ପାକିସ୍ତାନୀ ସେନା ହାତରୁ ଓ୍ଵିଙ୍ଗ୍‌ କମାଣ୍ଡର ଅଭିନନ୍ଦନ ବର୍ତମାନଙ୍କୁ ନେଇ ତାଙ୍କୁ ଦୀର୍ଘ ୪୦ ଘଣ୍ଟା ଧରି ନିର୍ଯାତନା ଦେଇଥିଲା ଆଇଏସ୍‌ଆଇ

ନୂଆଦିଲ୍ଲୀ: ଯୁଦ୍ଧବନ୍ଦୀ ଭାବେ ପାକିସ୍ତାନରେ ୫୮ ଘଣ୍ଟା ବିତାଇ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିଥିବା ଭାରତୀୟ ବାୟୁସେନାର ଓ୍ଵିଙ୍ଗ୍‌ କମାଣ୍ଡର ଅଭିନନ୍ଦନ ବର୍ତମାନଙ୍କୁ ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସ୍‌ଆଇ ନିଜ ହେପାଜତକୁ ନେଇ ଦୀର୍ଘ ୪୦ ଘଣ୍ଟା ଧରି ଅକଥନୀୟ ନିର୍ଯାତନା ଦେଇଥିଲା।

ସ୍ୱଦେଶ ପ୍ରତ୍ୟାବର୍ତ୍ତନ ପରେ ଓ୍ଵିଙ୍ଗ୍‌ କମାଣ୍ଡର ଅଭିନନ୍ଦନ ବର୍ତମାନ ନିଜର ଡି-ବ୍ରିଫିଙ୍ଗ୍‌ କାଳରେ ଏହା କହିଥିବା ପ୍ରତିରକ୍ଷା ମନ୍ତ୍ରାଳୟର ଏକ ବିଶ୍ୱସ୍ତ ସୂତ୍ରକୁ ଆଧାର କରି ଜାତୀୟସ୍ତରର ସମ୍ବାଦପତ୍ର ‘ଦି ନିୟୁ ଇଣ୍ଡିଆନ୍‌ ଏକ୍ସପ୍ରେସ୍‌’ରେ ଆଜି ପ୍ରକାଶିତ ଏକ ରିପୋର୍ଟରେ ଉଲ୍ଲେଖ କରିଛି। ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଗତ ଫେବ୍ରୁଆରି ୨୬ ତାରିଖରେ ପାକିସ୍ତାନୀ ବାୟୁସେନାର ଏଫ୍-୧୬ ଲଢ଼ୁଆ ବିମାନକୁ କ୍ଷେପଣାସ୍ତ୍ର ମାଡ଼କରି ଖସାଇ ଦେବା ପରେ ନିଜର ମିଗ୍‌-୨୧ ବିସନ ବିମାନ କ୍ଷତିଗ୍ରସ୍ତ ହୋଇପଡ଼ିଥିଲା। ଫଳରେ ଅଖଜ ମିଗ୍‌-୨୧ରୁ ପାରାଚ୍ୟୁଟ ସାହାଯ୍ୟରେ ଓ୍ଵିଙ୍ଗ୍‌ କମାଣ୍ଡର ଅଭିନନ୍ଦନ ବର୍ତମାନ ଖସି ପାକ୍‌ ଅଧିକୃତ କଶ୍ମୀରରେ ଓହ୍ଲାଇଥିଲେ। ଏହାପରେ ପାକିସ୍ତାନୀ ସେନା ତାଙ୍କୁ ଯୁଦ୍ଧବନ୍ଦୀ କରି ନେଇଥିଲା।

ପାକ୍‌ ସେନା ହାତରେ ବନ୍ଦୀହେବା ପରେ ଓ୍ଵିଙ୍ଗ୍‌ କମାଣ୍ଡର ଅଭିନନ୍ଦନ ବର୍ତମାନଙ୍କୁ ନେଇ ଇସ୍‌ଲାମାବାଦର ଏକ ସେନା ମେସ୍‌ରେ ରଖାଯାଇଥିଲା। ହେଲେ ସେଠାରେ ସେ ମାତ୍ର ୪ରୁ ୫ ଘଣ୍ଟା ରହିଥିବା ବେଳେ ପାକିସ୍ତାନର ଇଣ୍ଟର ସର୍ଭିସ୍‌ ଇଣ୍ଟେଲିଜେନ୍ସ (ଆଇଏସ୍‌ଆଇ) ତାଙ୍କୁ ନିଜ କବ୍‌ଜାକୁ ନେଇଯିବା ସହ ଇସ୍‌ଲାମାବାଦରୁ ରାଓ୍ଵଲପିଣ୍ଡି ନେଇ ଯାଇଥିଲା। ରାଓ୍ଵଲପିଣ୍ଡିକୁ ନେଇଯିବା ପରେ ଆଇଏସ୍‌ଆଇ ଓ୍ଵିଙ୍ଗ୍‌ କମାଣ୍ଡର ଅଭିନନ୍ଦନ ବର୍ତମାନଙ୍କୁ ଗୋଟିଏ ଇଣ୍ଟ୍ରୋଗେସନ୍‌ ସେଲ୍‌ ମଧ୍ୟରେ ପୂରାଇ ଅକଥନୀୟ ଶାରୀରିକ ଓ ମାନସିକ ନିର୍ଯାତନା ଦେବା ସହ ଭାରତୀୟ ବାୟୁସେନା ସଂପର୍କରେ ବିଭିନ୍ନ ତଥ୍ୟ ହାସଲ କରିବାକୁ ଉଦ୍ୟମ କରିଥିଲା। ହେଲେ, ଓ୍ଵିଙ୍ଗ୍‌ କମାଣ୍ଡର ଅଭିନନ୍ଦନ ବର୍ତମାନ ଆଇଏସ୍‌ଆଇର ସବୁ ନିର୍ଯାତନାକୁ ସହିଯିବା ସହ କୌଣସି ପ୍ରକାରର ଗୁପ୍ତ ତଥ୍ୟକୁ ଓଗାଳି ନଥିଲେ।

