ଖଲିସ୍ଥାନ ଆନ୍ଦୋଳନ ମାଧ୍ୟମରେ ସାରା ଭାରତରେ ଅଶାନ୍ତି ସୃଷ୍ଟି ପାଇଁ ଷଡ଼ଯନ୍ତ୍ର କରୁଛି ଆଇଏସଆଇ

ନୂଆଦିଲ୍ଲୀ :  ପଂଜାବରେ ପୁଣି ମୁଣ୍ଡ ଟେକୁଥିବା ଖଲିସ୍ଥାନ ଆନ୍ଦୋଳନକୁ ସାରା ଭାରତକୁ ସଂପ୍ରସାରିତ କରିବାକୁ ପାକିସ୍ତାନର କୁଖ୍ୟାତ ଗୁଇନ୍ଦା ସଂସ୍ଥା ଆଇଏସଆଇ ଷଡ଼ଯନ୍ତ୍ର କରୁଛି । ଆଇଏସଆଇର ନୂଆ ମୁଖ୍ୟ ନଦୀମ ଅଂଜୁମ ଶିଖ ବିଚ୍ଛିନ୍ନତାବାଦୀମାନଙ୍କ ଅନ୍ତର୍ଜାତୀୟ ନେଟଓ୍ବାର୍କକୁ ବ୍ୟବହାର କରି ଭାରତରେ ଅଶାନ୍ତ ସୃଷ୍ଟି କରିବାକୁ ଚାହୁଁଛନ୍ତି । ଏଥିପାଇଁ ସେ ଏକ ଯୋଜନା ଉପରେ କାମ କରୁଛନ୍ତି ବୋଲି ଭାରତୀୟ ଗୁଇନ୍ଦା ଏଜେନ୍ସିମାନେ ସରକାରଙ୍କୁ ସତର୍କ କରିଦେଇଛନ୍ତି ।

ପଂଜାବର ଗାଙ୍ଗଷ୍ଟରମାନଙ୍କ ମାଧ୍ୟମରେ ଅସ୍ତ୍ରଶସ୍ତ୍ର ବଣ୍ଟନ ପାଇଁ ଆଇଏସଆଇ ଲାହୋରରେ ଥିବା ଖଲିସ୍ଥାନୀ ନେତା ରଂଜିତ ସିଂ ନିତା ଓ ଓ୍ବାଧଓ୍ବା ସିଂ ବାବରକୁ କହିଛି । ଡ୍ରୋନ ମାଧ୍ୟମରେ ଏସବୁ ଅସ୍ତ୍ରଶସ୍ତ୍ର ପାକିସ୍ତାନରୁ ଭାରତର ପଂଜାବକୁ ଆସୁଛି । ଆଜି ହରିୟାଣାର କର୍ନାଲରେ ଗିରଫ ହୋଇଥିବା ୪ ଖଲିସ୍ଥାନୀ ଆତଙ୍କବାଦୀଙ୍କଠାରୁ ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ଜବତ ହୋଇଛି । ଏମାନଙ୍କ ପାଖକୁ ଡ୍ରୋନ ମାଧ୍ୟମରେ ଅସ୍ତ୍ରଶସ୍ତ୍ର ଆସିଥିଲା । ପଂଜାବର ଆତଙ୍କବାଦୀ ତଥା ଗାଙ୍ଗଷ୍ଟର ହରବିନ୍ଦର ସିଂ ରିଣ୍ଡା ମାଧ୍ୟମରେ ଏସବୁ ଅସ୍ତ୍ରଶସ୍ତ୍ର ଭାରତର ଅନ୍ୟ ଅଂଚଳକୁ ପଠାଇବାକୁ ବ୍ୟବସ୍ଥା କରାଯାଉଛି । ଡ୍ରଗ୍ସ ଚାଲାଣ ପାଇଁ ମଧ୍ୟ ଏହି ନେଟଓ୍ବାର୍କକୁ ବ୍ୟବହାର କରାଯାଉଛି  । କେବଳ ଏତିକି ନୁହେଁ, ଭାରତରେ ହିନ୍ଦୁ-ମୁସଲିମ ଓ ହିନ୍ଦୁ-ଶିଖ ସାଂପ୍ରଦାୟିକ ଦଙ୍ଗା ପାଇଁ ଏହି ନେଟଓ୍ବାର୍କ କାମ କରୁଛି ।

ସମ୍ବନ୍ଧିତ ଖବର