ନୂଆଦିଲ୍ଲୀ : ଦିଲ୍ଲୀ ପୁଲିସ ସ୍ପେସାଲ୍ ସେଲ୍କୁ ଆଜି ବଡ଼ ସଫଳତା ମିଳିଛି। ପ୍ରଥମ ଥର ପାଇଁ ଦିଲ୍ଲୀ ପୁଲିସର ଏକ ସ୍ୱତନ୍ତ୍ର ଅପରେସନ୍ରେ ଅନ୍ତର୍ଜାତୀୟ ହ୍ୟାକର ଗ୍ରୁପ୍ ଠାବ ହୋଇଛି। ଏହି ହ୍ୟାକର ଗ୍ରୁପ୍ ବିଭିନ୍ନ ସରକାରୀ େଓ୍ଵବସାଇଟ୍କୁ ବିକୃତ କରିବା ସହ ସୋସିଆଲ ନେଟଓ୍ଵର୍କିଂ ସାଇଟ୍ରେ ଘୃଣ୍ୟ ତଥ୍ୟ ଛାଡ଼ୁଥିବା ଜଣାପଡ଼ିଛି। ହ୍ୟାକର ଗ୍ରୁପ୍ର ଦୁଇ ଜଣ କଶ୍ମୀରୀ ଯୁବକଙ୍କୁ ଆଜି ଦିଲ୍ଲୀ ପୁଲିସ ସ୍ୱତନ୍ତ୍ର ସେଲ୍ ଗିରଫ କରିଥିବା ବେଳେ ଅନ୍ୟମାନଙ୍କୁ ଗିରଫ କରିବାପାଇଁ ପ୍ରକ୍ରିୟା ଜାରି ରହିଛି। ଗିରଫ ଦୁଇ ଯୁବକ ହେଲେ ସାହିଦ ମାଲ୍ଲା ଏବଂ ଅନ୍ୟଜଣେ ଆଦିଲ୍ ହୁସେନ।
ସାହିଦ୍ ବି-ଟେକ୍ ଛାତ୍ର ହୋଇଥିବାବେଳେ ଆଦିଲ୍ ବିସିଏ ଛାତ୍ର। ଉଭୟଙ୍କ ବିରୋଧରେ ପୁଲିସ ଆଇପିସିର ୧୨୪ ଏ ଧାରା ଏବଂ ଆଇଟି ଆକ୍ଟର ୬୬ ଧାରା ଅଧୀନରେ ମାମଲା ରୁଜୁ କରିଛି। ଏହା ସହିତ ଆଇପିସିର ୧୨୦(ବି) ଅଧୀନରେ ମଧ୍ୟ ଅପରାଧିକ ମାମଲା ରୁଜୁ ହୋଇଛି। ଉକ୍ତ ଦୁଇ ଅଭିଯୁକ୍ତ ଅନ୍ତର୍ଜାତୀୟ ହ୍ୟାକିଂ ଗ୍ରୁପ୍ ‘ଟିମ୍ ହ୍ୟାକର୍ସ ଥାର୍ଡ ଆଇ’ର ସଦସ୍ୟ ଥିଲେ ଏବଂ ସେମାନେ ବିଗତ ୪ ବର୍ଷ ମଧ୍ୟରେ ୫୦୦ରୁ ଊର୍ଦ୍ଧ୍ୱ ଭାରତୀୟ େଓ୍ଵବ୍ସାଇଟ୍କୁ ହ୍ୟାକ୍ କରିଥିବା ଜଣାପଡ଼ିଛି। ଚଳିତ ବର୍ଷ ଜାନୁଆରି ମାସରେ ଜମ୍ମୁ କଶ୍ମୀର ବ୍ୟାଙ୍କ୍ େଓ୍ଵବସାଇଟ୍ ହ୍ୟାକ୍ ହେବା ପଛରେ ମଧ୍ୟ ଏମାନଙ୍କର ହାତ ଥିଲା ବୋଲି ଜଣାପଡ଼ିଛି। ତେବେ ପୁଲିସ ଦାବି କରିିଛି ଯେ ହ୍ୟାକର ଗ୍ରୁପ୍ ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସଆଇ ତତ୍ତ୍ୱାବଧାନରେ କାର୍ଯ୍ୟ କରୁଥିଲା। ଗିରଫ ହୋଇଥିବା କଶ୍ମୀରୀ ଯୁବକ ମାଲ୍ଲା ଏବଂ ହୁସେନ୍, ପାକ୍ ସାଇବର ପ୍ରୋ-ପାକ୍ ହ୍ୟାକିଂ ଗ୍ରୁପ୍ ସହ ମଧ୍ୟ ଦୀର୍ଘଦିନରୁ ସଂପର୍କରେ ଥିଲେ।