ପାକିସ୍ତାନର ସରକାରୀ ପ୍ରେସରେ ଛପା ହେଉଛି ନକଲି ଭାରତୀୟ ୨ ହଜାର ଟଙ୍କିଆ ନୋଟ୍‌ : ଦିଲ୍ଲୀ ପୁଲିସ ରିପୋର୍ଟ

ନୂଆଦିଲ୍ଲୀ : ମାତ୍ର ୩ ବର୍ଷ ତଳେ ଅର୍ଥାତ ୨୦୧୬ ମସିହାରେ ସରକାର ବିମୁଦ୍ରିକରଣ କରିବା ସହ ନୂଆ ୫୦୦ ଓ ୨ ହଜାର ଟଙ୍କିଆ ନୋଟ ବଜାରକୁ ଛାଡିଥିଲେ । ନକଲି ନୋଟ ର‍୍ୟାକେଟର ପର୍ଦ୍ଦାଫାଶ କରିବା ବିମୁଦ୍ରିକରଣର ଏକ ପ୍ରମୁଖ ଉଦ୍ଦେଶ୍ୟ ଥିଲା ବୋଲି ସରକାର ସେତେବେଳେ କହିଥିଲେ । ନୂଆ ନୋଟଗୁଡ଼ିକରେ କେତେକ ଏପରି ନିରାପତ୍ତା ବ୍ୟବସ୍ଥା ରହିଛି ଯଦ୍ୱାରା ସେଗୁଡ଼ିକର ନକଲ କରିବା ସମ୍ଭବ ନୁହେଁ ବୋଲି ସରକାର କହିଥିଲେ । କିନ୍ତୁ ଏବେ ଦିଲ୍ଲୀ ପୁଲିସ ଏପରି ଏକ ରିପୋର୍ଟ ଦେଇଛି ତାହାକୁ ଦେଖି ସରକାରଙ୍କ ନିଦ ହଜିଯାଇଛି ।

ଦେଶରେ ନକଲି ନୋଟ ପ୍ରଚଳନ ପଛରେ ସିଧାସଳଖ ପାକିସ୍ତାନୀ ସରକାରଙ୍କ ହାତ ଥିବା ଦିଲ୍ଲୀ ପୁଲିସର ସ୍ପେଶାଲ ସେଲ ଜାଣିବାକୁ ପାଇଛି । ସ୍ପେଶାଲ ସେଲ ପକ୍ଷରୁ କୁହାଯାଇଛି ୨ ହଜାର ଟଙ୍କିଆ ନୋଟରେ କେତେକ ସବୁଠାରୁ ଆଧୁନିକ ନିରାପତ୍ତା ବ୍ୟବସ୍ଥା ରହିଛି । ଫଳରେ ଏହାକୁ ନକଲ କରିବା ଏକରକମ ଅସମ୍ଭବ ଥିଲା । କିନ୍ତୁ ଜବତ ହୋଇଥିବା କେତେକ ନକଲି ୨ ହଜାର ଟଙ୍କିଆ ନୋଟରେ ସେସବୁ ନିରାପତ୍ତା ବ୍ୟବସ୍ଥାର ମଧ୍ୟ ନକଲ କରାଯାଇଛି । ୨ ହଜାର ଟଙ୍କିଆ ନୋଟରେ ପ୍ରଥମ ଥର ପାଇଁ ଅପଟିକାଲ ଭାରିଏବଲ ଇଙ୍କ୍‌ ( ରଂଗ ବଦଳୁଥିବା କାଳି)ର ବ୍ୟବହାର କରାଯାଇଥିଲା । ଏହି ନୋଟକୁ ସାମାନ୍ୟ ମୋଡିଲେ ତାହାର ରଂଗ ବଦଳିଯାଏ । ନକଲି ନୋଟରେ ମଧ୍ୟ ଠିକ ସେହି କାଳି ବ୍ୟବହାର କରାଯାଇଛି । ଏହି କାଳି ବେଶ ମହଙ୍ଗା ହୋଇଥିବାରୁ କୌଣସି ଦେଶର ସରକାରଙ୍କ ସହଯୋଗ ବିନା ତାହାର ବ୍ୟବହାର ସମ୍ଭବ ନୁହେଁ । ତଦନ୍ତରୁ ଜଣାପଡିଛି ଯେ କରାଚୀର ମାଲିର ହଲଟ ସ୍ଥିତ ପାକିସ୍ତାନ ସିକ୍ୟୁରିଟି ପ୍ରେସରେ ଭାରତୀୟ ନକଲି ଟଙ୍କା ଛପାଯାଉଛି । ଦାଉଦ ଇବ୍ରାହିମର ଡି-କମ୍ପାନି ଦ୍ୱାରା ଏସବୁ ନକଲି ନୋଟଗୁଡ଼ିକୁ ଭାରତରେ ପ୍ରଚଳନ କରାଯାଉଛି ବୋଲି ପୁଲିସ କହିଛି ।

ସମ୍ବନ୍ଧିତ ଖବର