ହାଇଦ୍ରାବାଦ : ତେଲେଙ୍ଗାନାର ହାଇଦ୍ରାବାଦରେ ଆକ୍ରମଣ ପାଇଁ ପାକିସ୍ତାନର ଆଇଏସଆଇ ଏବଂ ବେଆଇନ ଘୋଷିତ ଆତଙ୍କବାଦୀ ସଂଗଠନ ଲସ୍କର ଇ ତୋଇବା ଏହାର ସମର୍ଥକଙ୍କ ନିକଟକୁ ହ୍ୟାଣ୍ଡ ଗ୍ରେନେଡ ପଠାଇଥିଲା। ଉକ୍ତ ହ୍ୟାଣ୍ଡ ଗ୍ରେନେଡ୍ ଜରିଆରେ ଆକ୍ରମଣ ଯୋଜନା ହୋଇଥିଲା ବୋଲି ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ)ର ଏଫଆଇଆରରୁ ଜଣାପଡ଼ିଛି।
ସାମ୍ପ୍ରଦାୟିକ ଉତ୍ତେଜନା ସୃଷ୍ଟି କରିବା ପାଇଁ ସଂପୃକ୍ତ ବ୍ୟକ୍ତିଜଣକ ହ୍ୟାଣ୍ଡ ଗ୍ରେନେଡ୍ ଫିଙ୍ଗିଥାଆନ୍ତା। ଜାନୁଆରି ୨୫ ତାରିଖରେ ଏନେଇ ଏଫଆଇଆର ରୁଜୁ ହୋଇଥିଲା। ପାକିସ୍ତାନରୁ ହ୍ୟାଣ୍ଡ ଗ୍ରେନେଡ୍ ପଠାଇଥିବା ବ୍ୟକ୍ତିଜଣକ ଆତଙ୍କବାଦୀ କାର୍ଯ୍ୟ ପାଇଁ ଅବଦୁଲ ଜହିଦ ଓରଫ ଜହିଦ ଓରଫ ମହମ୍ମଦକୁ ଦାୟିତ୍ବ ଦେଇଥିଲା। ପୂର୍ବରୁ ଅବଦୁଲ ଜହିଦ ନାମରେ ଏକାଧିକ ଆତଙ୍କବାଦୀ ସଂପର୍କିତ ମାମଲା ହାଇଦ୍ରାଦାବରେ ରୁଜୁ ହୋଇଛି। ଏପରିକି ସେ ଆଇଏସଆଇ ଓ ଏଲଇଟିର ନିର୍ଦ୍ଦେଶରେ ମାଜ୍, ସମିଉଦ୍ଦିନ ଏବଂ ଅନ୍ୟ କେତେକ ସ୍ଥାନୀୟ ଯୁବକଙ୍କୁ ଏଥିପାଇଁ ନିଯୁକ୍ତ କରିଥିଲା।
ଜହିଦ ବ୍ୟତୀତ ଏନଆଇଏ ମାଜ୍ ହାସନ୍ ଫାରୁକ ଏବଂ ସମିଉଦ୍ଦିନ ନାମରେ ମାମଲା ରୁଜୁ ହୋଇଛି। ପାକିସ୍ତାନୀ ଷଡ଼୍ଯନ୍ତ୍ରକାରୀଙ୍କ ନିର୍ଦ୍ଦେଶରେ ଜହିଦ ହାଇଦ୍ରାବାଦରେ ତାହାର ଗ୍ୟାଙ୍ଗ ସଦସ୍ୟଙ୍କ ଜରିଆରେ କିମ୍ବା ଏକାକୀ ଆକ୍ରମଣ ଯୋଜନା ରଖିଥିଲା। ହାଇଦ୍ରାବାଦ ସହରରେ ଏଭଳି ଆକ୍ରମଣ କରି ସ୍ଥାନୀୟ ଲୋକଙ୍କ ମନରେ ଭୟ ସୃଷ୍ଟି କରିଥାନ୍ତା। ହାଇଦ୍ରାବାଦ ପୁଲିସ ହ୍ୟାଣ୍ଡ ଗ୍ରେନେଡ, ଦୁଇଟି ମୋବାଇଲ ଫୋନ ଏବଂ ୩,୯୧,୮୦୦ ଟଙ୍କା ଜହିଦର ଘରୁ ଜବତ କରିବା ପରେ ଗତ ଅକ୍ଟୋବର ୧ରେ ୟୁଏପିଏ ଅଭିଯୋଗ ଅଧୀନରେ ମାମଲା ରୁଜୁ କରିଥିଲା। ମାମଲାର ଗୁରୁତ୍ବକୁ ଦୃଷ୍ଟିରେ ରଖି ପରେ ଗୃହ ମନ୍ତ୍ରାଳୟର କାଉଣ୍ଟର ଟେରରିଜିମ୍ ଆଣ୍ଡ କାଉଣ୍ଟର ରେଡିକାଲାଇଜେସନ ଡିଭିଜନ ଏହାକୁ ଏନଆଇଏକୁ ହସ୍ତାନ୍ତର କରିଥିଲା।