ଆଫଗାନିସ୍ତାନ ସେନାକୁ ନିୟନ୍ତ୍ରଣ କରିବାକୁ ଚାହୁଁଛି ପାକିସ୍ତାନ, କାବୁଲରେ ଆଇଏସଆଇ ମୁଖ୍ୟ

କାବୁଲ : ଆଫଗାନିସ୍ତାନରେ ତାଲିବାନର ସରକାର ଗଠନ ପ୍ରସ୍ତୁତି ମଧ୍ୟରେ ଆଜି କାବୁଲରେ ପହଞ୍ଚିଛନ୍ତି ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସଆଇର ମୁଖ୍ୟ ଲେପ୍ଟେନାଣ୍ଟ ଜେନେରାଲ ହମିଦ ଫୈଜ୍ । ପ୍ରସ୍ତାବିତ ତାଲିବାନ ସରକାରରେ ହକ୍କାନି ନେଟଓ୍ବାର୍କକୁ ଅଧିକ କ୍ଷମତା ଦେବାକୁ ଆଇଏସଆଇ ଉଦ୍ୟମ କରୁଛି । ବିଶେଷକରି ହକ୍କାନି ନେଟଓ୍ବାର୍କ ନିୟନ୍ତ୍ରଣରେ ଆଫଗାନିସ୍ତାନ ମିଲିଟାରୀକୁ ରଖିବାକୁ ଆଇଏସଆଇ ଚାହୁଁଛି । କିନ୍ତୁ ତାଲିବାନର ନେତାମାନେ ଏହା ଚାହୁଁନାହାନ୍ତି । ଏ ପରିପ୍ରେକ୍ଷୀରେ ଫୈଜଙ୍କ କାବୁଲ ଗସ୍ତ ଗୁରୁତ୍ବ ବହନ କରୁଛି ।

ତେବେ ମିଳିଥିବା ଏକ ଗଣମାଧ୍ୟମ ସୂଚନା ଅନୁସାରେ ଆଇଏସଆଇ ମୁଖ୍ୟ କାବୁଲ ଆସିବାକୁ ତାଲିବାନ ମଧ୍ୟ ପସନ୍ଦ କରୁନାହିଁ । କାରଣ ଏହା ଦ୍ବାରା ବିଶ୍ବରେ ତାଲିବାନର ବିଶ୍ବସନୀୟତା ପ୍ରତି ପ୍ରଶ୍ନଚିହ୍ନ ଲାଗିବାର ଆଶଙ୍କା ରହିଛି ।

ସୂଚନାଯୋଗ୍ୟ ଯେ, ତାଲିବାନ ଆଫଗାନିସ୍ତାନ ଦଖଲ କରିବାର ଇତି ମଧ୍ୟରେ ତିନି ସପ୍ତାହ ବିତିଯାଇଥିଲେ ବି ଏ ପର୍ଯ୍ୟନ୍ତ ସରକାର ଗଠନ କରିପାରିନାହିଁ । ତାଲିବାନ ମଧ୍ୟରେ ଥିବା କେତେକ ଗୋଷ୍ଠୀଙ୍କ ମଧ୍ୟରେ ମତଭେଦ ଯୋଗୁଁ ସରକାର ଗଠନ ଚୂଡ଼ାନ୍ତ ହୋଇପାରୁନଥିବା କୁହାଯାଉଛି । ମୁଖ୍ୟତଃ ତାଲିବାନ ନେତା ମୁଲ୍ଲା ଅବଦୁଲ ଗନି ବରାଦର, କ୍ବେଟା ସୁରାର ମୁଲ୍ଲା ୟାକୁବ ଓ ହକ୍କାନି ନେଟଓ୍ବାର୍କ ମଧ୍ୟରେ ସରକାରରେ ଭାଗିଦାରିତା ନେଇ ମତଭେଦ ରହିଛି ।

ସମ୍ବନ୍ଧିତ ଖବର