧାରା-୧୭୨: ଉକ୍ତ ଧାରା ଅନୁଯାୟୀ ବିଧାନସଭାର କାର୍ଯ୍ୟକାଳ ୫ ବର୍ଷ ଧାର୍ଯ୍ୟ କରାଯାଇଛି। ତେବେ ଧାରା ୮୩(୨) ଅନୁସାରେ ବିଧାନସଭାର କାର୍ଯ୍ୟକାଳ ମଧ୍ୟ ୧ ବର୍ଷ ପାଇଁ ବଢ଼ାଯାଇ ପାରିବ।
ଧାରା-୧୭୪: ରାଷ୍ଟ୍ରପତିଙ୍କ ପାଖରେ ଯେଭଳି ଲୋକସଭା ଭଙ୍ଗ କରିବାର ଅଧିକାର ରହିଛି। ସେହିଭଳି ଧାରା ୧୭୪ରେ ରାଜ୍ୟପାଳଙ୍କୁ ବିଧାନସଭା ଭଙ୍ଗ କରିବାର ଅଧିକାର ମଧ୍ୟ ପ୍ରଦାନ କରାଯାଇଛି।
ଧାରା-୩୫୬: ଉକ୍ତ ଧାରାରେ କୌଣସି ରାଜ୍ୟରେ ରାଷ୍ଟ୍ରପତି ଶାସନ ଜାରି କରିବାର ବ୍ୟବସ୍ଥା ରହିଛି। ରାଜ୍ୟପାଳଙ୍କ ସୁପାରିସ ଆଧାରରେ କୌଣସି ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ ହୋଇପାରିବ।
ଏକସଂଗରେ ନିର୍ବାଚନର ବିକଳ୍ପ -୧
କିଛି ରାଜ୍ୟର ନିର୍ବାଚନ ଲୋକସଭା ନିର୍ବାଚନ ସିହତ ହୋଇଥାଏ। ଅନ୍ୟ କିଛି ରାଜ୍ୟରେ ଲୋକସଭା ନିର୍ବାଚନ ପୂର୍ବରୁ ଏବଂ ଅନ୍ୟ କିଛି ରାଜ୍ୟରେ ଲୋକସଭା ନିର୍ବାଚନ ପରେ ବିଧାନସଭା ନିର୍ବାଚନ ହୋଇଥାଏ। ଏହାହେଲେ କିଛି ରାଜ୍ୟର ବିଧାନସଭା କାର୍ଯ୍ୟକାଳକୁ ବଢ଼ାଇ ଏବଂ କିଛି ବିଧାନସଭାକୁ ଆଗୁଆ ଭଙ୍ଗ କରି ଏକାସାଥିରେ ନିର୍ବାଚନ କରିବାକୁ ହେବ।
ବିକଳ୍ପ-୨
କିଛି ବିଧାନସଭାର କାର୍ଯ୍ୟକାଳ ଲୋକସଭା ନିର୍ବାଚନ ଶେଷହେବାର ଦୁଇବର୍ଷ ପରେ ଶେଷ ହେଉଛି। ସେଠାରେ ଦୁଇଟି ପର୍ଯ୍ୟାୟରେ ନିର୍ବାଚନ କରାଯାଇ ପାରିବ। ପ୍ରଥମ ପର୍ଯ୍ୟାୟରେ ଲୋକସଭା ସାଥିରେ କିଛି ରାଜ୍ୟର ବିଧାନସଭା ନିର୍ବାଚନ କରିବାକୁ ହେବ। ଦ୍ବିତୀୟ ପର୍ଯ୍ୟାୟରେ ଅବଶିଷ୍ଟ ରାଜ୍ୟର ନିର୍ବାଚନ ହେବ। ଏହାହେଲେ ୫ ବର୍ଷରେ ଦେଶରେ ଦୁଇଥର ବିଧାନସଭା ନିର୍ବାଚନ ହେବ।
ବିକଳ୍ପ-୩
ଆଇନ କମିସନ ତାଙ୍କ ରିପୋର୍ଟରେ ପରାମର୍ଶ ଦେଇଛନ୍ତି ଯେ ଯଦି ଏକାସଙ୍ଗରେ ନିର୍ବାଚନ କରାଯାଇ ପାରିବ ନାହିଁ ତାହେଲେ ବର୍ଷକ ମଧ୍ୟରେ ହେବାକୁ ଥିବା ସବୁ ନିର୍ବାଚନକୁ ଏକାସାଥିରେ କରିଦିଆଯିବ। ଫଳରେ ଗୋଟିଏ ବର୍ଷରେ ବାରମ୍ବାର ହେଉଥିବା ନିର୍ବାଚନ ଆଉ କରିବାକୁ ହେବନାହିଁ।