କୁଳଭୂଷଣଙ୍କ ଅପହରଣ କାହାଣୀର ପର୍ଦ୍ଦାଫାସ: ଆଇଏସ୍‌ଆଇ ସାରିଛି କୋଟି କୋଟି ଟଙ୍କା

ଚବାହର ବନ୍ଦରରୁ ଭଡ଼ାଟିଆ କରିଥିଲେ ଅପହରଣ, ବନ୍ଧୁକ ଦେଖାଇ ଆଖିରେ ପଟି ବାନ୍ଧି ନେଇଯାଇଥିଲେ

ନୂଆଦିଲ୍ଲୀ: ଭାରତର ପୂର୍ବତନ ନୌସେନା ଅଧିକାରୀ କୁଳଭୂଷଣ ଯାଦବଙ୍କ ଘଟଣାରେ ପାକିସ୍ତାନର ସବୁ ମିଛ ଓ ଷଡ଼ଯନ୍ତ୍ରର ପର୍ଦ୍ଦାଫାଶ ହୋଇଛି। ଆଜି ବାଲୁଚିସ୍ତାନର ଜଣେ ସମାଜିକ କର୍ମୀ ମାମା କାଦିର ବାଲୋଚ୍‌ ଗଣମାଧ୍ୟମକୁ ସାକ୍ଷାତକାର ଦେଇ କୁଳଭୂଷଣଙ୍କ ଅପହରଣ ଘଟଣା ପଛରେ ଥିବା ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସ୍‌ଆଇର ଗୁମର ବଖାଣିିଛନ୍ତି। ତାଙ୍କ କହିବା ଅନୁସାରେ, ବାଲୁଚିସ୍ତାନରେ ଆଇଏସ୍‌ଆଇ ପାଇଁ କାମ କରୁଥିବା କରାଚି ସହର ବାସିନ୍ଦା ମୁଲ୍ଲା ଓମାର ଇରାନି ନାମକ ଜଣେ ଭଡ଼ାଟିଆ ଅପହରଣକାରୀ ହିଁ ପାକିସ୍ତାନ ସରକାରଙ୍କ ନିର୍ଦ୍ଦେଶରେ କୁଳଭୂଷଣଙ୍କୁ ଅପହରଣ କରିଥିଲା।

ଇରାନର ଚବାହାର ବନ୍ଦରରୁ ଏପରି କୁଳଭୂଷଣଙ୍କୁ ଅପହରଣ କରିବା ପାଇଁ ମୁଲ୍ଲା ଓମାରକୁ ଆଇଏସ୍‌ଆଇ କୋଟି କୋଟି ଟଙ୍କା ଦେଇଥିବା କାଦିର୍‌ ଦାବି କରିିଛନ୍ତି। ଏପରିକି ଭାରତ ସରକାର ତାଙ୍କୁ ସୁରକ୍ଷା ଯୋଗାଇ କୋର୍ଟରେ ଏହାର ସାକ୍ଷ୍ୟ ଦେବାକୁ କହିଲେ ସେ ପ୍ରସ୍ତୁତ ଅଛନ୍ତି ବୋଲି କାଦିର୍‌ କହିଛନ୍ତି।

ବାଲୁଚିସ୍ତାନରେ ଅପହୃତ ସ୍ୱାଧୀନତା ସଂଗ୍ରାମୀ ଓ ସୈନ୍ୟଙ୍କୁ ଉଦ୍ଧାର କରୁଥିବା ସାମାଜିକ ସଂଗଠନ ‘ଭଏସ୍‌ ଫର ମିସିଂ ବାଲୋଚ୍‌’ର ଉପସଭାପତି ଥିବା ମାମା କାଦିର କୁଳଭୂଷଣଙ୍କ ଅପହରଣର ପ୍ରତ୍ୟକ୍ଷଦର୍ଶୀ ବୋଲି କହିଛନ୍ତି। ଚବାହାର ବନ୍ଦର ନିକଟରେ କୁଳଭୂଷଣଙ୍କୁ ପ୍ରଥମେ ମୁଲ୍ଲା ଓମାର ବନ୍ଧୁକ ଦେଖାଇ ଭୟଭୀତ କରିଥିଲା। ପରେ ତାଙ୍କ ଆଖିରେ ଅନ୍ଧପୁଟୁଳି ଓ ହାତ ଗୋଡ଼ ବାନ୍ଧି ଏକ କାର୍‌ରେ ଜବରଦସ୍ତ ଭର୍ତ୍ତି କରି ଚବାହାର ଛାଡ଼ିଥିଲା।

