ପାଟନା: ନିଜ ଜୀବନ ବୃତ୍ତାନ୍ତ କହୁଥିବା ବେଳେ ମାତ୍ରାଧିକ ଇଂରାଜୀ ଶବ୍ଦ ପ୍ରୟୋଗ କରିଥିବା ଜଣେ ବିତ୍ତଶାଳୀ କୃଷକଙ୍କୁ ମଙ୍ଗଳବାର ଦିନ ଭର୍ତ୍ସନା କରି ବିହାରର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କହିଲେ, ଏଇଟା କ’ଣ ଇଂଲଣ୍ଡ୍?
ବାପୁ ସଭାଘର ଅଡିଟରିୟମ୍ରେ ରାଜ୍ୟ ସରକାରଙ୍କ ୪ର୍ଥ କୃଷି ଯୋଜନା ଉଦ୍ଘାଟନୀ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ନିଜ ଜୀବନର ପ୍ରେରଣାଦାୟୀ ଘଟଣାବଳି ବଖାଣୁଥିବା ଉକ୍ତ କୃଷକ ହେଉଛନ୍ତି ଲଖିସରାଇବାସୀ ଅମିତ କୁମାର।
କୃଷି ଅନୁକୂଳ ପରିବେଶ ସୃଷ୍ଟି କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଅମିତ କୁମାର ଭୂୟସୀ ପ୍ରଶଂସା କରି ତାଙ୍କ ବକ୍ତବ୍ୟ ଆରମ୍ଭ କରିଥିଲେ। ସେ କହିଥିଲେ କି, ରାଜ୍ୟରେ ‘ମ୍ୟାନେଜ୍ମେଣ୍ଟ୍’ରେ ସ୍ନାତକ ହାସଲ କରିଥିଲେ ସୁଦ୍ଧା କୃଷିରୁ ଭଲ ଉପାର୍ଜନ କରିହେବ ବୋଲି ବିଚାରି ସେ ପୁଣେରେ ଭଲ ଚାକିରି ଛାଡ଼ି ନିଜ ଜିଲ୍ଲାରେ ଛତୁଚାଷ କରିବାକୁ ସାହସ ଜୁଟାଇ ପାରିଥିଲେ।
ଭାଷଣ ଦେବାର କିଛି ସମୟ ପରେ ମୁଖ୍ୟମନ୍ତ୍ରୀ କୁମାର ବାଧା ଦେଇ କହିଲେ, ଆପଣ ବିହାରରେ କାମ କରୁଛନ୍ତି। ସାଧାରଣ ଲୋକଙ୍କ ଜୀବୀକା କୃଷିକୁ ବୃତ୍ତି କରିଛନ୍ତି। ଅଯଥା ଏତେଗୁଡ଼ିଏ ଇଂରାଜୀ ଶବ୍ଦ ପ୍ରୟୋଗ କରୁଛନ୍ତି କାହିଁକି? ଏଇଟା କ’ଣ ଇଂଲଣ୍ଡ୍?
ମୁଖ୍ୟମନ୍ତ୍ରୀଙ୍କ କଥା ଶୁଣି ସମବେତ ଜନତା କରତାଳି ଦେଇଥିଲେ। ମାତୃଭାଷା ପ୍ରତି ଅଶେଷ ସମ୍ମାନ ପ୍ରଦର୍ଶନ କରୁଥିବା ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଲେ ଯେ, କୋଭିଡ୍ଜନିତ ‘ଲକ୍ଡାଉନ୍’ ଯୋଗୁଁ ମାତ୍ରାଧିକ ସ୍ମାର୍ଟଫୋନ୍ ବ୍ୟବହାର ଅନେକ ଲୋକଙ୍କୁ ସେମାନଙ୍କର ନିଜସ୍ବ ଭାଷା ବିସ୍ମରଣ କରାଇଦେଇଛି।
ପୁଣି ବକ୍ତବ୍ୟ ଆରମ୍ଭ କରି ଅମିତ କହିଲେ ‘ଭଗର୍ଣ୍ଣମେଣ୍ଟ୍ ସ୍କମ୍ସ୍’। ମୁଖ୍ୟମନ୍ତ୍ରୀ କୁମାର କହିଲେ, ଇଏ କ’ଣ? ଆପଣ ‘ସରକାରୀ ଯୋଜନା’ କହିପାରୁ ନାହାନ୍ତି? ମୁଁ ଇଂରାଜୀ ମାଧ୍ୟମରେ ଇଞ୍ଜିନିୟରିଙ୍ଗ୍ ତାଲିମ ପାଇଛି। ସେ ଭାଷାକୁ (ଇଂରାଜୀ) ଶିକ୍ଷାଦୀକ୍ଷାର ଅନ୍ୟାନ୍ୟ କ୍ଷେତ୍ରରେ ପ୍ରୟୋଗ କରାଯାଇ ପାରିବ। ଦୈନନ୍ଦିନ ଜୀବନରେ କାହିଁକି ଇଂରାଜୀ କହିବା?
କିନ୍ତୁ, ‘ବିଜେପି’ ନେତା ତଥା ‘ଓବିସି’ ମୋର୍ଚ୍ଚାର ଜାତୀୟ ସାଧାରଣ ସମ୍ପାଦକ ନିଖିଳ ଆନନ୍ଦ ମୁଖ୍ୟମନ୍ତ୍ରୀଙ୍କ ଏହି ଆପତ୍ତିକୁ ହାସ୍ୟାସ୍ପଦ ବୋଲି କହିଛନ୍ତି। ସେ କହିଛନ୍ତି, ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଇଂରାଜୀ ଭାଷା ଉପରେ ବିରକ୍ତ ହେଉଛନ୍ତି ନା, ଜଣେ ନିମ୍ନ ପାହ୍ୟାର ବ୍ୟକ୍ତି ଇଂରାଜୀ କହୁଥିବାରୁ ବିରକ୍ତ ହେଉଛନ୍ତି? ସାଧାରଣ ସଭାରେ ଇଂରାଜୀ କହିବା ଉପରେ ତାଙ୍କର ଆପତ୍ତି ହାସ୍ୟାସ୍ପଦ।