ଢାକା : ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଇସାକ ଦାର ବାଂଲାଦେଶ ଗସ୍ତରେ ଆସିଛନ୍ତି। ଗତବର୍ଷ ଛାତ୍ର ନେତୃତ୍ୱାଧୀନ ଆନ୍ଦୋଳନ ପରେ ଶେଖ ହସିନାଙ୍କୁ ବାଂଲାଦେଶର ପ୍ରଧାନମନ୍ତ୍ରୀ ପଦରୁ ହଟାଇ ଦିଆଯାଇବା ପରେ ପ୍ରଥମ ଥର ପାଇଁ ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଦାର୍ ଢାକା ଗସ୍ତ କରିଛନ୍ତି । ସେ ହେଉଛନ୍ତି ୨୦୧୨ ପରେ ବାଂଲାଦେଶ ଗସ୍ତରେ ଯାଇଥିବା ସବୁଠାରୁ ବରିଷ୍ଠ ପାକିସ୍ତାନୀ ନେତା। ସେ ଏକ ସ୍ୱତନ୍ତ୍ର ବିମାନ ମାଧ୍ୟମରେ ଢାକାରେ ପହଞ୍ଚିଥିଲେ। ବାଂଲାଦେଶର ବୈଦେଶିକ ସଚିବ ଅସଦ ଆଲାମ ସିଆମ ଢାକାର ହଜରତ ଶାହଜଲାଲ ଅନ୍ତର୍ଜାତୀୟ ବିମାନବନ୍ଦରରେ ଦାରଙ୍କୁ ସ୍ୱାଗତ କରିଥିଲେ।
ଏହି ଗସ୍ତ ସମୟରେ ଦାର୍ ବାଂଲାଦେଶର ବୈଦେଶିକ ମନ୍ତ୍ରାଳୟ ଉପଦେଷ୍ଟା ତୌହିଦ୍ ହୋସେନଙ୍କୁ ସାକ୍ଷାତ କରିଥିଲେ । ପୂର୍ବରୁ ଅସଂପୂର୍ଣ୍ଣ ଥିବା ସମସ୍ତ ଦ୍ବିପାକ୍ଷିକ ପ୍ରସଙ୍ଗର ସମାଧାନ ଲାଗି ଉଭୟ ନେତା ରାଜି ହୋଇଥିଲେ । ଦୁଇ ପକ୍ଷ ମଧ୍ୟରେ ଏକ ପ୍ରମୁଖ ପ୍ରସଙ୍ଗ ହେଉଛି ୧୯୭୧ରେ ପାକିସ୍ତାନ ସେନା ଦ୍ବାରା ବାଂଲାଦେଶରେ କରାଯାଇଥିବା ଗଣହତ୍ୟା ପାଇଁ ଇସ୍ଲାମାବାଦ କ୍ଷମାମାଗୁ ବୋଲି ବାଂଲାଦେଶ ଦାବି କରିଆସୁଛି । ତେବେ ଏ ନେଇ ପାକିସ୍ତାନ ଏପର୍ଯ୍ୟନ୍ତ କୌଣସି ପ୍ରତିଶ୍ରୁତି ଦେଇନାହିଁ । ସେହିପରି ପାକିସ୍ତାନରେ ଥିବା ବାଂଲାଦେଶର ସମତ୍ତି ଫେରସ୍ତ ପ୍ରସଙ୍ଗ । ଅନ୍ୟପକ୍ଷରେ ଭାରତ ବିରୋଧୀ କଠୋରପନ୍ଥୀ ସଂଗଠନ ଜମାଏତ-ଏ-ଇସ୍ଲାମୀ ନେତାମାନଙ୍କ ସହ ସେ ଆଲୋଚନା କରିଥିଲେ ।
ପାକିସ୍ତାନ ଏହାକୁ ଦ୍ୱିପାକ୍ଷିକ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ବୋଲି କହିଛି। ଏହା ପୂର୍ବରୁ ନଭେମ୍ବର ୨୦୧୨ରେ ଢାକା ଗସ୍ତ କରିଥିବା ପାକିସ୍ତାନର ଶେଷ ବୈଦେଶିକ ମନ୍ତ୍ରୀ ଥିଲେ ହିନା ରବାନୀ ଖାର। ସେ ଇସଲାମାବାଦରେ ଅନୁଷ୍ଠିତ ହେବାକୁ ଥିବା ଶିଖର ସମ୍ମିଳନୀ ପାଇଁ ତତ୍କାଳୀନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ନିମନ୍ତ୍ରଣ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/2025/08/24/pak-2025-08-24-16-16-28.jpg)