ସେଠାରୁ ତାଙ୍କୁ ଇରାନ୍‌-ବାଲୁଚିସ୍ତାନ ସୀମାରେ ଥିବା ମସ୍କେଲ ସହରକୁ ନିଆଯାଇଥିଲା। ସେହିଠାରେ ହିଁ କୁଳଭୂଷଣଙ୍କୁ ଆଇଏସ୍‌ଆଇ ଅଧିକାରୀଙ୍କ ଜିମାରେ ଛାଡ଼ିଥିଲା। ସେଠାରୁ କୁଳଭୂଷଣଙ୍କୁ ନିଜ ହେପାଜତରେ ଆଇଏସ୍‌ଆଇ ବାଲୁଚିସ୍ତାନର ରାଜଧାନୀ କ୍ୱେଟ୍ଟା ସହରକୁ ଓ ଶେଷରେ ଇସଲାମାବାଦ ନେଇଯାଇଥିଲେ। ଏଥି ସହିିତ ଗୁପ୍ତଚର ବୃତ୍ତି କରୁଥିବା କୁଳଭୂଷଣଙ୍କୁ ଆଇଏସ୍‌ଆଇ ବାଲୁଚିସ୍ତାନରୁ ଧରିଥିଲା ବୋଲି ଘୋଷଣା କରିଥିଲା।

ଅପରପକ୍ଷେ, ତାଙ୍କ ସଂଗଠନ ଏହି ଅପହରଣ ପ୍ରଘଟ ହେବା ପରେ ତଦନ୍ତ କରିବାରେ କୁଳଭୂଷଣ କେବେ ବି ବାଲୁଚିସ୍ତାନ ଯାଇନଥିଲେ ବୋଲି କାଦିର୍‌ କହିଛନ୍ତି। ବାଲୁଚିସ୍ତାନରେ କୌଣସି ହତ୍ୟା, ଅପହରଣ କି ଲୁଣ୍ଠନ ଆଦି ହେଲେ ତାଙ୍କ ସଂସ୍ଥା ପାଖରେ ଖବର ପହଞ୍ଚିଥାଏ। ତେଣୁ କୁଳଭୂଷଣଙ୍କୁ ବାଲୁଚିସ୍ତାନ ଅଣାଯିବା ପରେ ସେ ଏନେଇ ମଧ୍ୟ ଅବଗତ ହୋଇଥିଲେ ବୋଲି କାଦିର୍‌ କହିଛନ୍ତି। ପାକିସ୍ତାନ ସରକାର ଏଭଳି ଅପହରଣ କରି ଅନ୍ୟ ଦେଶକୁ କେବଳ ଚିନ୍ତାରେ ପକାଇବାକୁ ଉଦ୍ୟମ କରୁଥିବା ସେ କହିଛନ୍ତି। ଏପରିକି ୪୫ହଜାର ବାଲୁଚ୍‌ ଅଧିବାସୀଙ୍କୁ ମଧ୍ୟ ପାକିସ୍ତାନ ସରକାର ଆଇଏସ୍‌ଆଇ ଦ୍ୱାରା ଅପହରଣ କରି ସେମାନଙ୍କୁ ଆତଙ୍କବାଦୀ ଘୋଷିତ କରିଥିବା କାଦିର୍‌ କହିଛନ୍ତି।

ସମ୍ବନ୍ଧିତ ଖବର