ମାତ୍ରାଧିକ ଉଜ୍ୱଳ ଆଲୋକ ଓ ଅଧିକ ତାପମାତ୍ରାରେ ଜଳୁଥିବା ଏକ କୋଠରୀ ମଧ୍ୟରେ ତାଙ୍କୁ ବନ୍ଦୀ କରି ରଖା ଯାଇଥିଲା। କାନକୁ ତାବ୍‌ଦା କରିଦେବା ପରି ପ୍ରଚଣ୍ଡ ଶବ୍ଦରେ ମ୍ୟୁଜିକ୍‌ ବଜା ଯାଇଥିଲା ଏବଂ ପ୍ରତି ଅଧଘଣ୍ଟା ଅନ୍ତରରେ ଜଣେ ବ୍ୟକ୍ତି ସେଇ କୋଠରୀ ମଧ୍ୟକୁ ପ୍ରବେଶ କରି ତାଙ୍କୁ ମାଡ଼ ମାରିବା ସହ ତାଙ୍କ ଠାରୁ ତଥ୍ୟ ଓଗାଳିବାକୁ ଚେଷ୍ଟା କରୁଥିଲା ବୋଲି ନିଜର ଡି- ବ୍ରିଫିଙ୍ଗ୍‌ କାଳରେ କହିଛନ୍ତି ଓ୍ଵିଙ୍ଗ୍‌ କମାଣ୍ଡର ଅଭିନନ୍ଦନ।

ଏଥିସହ ଓ୍ଵିଙ୍ଗ୍‌ କମାଣ୍ଡର ଅଭିନନ୍ଦନ ବର୍ତମାନ କହିଛନ୍ତି ଯେ ସେ ଯୁଦ୍ଧବନ୍ଦୀ ହେବାପରେ ପାକିସ୍ତାନୀ ସେନା ତାଙ୍କୁ ନେଇ ଯେତେବେଳେ ଇସ୍‌ଲାମାବାଦର ସେନା ମେସ୍‌ରେ ରଖିଥିଲା, ସେତେବେଳେ ତାଙ୍କ ସହ ଭଦ୍ରୋଚିତ ବ୍ୟବହାର କରାଯାଇଥିଲା। ପାକିସ୍ତାନୀ ସେନା ତାଙ୍କୁ ଚା’ ପିଇବା ପାଇଁ ଦେଇଥିଲା ଏବଂ ସେ ଚା’ ପିଉଥିବା ସମୟରେ ଭିଡିଓ ଚିତ୍ର ମଧ୍ୟ ଉତ୍ତୋଳନ କରିଥିଲା। ହେଲେ, ତାଙ୍କୁ ମୁକ୍ତ କରିଦେବା ପରେ ସେ ପାକିସ୍ତାନୀ ସେନା ଓ ପାକିସ୍ତାନର ପ୍ରଶଂସା କରିଥିବା ଦର୍ଶାଇ ଯେଉଁ ଭିଡିଓ ଚିତ୍ର ପାକିସ୍ତାନ ଛାଡ଼ିଥିଲା ତାହା ମିଥ୍ୟା ଥିବା କହିଛନ୍ତି ଓ୍ଵିଙ୍ଗ୍‌ କମାଣ୍ଡର ଅଭିନନ୍ଦନ ବର୍ତମାନ। ସେ ଭିଡିଓରେ ଥିବା କଥା ସେ କହି ନଥିବା ଏବଂ ସେ କଣ୍ଠସ୍ୱର ତାଙ୍କର ନୁହେଁ ବୋଲି ମଧ୍ୟ ସେ ତାଙ୍କ ଡି-ବ୍ରିଫିଙ୍ଗ୍‌ କାଳରେ କହିଥିବା ଏହି ରିପୋର୍ଟରେ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର