ଏହା କ’ଣ ଆପଣଙ୍କ ସଂସ୍କୃତି? ମୁଖ୍ୟମନ୍ତ୍ରୀ କେସିଆର ପ୍ରଧାନମନ୍ତ୍ରୀଙ୍କୁ ସ୍ବାଗତ କରିବାକୁ ନପହଞ୍ଚିବାରୁ ଏଭଳି ପ୍ରଶ୍ନ କଲା ବିଜେପି

ହାଇଦ୍ରାବାଦ: ଆଜି ହାଇଦ୍ରାବାଦରେ ପହଞ୍ଚିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ହେଲେ ବିମାନବନ୍ଦରକୁ ସ୍ବାଗତ କରିବାକୁ ପହଞ୍ଚିନଥିଲେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ। ମୁଖ୍ୟମନ୍ତ୍ରୀଙ୍କ ଏଭଳି ବ୍ୟବହାରକୁ ଏବେ ସମାଲୋଚନା କରିଛି ରାଜ୍ୟ ବିଜେପି। ରାଜ୍ୟ ବିଜେପି ୟୁନିଟ୍ ମୁଖ୍ୟ ବନ୍ଦି ସଞ୍ଜୟ କୁମାର ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କୁ ଏନେଇ ସମାଲୋଚନା କରିଥିବା ଦେଖାଯାଇଛି।

ଏହାକୁ ପ୍ରୋଟୋକଲର ଉଲ୍ଲଂଘନ ବୋଲି କହି ବନ୍ଦି ସଞ୍ଜୟ କୁମାର କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସ୍ୱାଗତ କରିବାକୁ ମୁଖ୍ୟମନ୍ତ୍ରୀ କେସିଆର ଆସିଲେ ନାହିଁ। ଏହାକୁ ଆମେ  ଦୃଢ଼ ଭାବରେ ନିନ୍ଦା କରୁଛୁ। କେସିଆର, ଏହା କ’ଣ ଆପଣଙ୍କ ସଂସ୍କୃତି? ଆପଣ ୮୦,୦୦୦ ବହି ପଢ଼ିଥିବା ଦାବି କରୁଛନ୍ତି। ୮୦,୦୦୦ ବହି ପଢ଼ି ଆପଣ କ’ଣ ଏହି ସବୁ କରିବା ଶିଖିଛନ୍ତି। ପ୍ରଧାନମନ୍ତ୍ରୀଙ୍କୁ ସ୍ବାଗତ କରିବା ପରିବର୍ତ୍ତେ ଆପଣ ନିଜ ଫାର୍ମହାଉସକୁ ଚାଲିଗଲେ। ଏଭଳି କରି ଆପଣ ତେଲେଙ୍ଗାନା ନୁହେଁ ସାରା ଦେଶବାସୀଙ୍କୁ ଅପମାନିତ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ଅନେକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଆଜି ଅପରାହ୍ନରେ ହାଇଦ୍ରାବାଦ ବିମାନବନ୍ଦରରେ ପହଞ୍ଚିଥିଲେ। ଏକାଦଶ ଶତାବ୍ଦୀର ସନ୍ଥ ରାମାନୁଜଙ୍କର ୨୧୬ ଫୁଟ ଉଚ୍ଚତା ବିଶିଷ୍ଟ ପ୍ରତିମୂର୍ତ୍ତି ‘ଷ୍ଟାଚ୍ୟୁ ଅଫ୍ ଇକ୍ବାଲିଟି’ର ଉଦ୍‌ଘାଟନ କରିବା ପାଇଁ ସେ ହାଇଦ୍ରାବାଦରେ ପହଞ୍ଚିଛନ୍ତି। ଏଥିସହ ପ୍ରଧାନମନ୍ତ୍ରୀ ମୋଦୀ ‘ଫସଲ ଗବେଷଣା ପ୍ରତିଷ୍ଠାନ’ର ୫୦ ତମ ବାର୍ଷିକ ଉତ୍ସବରେ ଯୋଗଦେବା କାର୍ଯ୍ୟକ୍ରମ ମଧ୍ୟ ରହିଛି।

ସମ୍ବନ୍ଧିତ ଖବର