ହାଇଦ୍ରାବାଦ/ ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଓ୍ଵାଇଏସ୍ ଜଗନ ମୋହନ ରେଡ୍ଡିଙ୍କ ନେତୃତ୍ୱାଧୀନ ଓ୍ଵାଇଏସ୍ଆର୍ କଂଗ୍ରେସ କ’ଣ ଏନ୍ଡିଏରେ ଯୋଗଦେବ କି? ଏହାକୁ କେନ୍ଦ୍ରକରି ଏବେ ତମାମ ଦେଶରେ ଚର୍ଚ୍ଚା ଆଲୋଚନା ଜୋର ଧରିଥିବା ବେଳେ ଆଜି ସନ୍ଧ୍ୟାରେ ପିଏମ୍ ମୋଦୀଙ୍କୁ ଭେଟିବା ପାଇଁ ସିଏମ୍ ଜଗନ ନୂଆଦିଲ୍ଲୀ ଯାତ୍ରା କରିଛନ୍ତି।
୨୨ ସାଂସଦ ଆସନ ସହିତ ଓ୍ଵାଇଏସ୍ଆର୍ କଂଗ୍ରେସ ହେଉଛି ଚତୁର୍ଥ ବୃହତ୍ତମ ଜାତୀୟ ଦଳ। ରାଜ୍ୟସଭାରେ ମଧ୍ୟ ଏହି ଦଳର ୬ ଜଣ ସାଂସଦ ରହିଛନ୍ତି। ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଓ୍ଵାଇଏସ୍ ଜଗନ୍ ମୋହନ ରେଡ୍ଡୀଙ୍କ ନେତୃତ୍ୱାଧୀନ ଓ୍ଵାଇଏସ୍ଆର କଂଗ୍ରେସ ପାର୍ଟି କେନ୍ଦ୍ରରେ ଭାରତୀୟ ଜନତା ପାର୍ଟି (ବିଜେପି) ନେତୃତ୍ୱାଧୀନ ନ୍ୟାସନାଲ ଡେମୋକ୍ରାଟିକ୍ ଆଲାଏନ୍ସ (ଏନ୍ଡିଏ)ରେ ଯୋଗଦେବାର ସମ୍ଭାବନା ରହିଛି ବୋଲି ଦଳର ଜଣେ ବରିଷ୍ଠ ଦଳର ନେତା କହିଛନ୍ତି।
ଉଲ୍ଲେଖଯୋଗ୍ୟ ଗତ ସପ୍ତାହରେ, ଏନଡିଏର ସର୍ବ ପୁରାତନ ସହଯୋଗୀ ଥିବା ଶିରୋମଣି ଅକାଳୀ ଦଳ ବିବାଦୀୟ ଚାଷୀ ବିଲକୁ ବିରୋଧ କରି ଏହି ମିଳିତ ମଞ୍ଚ ଏନ୍ଡିଏରୁ ଓହରି ଯାଇଥିଲା। ଏହା ପୂର୍ବରୁ ଗତ ବର୍ଷ ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ପଦବୀକୁ ନେଇ ବୁଝାମଣା ହୋଇ ନପାରିବାରୁ ଶିବସେନା ମଧ୍ୟ ଏନ୍ଡିଏ ସହ ତା’ର ସଂପର୍କକୁ ଛିନ୍ନ କରି ଦେଇଥିଲା।
ଏହି ପରିପ୍ରେକ୍ଷୀରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ତଥା ଓ୍ଵାଇଏସ୍ଆର କଂଗ୍ରେସର ସୁପ୍ରିମୋ ଜଗନ୍ ରେଡ୍ଡୀ ଆଜି (ସୋମବାର) ସନ୍ଧ୍ୟାରେ ନୂଆଦିଲ୍ଲୀ ଅଭିମୁଖେ ଯାତ୍ରା କରିଛନ୍ତି ଏବଂ ଆସନ୍ତାକାଲି (ମଙ୍ଗଳବାର) ସକାଳ ୧୦.୩୦ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ଦଳର ଜଣେ ନେତା କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ତାଙ୍କ ହାତକୁ ମଜବୁତ କରିବା ପାଇଁ ଓ୍ଵାଇଏସ୍ଆର୍ କଂଗ୍ରେସକୁ ଏନଡିଏରେ ଯୋଗଦେବା ପାଇଁ ନିମନ୍ତ୍ରଣ କରିବାର ସମ୍ଭାବନା ରହିଛି।
ଗତ ଦୁଇ ସପ୍ତାହ ମଧ୍ୟରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ଏହା ହେଉଛି ଦ୍ୱିତୀୟ ଗସ୍ତ। ସେପ୍ଟେଟର ୨୨ରେ, ଜଗନ୍ ଦୁଇଦିନିଆ ଦିଲ୍ଲୀ ଗସ୍ତରେ ଆସି କେନ୍ଦ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଥିଲେ। ସେତେବେଳେ ସେ ପ୍ରଧାନମନ୍ତ୍ରୀଙ୍କୁ ଭେଟିପାରି ନଥିଲେ। ଅନ୍ୟପକ୍ଷରେ ଆଲୋଚନା ହେଉଛି ଯେ ଏନ୍ଡିଏରେ ଯୋଗଦେଲେ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଓ୍ଵାଇଏସ୍ଆର୍ କଂଗ୍ରେସ ଦଳକୁ ଦୁଇଟି କ୍ୟାବିନେଟ ମନ୍ତ୍ରୀ ପାହ୍ୟା ସହ ଗୋଟିଏ ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ) ପାହ୍ୟାର ମନ୍ତ୍ରୀପଦ ମିଳିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/10/Modi-ysr.jpg)