ମୁମ୍ବାଇ: ମହାରାଷ୍ଟ୍ରର ମୁମ୍ବାଇରେ ଏନସିପି ନେତା ବାବା ସିଦ୍ଦିକିଙ୍କ ହତ୍ୟା ପରେ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇଙ୍କୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି | ଯଦିଓ ଲରେନ୍ସ ଏବେ ଗୁଜୁରାଟର ସାବରମତି ଜେଲରେ ଅଛି, କିନ୍ତୁ ତା’ର ନିର୍ଦ୍ଦେଶରେ ଗୁଣ୍ଡାମାନେ କ୍ରମାଗତ ଭାବରେ ଅପରାଧ କରୁଛନ୍ତି। ବାବା ସିଦ୍ଦିକିଙ୍କ ପରେ ଏବେ ହାସ୍ୟାଭିନେତା ତଥା ବିଗ୍ ବସ୍-୧୭ ବିଜେତା ମୁନାୱର ଫାରୁକୀ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ଟାର୍ଗେଟରେ ଥିବା ଜଣାଯାଇଛି। ଏଥିପାଇଁ ମୁନାୱରଙ୍କ ସୁରକ୍ଷା ବଢ଼ାଇ ଦିଆଯାଇଥିବା ସାମ୍ନାକୁ ଆସିଛି।

Advertisment

କୁହାଯାଉଛି ଯେ, ଗତ ମାସରେ ଦିଲ୍ଲୀରେ ମୁନାୱରଙ୍କୁ ଲରେନ୍ସ ଗ୍ୟାଙ୍ଗର ସଦସ୍ୟ ଟାର୍ଗେଟ କରିିଥିଲେ। ସେପ୍ଟେମ୍ବରରେ ଏକ ଇଭେଣ୍ଟ ପାଇଁ ମୁନାୱର ଦିଲ୍ଲୀ ଯାଇଥିବା ବେଳେ ସେ ରହୁଥିବା ହୋଟେଲରେ ରୁମ୍ ନେଇ ରହିଥିଲେ ବିଷ୍ଣୋଇ ଗ୍ୟାଙ୍ଗର ସଦସ୍ୟ। ଏହି ଘଟଣା ପରଠୁ ପୁଲିସ ତାଙ୍କର ସୁରକ୍ଷା ବଢ଼ାଇ ଦେଇଥିଲା। ପୂର୍ବରୁ ଏହି ଖବର ସାମ୍ନାକୁ ଆସିନଥିବା ବେଳେ ଏବେ ଏହା ସାମ୍ନାକୁ ଆସିଛି।

ଉଲ୍ଲେଖଯୋଗ୍ୟ, ମହାରାଷ୍ଟ୍ର ରାଜନୀତିରେ ଏକ ବଡ ନାମ ଥିବା ଏବଂ ବଲିଉଡ ସହିତ ଗଭୀର ସମ୍ପର୍କ ଥିବା ବାବା ସିଦ୍ଦିକଙ୍କୁ ମୁମ୍ବାଇର ବାନ୍ଦ୍ରାଠାରେ ଗୁଳି କରି ହତ୍ୟା କରାଯାଇଥିଲା। ଶନିବାର ସେ ନିଜ ପୁଅର ଅଫିସରୁ ବାହାରକୁ ଆସିବା ପରେ ତାଙ୍କ ଉପରେ ଆକ୍ରମଣ କରାଯାଇଥିଲା। ୬ରାଉଣ୍ଡ ଗୁଳି ଚଳାଯାଇଥିବା ବେଳେ ୩ଟି ଗୁଳି ତାଙ୍କ ଦେହରେ ବାଜିବାରୁ ତାଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି।