ଦେଶର ପ୍ରଥମ ମହିଳା ପ୍ରଧାନ ବିଚାରପତିଙ୍କ ପାଇଁ ପଥ ପରିଷ୍କାର ତ?

ନୂଆଦିଲ୍ଲୀ: ଆଗାମୀ ୨୪ ତାରିଖରେ ଦେଶର ପରବର୍ତ୍ତୀ ପ୍ରଧାନ ବିଚାରପତି ଜଷ୍ଟିସ୍‌ ଏନ୍‌ ଭି ରମଣା ବର୍ତ୍ତମାନର ପ୍ରଧାନ ବିଚାରପତି ଜଷ୍ଟିସ ଏସ୍‌ ଏ ବୋବଡ଼େଙ୍କ ଠାରୁ ଦାୟିତ୍ବ ନେବେ। ସେତେବେଳେ ଏକ ପ୍ରମୁଖ ପ୍ରସଙ୍ଗ ପ୍ରତି ସମସ୍ତଙ୍କର ନଜର ରହିବ। ତାହାହେଲା ସୁପ୍ରିମକୋର୍ଟ ସମେତ ବିଭିନ୍ନ ହାଇକୋର୍ଟରେ ମହିଳା ବିଚାରପତିଙ୍କ ନିଯୁକ୍ତିକୁ କେନ୍ଦ୍ର କରି ରହି ଆସିଥିବା ଲିଙ୍ଗଗତ ତାରତମ୍ୟ ପ୍ରତି ଜଷ୍ଟିସ ରମଣାଙ୍କର ଆଭିମୁଖ୍ୟ। ସୂଚନା ଥାଉ କି, ଅନେକ ମହିଳା ଆଇନଜୀବୀ ପାରିବାରିକ ସମସ୍ୟା ଦର୍ଶାଇ ବିଚାରପତି ହେବା ପାଇଁ ମନ ବଳାଉନାହାନ୍ତି ବୋଲି ନିକଟରେ ଜଷ୍ଟିସ ବୋବଡ଼େ ଟିପ୍ପଣୀ କରିବା ପରେ କେତେକ ମହିଳା ଆଇନଜୀବୀ ସଂଘ ଏଭଳି ଦାୟିତ୍ବ ଗ୍ରହଣ କରିବା ପାଇଁ ଆଗଭର ହୋଇଛନ୍ତି। ଏଭଳି ସ୍ଥିତିରେ ପ୍ରଧାନ ବିଚାରପତିଙ୍କ ନେତୃତ୍ବରେ ଗଠିତ କଲେଜିଅମ୍‌ ନ୍ୟାୟପାଳିକାରେ ରହିଥିବା ଲିଙ୍ଗଗତ ଅସନ୍ତୁଳନକୁ କିପରି ଟାଳି ପାରୁଛନ୍ତି, ତାହା ହିଁ ଚର୍ଚ୍ଚାର ବିଷୟ।

ଏଠାରେ ସ୍ମରଣଯୋଗ୍ୟ, ଦେଶ ସ୍ବାଧୀନ ହେବାଠାରୁ ଜଣେ ବି ମହିଳା ପ୍ରଧାନ ବିଚାରପତି ଦାୟିତ୍ବ ନେଇନାହାନ୍ତି। ଅପରପକ୍ଷେ, ଅଦ୍ୟାବଧି ମାତ୍ର ୮ ଜଣ ମହିଳା ବିଚାରପତି ସୁପ୍ରିମକୋର୍ଟ ଯାଏ ପହଞ୍ଚି ପାରିଛନ୍ତି। ସମ୍ପ୍ରତି ଜଷ୍ଟିସ ଇନ୍ଦିରା ବାନାର୍ଜୀ ହେଉଛନ୍ତି ସୁପ୍ରିମକୋର୍ଟର ଏକମାତ୍ର ମହିଳା ବିଚାରପତି। ସେହିପରି ଦେଶରେ ରହିଥିବା ୨୬ଟି ହାଇକୋର୍ଟରେ ମୋଟ ୧,୦୭୯ ବିଚାରପତି ପଦବି ମଧ୍ୟରୁ ମାତ୍ର ୮୨ ଜଣ ମହିଳା ଅଛନ୍ତି। ସେମାନଙ୍କ ଭିତରୁ ମାଡ୍ରାସ ହାଇକୋର୍ଟରେ ସର୍ବାଧିକ ୧୩ ଜଣ ମହିଳା ଥିଲା ବେଳେ ତାହା ପଛକୁ ପଞ୍ଜାବ ଓ ହରିୟାଣା ହାଇକୋର୍ଟରେ ୧୧ ଜଣ ରହିଛନ୍ତି। ତେବେ ଅଳ୍ପ କିଛି ମହିଳା ବିଚାରପତିଙ୍କ ନାମ କଲେଜିଅମ୍‌ ବିଚାର କରୁଥିବା ଜଣାଯାଇଛି। ସେମାନଙ୍କ ଭିତରେ କର୍ଣ୍ଣାଟକ ହାଇକୋର୍ଟର ବରିଷ୍ଠ ବିଚାରପତି ଜଷ୍ଟିସ ବି ଭି ନାଗରତ୍ନଙ୍କ ନାମ ସର୍ବାଗ୍ରେ ରହିଛି।

ଯଦି ତାଙ୍କ କଥା ଚୂଡ଼ାନ୍ତ ହୁଏ, ୨୦୨୭ ମସିହାରେ ସେ ହିଁ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ହୋଇପାରନ୍ତି। ସେହିପରି ତାଙ୍କ ପଛକୁ ତେଲେଙ୍ଗାନା ହାଇକୋର୍ଟର ଜଷ୍ଟିସ ହିମା କୋହଲିଙ୍କ ନାମ ଶୁଣାଯାଉଛି। ଆସନ୍ତା ସେପ୍ଟେମ୍ବର ମାସରେ ଅବସର ନେଉଥିବା ଜଷ୍ଟିସ କୋହଲିଙ୍କୁ ଯଦି ସର୍ବୋଚ୍ଚ ନ୍ୟାୟାଳୟରେ ନିଯୁକ୍ତି ଦିଆଯାଏ, ତାଙ୍କ କାର୍ଯ୍ୟକାଳ ୨୦୨୪ ଯାଏ ପରିବର୍ଦ୍ଧିତ ହୋଇପାରିବ। ଅପରପକ୍ଷେ, ଦେଶର ସର୍ବୋଚ୍ଚ ଅଦାଲତର ବିଚାରପତି ନିଯୁକ୍ତି ପାଇଁ ସେଭଳି କିଛି ନିର୍ଦ୍ଧିଷ୍ଟ ନୀତିନିୟମ ନଥିବା ବେଳେ ସାଧାରଣତଃ ବରିଷ୍ଠତା ଓ ଆଞ୍ଚଳିକ ପ୍ରତିନିଧିତ୍ବକୁ ପ୍ରାଧାନ୍ୟ ଦିଆଯାଇ ଆସୁଛି। ସୁତରାଂ ଏହି ଗୁରୁତ୍ବପୂର୍ଣ୍ଣ ପଦବି ପାଇଁ କେଉଁ ମହିଳା ବିଚାରପତିଙ୍କ ମୁଣ୍ଡରେ ସୁନାକଳସ ଢଳାଯିବ ତାହା ଅନୁମାନ କରିବା କଷ୍ଟକର।

ସମ୍ବନ୍ଧିତ ଖବର