୧୦ ହଜାର ଆତଙ୍କବାଦୀଙ୍କୁ ଆଇଏସ୍‌ଆଇର ତାଲିମ

ପିଓକେରେ ୫୦ରୁ ଅଧିକ ତାଲିମ ଶିବିର, ୧୦ ହଜାର ଆତଙ୍କବାଦୀଙ୍କୁ ଆଇଏସ୍‌ଆଇର ତାଲିମ

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରରେ ଅସ୍ଥିରତା ସୃଷ୍ଟି ପାଇଁ ପାକିସ୍ତାନ ସେନା ଏବଂ ଆଇଏସ୍‌ଆଇର ବିଶାଳ ଯୋଜନା ଆରମ୍ଭ ହୋଇଛି। ଏଥିପାଇଁ ପ୍ରାୟ ୧୦ ହଜାର ଆତଙ୍କବାଦୀଙ୍କୁ ପାକ୍‌ ଗୁଇନ୍ଦା ସଂସ୍ଥା ଆଇଏସ୍‌ଆଇ ଏବେ ତାଲିମ ଦେଉଛି। ପାକିସ୍ତାନ ସେନା ସହାୟତାରେ ପାକ୍‌ ଅଧିକୃତ କଶ୍ମୀରରେ ଏଥିପାଇଁ ୫୦ରୁ ଅଧିକ ଅସ୍ଥାୟୀ ଶିବିର ସ୍ଥାପନ କରାଯାଇଛି। ପାକ୍‌ ଆତଙ୍କବାଦୀ ସଂଗଠନ ଜୈସ୍‌ ଏ ମହମ୍ମଦ, ହିଜ୍‌ବୁଲ ମୁଜାହିଦ୍ଦିନ ଏବଂ ଲସ୍କର ଏ ତୋଏବା ଦ୍ବାରା ପାକିସ୍ତାନର ବିଭିନ୍ନ ଅଂଚଳରୁ ଯୁବକମାନଙ୍କୁ ନିଯୁକ୍ତି ଦିଆଯିବା ପରେ ସେମାନଙ୍କୁ ପର୍ଯ୍ୟାୟକ୍ରମେ ତାଲିମ ଦେବା କାର୍ଯ୍ୟ ଆରମ୍ଭ ହୋଇଛି। ଶତାଧିକ ଆତଙ୍କବାଦୀଙ୍କୁ ଏବେ ପାକ୍‌ ସେନା ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଯୋଗାଇ ଦେଇଛି। ଏହି ଆତଙ୍କବାଦୀଙ୍କୁ ଭାରତରେ ଅନୁପ୍ରବେଶ କରାଇବା ପାଇଁ ଏବେ ଅସ୍ତ୍ରବିରତି ଉଲ୍ଲଂଘନକୁ ବ୍ୟାପକ କରିବା ନିମନ୍ତେ ମଧ୍ୟ ପାକ୍‌ ସେନା ଯୋଜନା କରିଛି। ହିଜ୍‌ବୁଲ କମାଣ୍ଡର ସମ୍‌ଶେର୍‌ ଖାନ ନେତୃତ୍ବରେ ପ୍ରାୟ ୨ ଶହ ତାଲିମପ୍ରାପ୍ତ ଆତଙ୍କବାଦୀ ଏବେ ଭାରତରେ ଅନୁପ୍ରବେଶ ସୁଯୋଗ ଅପେକ୍ଷାରେ ରହିଛନ୍ତି। ଲସ୍କର ଏବଂ ଜୈସ୍‌ କମାଣ୍ଡରମାନେ ମଧ୍ୟ ତାଲିମ ନେଇ ସାରିଥିବା ଆତଙ୍କବାଦୀଙ୍କୁ ଭିନ୍ନ ଭିନ୍ନ ସେକ୍ଟରରେ ରଖାଇଛନ୍ତି । ଉଭୟ ପଟୁ ସୀମାରେ ଗୁଳି ବିନିମୟ ଚାଲିଥିବା ବେଳେ ଆତଙ୍କବାଦୀ କିଭଳି ଭାରତରେ ଅନୁପ୍ରବେଶ କରିବେ ସେହି କୌଶଳ ଶିଖାଉଛନ୍ତି। ଏଥର ଆତଙ୍କବାଦୀମାନେ ସୁରକ୍ଷା ବାହିନୀ ସହିତ ସାଧାରଣ ଜନତାଙ୍କୁ ମଧ୍ୟ ଟାର୍ଗେଟ୍‌ କରିବା ଲକ୍ଷ୍ୟରେ ଅଛନ୍ତି।

ସମ୍ବନ୍ଧିତ ଖବର