ପୁଲଓ୍ବାମା ଆକ୍ରମଣ ବେଳେ ଆଇଏସଆଇ ମୁଖ୍ୟ ଥିଲେ ପାକିସ୍ତାନର ନୂଆ ସେନାମୁଖ୍ୟ ଅସୀମ ମୁନୀର

ନୂଆଦିଲ୍ଲୀ : ଲେପ୍ଟନାଣ୍ଟ ଜେନେରାଲ ଅସୀମ ମୁନୀରଙ୍କୁ ଗୁରୁବାରଦିନ ପାକିସ୍ତାନର ପରବର୍ତ୍ତୀ ସେନାମୁଖ୍ୟ ଭାବେ ଘୋଷଣା କରିଛନ୍ତି । ତାଙ୍କ ନାମ ଉପରେ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ମୋହର ମାରିଥିବା ପ୍ରଧାନମନ୍ତ୍ରୀଙ୍କ ମୁଖପାତ୍ର ମରିୟମ ଔରଙ୍ଗଜେବ ସୂଚନା ଦେଇଛନ୍ତି । ତେବେ କିଏ ଏହି ଅସୀମ ମୁନୀର ?

ଅସୀମ ମୁନୀର ପାକିସ୍ତାନର ଅଫିସର୍ସ ଟ୍ରେନିଂ ସ୍କୁଲରୁ ତାଲିମ ନେବା ପରେ ଫ୍ରଣ୍ଟିଅର ଫୋର୍ସ ରେଜିମେଣ୍ଟରେ ଯୋଗ ଦେଇଥିଲେ । ସେ ବର୍ତ୍ତମାନର ସେନାମୁଖ୍ୟ ଜେନେରାଲ କମର ଜାଭେଦ୍ ବାଜଓ୍ବାଙ୍କ ବିଶ୍ବସ୍ତ ବୋଲି କୁହାଯାଉଛି । ୨୦୧୭ରେ ତାଙ୍କୁ ପାକିସ୍ତାନର ମିଲିଟାରୀ ଇଣ୍ଟେଲିଜେନ୍ସର ମହାନିର୍ଦ୍ଦେଶକ ଓ ୨୦୧୮ ଅକ୍ଟୋବର ମାସରେ ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସଆଇର ମୁଖ୍ୟ ନିଯୁକ୍ତ କରାଯାଇଥିଲା । ସେ ଆଇଏସଆଇ ମୁଖ୍ୟ ଭାବେ ଦାୟିତ୍ବ ଗ୍ରହଣର ମାତ୍ର ୪ ମାସ ମଧ୍ୟରେ ଅର୍ଥାତ ୨୦୧୯, ଫେବ୍ରୁଆରି ୧୪ରେ ଜମ୍ମୁ ଓ କଶ୍ମୀରର ପୁଲଓ୍ବାମାଠାରେ ସିଆରପିଏଫ ବସ ଉପରେ ଆତ୍ମଘାତୀ ବୋମା ବିସ୍ଫୋରଣ ହୋଇଥିଲା । ଏହି ଘଟଣାରେ ୪୫ ଜଣ ସିଆରପିଏଫ ଯବାନ ସହିଦ ହୋଇଥିଲେ । ଏହା ପ୍ରତିଶୋଧ ନେବାକୁ ଯାଇ ଭାରତୀୟ ବାୟୁସେନା ସେହିମାସ ୨୬ ତାରିଖରେ ବାଲାକୋଟ୍ ଏୟାରଷ୍ଟ୍ରାଇକ୍ କରିଥିଲା ।

ତେବେ ଏହି ଘଟଣାର ୪ ମାସ ପରେ ଅର୍ଥାତ ୨୦୧୯ ଜୁନ ମାସରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ତାଙ୍କୁ ଆଇଏସଆଇ ମୁଖ୍ୟ ପଦରୁ ହଟାଇ ଦେଇଥିଲେ । ତାଙ୍କ ସ୍ଥାନରେ ଲେପ୍ଟନାଣ୍ଟ ଜେନେରାଲ ଫୈଜ୍ ହମିଦ ନୂଆ ଆଇଏସଆଇ ମୁଖ୍ୟ ହୋଇଥିଲେ ।

ସମ୍ବନ୍ଧିତ ଖବର